ରାସ୍ତା ନଥାଇ ୨୦ ଲକ୍ଷ ଟଙ୍କାର ପୋଲ ଛିଡା ହୋଇଛି
ଭଦ୍ରକ, ୨୪ ଜୁନ୍ (ହି.ସ.) - ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ଗ୍ରାମ ପାତ୍ରସାହି ନିକଟରେ ‘ଜ’ ନଦୀ ଉପରେ ପ୍ରାୟ ୨୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏକ ପୋଲକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଓ ଅସନ୍ତୋଷ ଦେଖାଦେଇଛି। ୨୦୧୯ ମସିହାରେ ନିର୍ମାଣ ହୋଇଥିବା ଏହି ପୋଲର ଉଭୟ ପାର୍ଶ୍ୱରେ
20 LAKHYARA POLA CHIDA


ଭଦ୍ରକ, ୨୪ ଜୁନ୍ (ହି.ସ.) - ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ଗ୍ରାମ ପାତ୍ରସାହି ନିକଟରେ ‘ଜ’ ନଦୀ ଉପରେ ପ୍ରାୟ ୨୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏକ ପୋଲକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଓ ଅସନ୍ତୋଷ ଦେଖାଦେଇଛି। ୨୦୧୯ ମସିହାରେ ନିର୍ମାଣ ହୋଇଥିବା ଏହି ପୋଲର ଉଭୟ ପାର୍ଶ୍ୱରେ ସଂଯୋଗକାରୀ ରାସ୍ତା ନଥିବାରୁ ଏହା ଦୀର୍ଘଦିନ ଧରି ଅବ୍ୟବହୃତ ଅବସ୍ଥାରେ ଛିଡା ହୋଇ ରହିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପୋଲର ଗୋଟିଏ ପାର୍ଶ୍ୱରେ ଜ ନଦୀର ବନ୍ଧ ଓ ଅନ୍ୟ ପାର୍ଶ୍ୱରେ ବିଲ ଏବଂ ଚାଷଜମି ରହିଥିବା ବେଳେ ଯାତାୟାତ ପାଇଁ କୌଣସି ରାସ୍ତା ନାହିଁ। ନଦୀ ଉପରେ ପୋଲ ଛିଡା ହୋଇରହିଛି। ଫଳରେ ପୋଲ ଥିଲେ ମଧ୍ୟ ଲୋକମାନେ ଏହାକୁ ବ୍ୟବହାର କରିପାରୁ ନାହାନ୍ତି। ଆବଶ୍ୟକତା ନଥିବା ସ୍ଥାନରେ ସରକାରୀ ଅର୍ଥ ବ୍ୟୟ କରି ପୋଲ ନିର୍ମାଣ କରାଯାଇଥିବାରୁ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ପୋଲଟି ଏବେ ଜନସାଧାରଣଙ୍କ ପାଇଁ ଅକାମୀ ସାବ୍ୟସ୍ତ ହୋଇଛି। ଏହି ପୋଲଟିକୁ ଗ୍ରାମବାସୀମାନେ ବ୍ୟଙ୍ଗାତ୍ମକ ଭାବେ ‘ଚୋରା ପୋଲ’ ନାମ ଦେଇଛନ୍ତି। ସରକାରୀ ଅର୍ଥର ସଠିକ୍ ବ୍ୟବହାରକୁ ନେଇ ପ୍ରଶ୍ନ ଉଠାଇ ସେମାନେ କହିଛନ୍ତି, ଯେଉଁଠାରେ ରାସ୍ତା ନାହିଁ ଓ ଯାତାୟାତର ସୁବିଧା ନାହିଁ, ସେଠାରେ କେଉଁ ଆଧାରରେ ପୋଲ ନିର୍ମାଣ ପାଇଁ ଅନୁମୋଦନ ଦିଆଗଲା। ଏହି ଘଟଣାକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିବା ବେଳେ ପ୍ରକଳ୍ପର ଆବଶ୍ୟକତା, ଅନୁମୋଦନ ପ୍ରକ୍ରିୟା ଏବଂ ବ୍ୟୟ ଅର୍ଥର ଉପଯୋଗିତା ସମ୍ପର୍କରେ ସ୍ୱଚ୍ଛ ତଦନ୍ତ କରାଯିବାକୁ ଦାବି କରିଛନ୍ତି। ଦାୟୀ ଅଧିକାରୀଙ୍କ ବିରୋଧରେ ଯଥୋଚିତ ପଦକ୍ଷେପ ନେବାକୁ ମଧ୍ୟ ସେମାନେ ଦାବି କରିଛନ୍ତି। ଏନେଇ ଡ୍ରେନେଜ ବିଭାଗର ଅଧିକାରୀ ପ୍ରଦୀପ୍ତ ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ତାଙ୍କ ପାଖରେ ଏହି ପୋଲ ସମ୍ପର୍କିତ କୌଣସି ତଥ୍ୟ ନାହିଁ। ତେବେ ସେଠାରେ ପୋଲ ନିର୍ମାଣ ପାଇଁ ନିଶ୍ଚିତ ଭାବେ କୌଣସି ଆବଶ୍ୟକତା ଥିବ, ସେଥିପାଇଁ ଏହା ନିର୍ମାଣ କରାଯାଇଥିବ ବୋଲି ସେ ମତ ପ୍ରକାଶ କରିଛନ୍ତି। ବର୍ତମାନ ପ୍ରଶ୍ନ ଉଠୁଛି ରାସ୍ତା ବିହୀନ ପୋଲ ନିର୍ମାଣ ପଛରେ ପ୍ରକୃତ ଉଦ୍ଦେଶ୍ୟ କ’ଣ ଥିଲା ଏବଂ ଜନସାଧାରଣଙ୍କ ଟଙ୍କାରେ ନିର୍ମିତ ଏହି ପ୍ରକଳ୍ପ କେବେ ଲୋକଙ୍କ କାମରେ ଆସିବ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande