
କୋଲକାତା, 9 ମଇ (ହି.ସ.): ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଆଜି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ନୂତନ ସରକାରଙ୍କ ଶପଥ ଗ୍ରହଣ ଅନୁଷ୍ଠାନ କୋଲକାତାର ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଆୟୋଜିତ ହେବ। ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଉଲ୍ଲେଖନୀୟ ଯେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କୁ ପରାଜିତ କରିଥିବା ଭାରତୀୟ ଜନତା ପାର୍ଟୀର ନେତା ଶୁଭେନ୍ଦୁ ଅଧିକାରୀ ଶୁକ୍ରବାର ବିଜେପି ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଥିଲା । ବିଧାୟକ ଦଳର ବୈଠକରେ ସର୍ବସମ୍ମତିକ୍ରମେ ତାଙ୍କୁ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯାଇଥିଲା ।
ବୈଠକରେ ବିଜେପିର ବିଜୟୀ ୨୦୭ ଜଣ ବିଧାୟକ ଉପସ୍ଥିତ ଥିଲେ। କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଥିବାବେଳେ, ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହାୟକ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ଥିଲେ।
କୋଲକାତାର ନ୍ୟୁ ଟାଉନ୍ ସ୍ଥିତ ବିଶ୍ୱ ବାଂଲା କନଭେନସନ ସେଂଟରରେ ଆୟୋଜିତ ବୈଠକରେ ବିଜେପିର ନବନିର୍ବାଚିତ ବିଧାୟକମାନଙ୍କ ସହ ଆଲୋଚନା ପରେ ଶୁଭେନ୍ଦୁ ଅଧିକାରୀଙ୍କ ନାମ ବିଧାୟକ ଦଳର ନେତା ଏବଂ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନୁମୋଦନ କରାଯାଇଥିଲା।
ସୂଚନା ଅନୁସାରେ, ଶୁଭେନ୍ଦୁ ଅଧିକାରୀ ଶୁକ୍ରବାର ରାଜଭବନକୁ ଯାଇ ସରକାର ଗଠନ ପାଇଁ ଦାବି ପ୍ରସ୍ତୁତ କରି ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ