
କେନ୍ଦୁଝର, ୨୪ ଜୁନ୍ (ହି.ସ.) - ଶୋକରେ ବୁଡିଲା ପୁରା ଗାଁ । ଝିଅ ଫୁଲମଣି ଜୁଆଙ୍ଗର ଶବ ଘରକୁ ଫେରିବା ପରେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କୋଡ଼ିପଷା ଗାଁରେ ଘର ପରିବାର ସମସ୍ତେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ପ୍ରଥମେ ବାପା ଚାଲିଗଲେ । ଦୁଇ ଭଉଣୀଙ୍କ ବିବାହ ପରେ ଘର ଚଳିବା କଷ୍ଟକର ହୋଇ ପଡ଼ିଲା । ଶେଷରେ ନିଜେ ରୋଜଗାର କରିବାକୁ ଅଂଟା ଭିଡ଼ିଲେ ଫୁଲମଣି । କମ୍ପାନୀରେ କାମ କରିବାକୁ ସୁଦୂର ଚେନ୍ନାଇ ଗଲେ । ହେଲେ, ମାତ୍ର ୩ ମାସ ପରେ ଶବ ହୋଇ ଫେରିଲେ । ଆଶା ଥିଲା ରୋଜଗାର କରି ପରିବାରର ଦୁଃଖ ଦୂର କରିବେ । ହେଲେ ସେଦିନ ଥିଲା କାଳ ରବିବାର । ଏକ ବଡ଼ ଦୁର୍ଘଟଣା ଘଟି କମ୍ପାନୀର କୁଲିଂ ପ୍ଲାଂଟରୁ ଆମୋନିଆ ଗ୍ୟାସ୍ ନିର୍ଗତ ହେଲା । ଏଥିରେ ଅଣନିଶ୍ୱାସୀ ହୋଇ କେନ୍ଦୁଝର ଜିଲ୍ଲାର ୭ଜଣ ମହିଳା ଶ୍ରମିକଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ଘଟିଥିବା ୫ଜଣ ମହିଳା ଶ୍ରମିକଙ୍କର ଶବ ଘରେ ପହଂଚିବା ପରେ ଶୋକର ଛାୟା ଖେଳି ଯାଇଛି । ମୃତ୍ୟୁ ଘଟିଥିବା ସମସ୍ତ ପରିବାର ଗରିବ ଶ୍ରେଣୀର ହୋଇଥିବା ବେଳେ, ଏମାନଙ୍କୁ ସରକାର ସହାୟତା ଦାବି ହୋଇଛି ।
କେନ୍ଦୁଝରରେ ଜିଲ୍ଲା ପ୍ରଶାସନ ସହାୟତରେ ଫୁଲମଣି ର ଶବ ପହଁଚିଲା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ସାଂସଦ ଅନନ୍ତ ନାୟକ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ପହଂଚି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ତାଙ୍କ ଘର କୋଡ଼ିପଶାକୁ ଶବ ପଠା ଯାଇଥିଲା ବେଳେ ଗାଁ ରେ ଆନ୍ତେଷ୍ଟି କ୍ରିୟା କରାଯାଉଛି।
ଫୁଲମଣିଙ୍କ ଶବ ଗାଁ ରେ ପହଂଚିଲା ପରେ ଗାଁ ଲୋକଙ୍କ ସହାୟତାରେ ଘର ଲୋକେ ଗାଁ ମଶାଣୀରେୁ ଶବ କୁ ଅନ୍ତେଷ୍ଟୀ କ୍ରିୟା ପାଇଁ ନେଇଥିଲେ। ଜୁଆଙ୍ଗ ଜନଜାତି ସମ୍ପ୍ରଦାୟର ବିଧିବିଧାନ ଅନୁସାରେ ଫୁଲମଣି ଙ୍କ ଅନ୍ତେଷ୍ଟି କ୍ରିୟା କରାଇଥିଲା। ତାଙ୍କ ଭାଇ ମୁଖଗ୍ନୀ ଦେଇଥିବା ବେଳେ ଗ୍ରାମବାସି ଏହି ଅନ୍ତେଷ୍ଟ କ୍ରିୟାରେ ସାହାଯ୍ୟ କରୁଥିଲେ। ରାଜ୍ୟ ସରକାରଙ୍କ ସହଯୋଗ ରେ ଏହା ସମ୍ଭବ ହୋଇ ପାରିଛି ବୋଲି ପ୍ରକାଶ କରିଛନ୍ତି ସ୍ଥାନିୟ ଲୋକେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA