
କେନ୍ଦୁଝର, ୨୪ ଜୁନ୍(ହି.ସ.) – କେନ୍ଦୁଝରଗଡ଼ସ୍ଥ ସେଲ ଅଡିଟରିୟମ ଠାରେ ମା' ତାରିଣୀ ସୁପରସ୍ପେସିଆଲିଟି ହସ୍ପିଟାଲର ୨ୟ ବାର୍ଷିକ ପ୍ରତିଷ୍ଠା ଦିବସ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ସମ୍ମାନିତ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଧରଣୀଧର ମେଡିକାଲ କଲେଜ ହସ୍ପିଟାଲର ସୁପରିଟେଣ୍ଡ ମହେନ୍ଦ୍ର କୁମାର ନାଏକ, ଅବସରପ୍ରାପ୍ତ ଶ୍ରମ ଅଧିକାରୀ ଉପେନ୍ଦ୍ର ମହାନ୍ତ, ଢେଙ୍କାନାଳ ଏନ୍.ପି.ସି.ଏଲ୍.ର ଜି.ଏମ୍. ଅନନ୍ତ ମିଶ୍ର, ଗୋନାସିକା କଲେଜର ଡାଇରେକ୍ଟର ସୁରେଶ ଚନ୍ଦ୍ର ଖଟୋଇ, ଚାଟାର୍ଡ଼ ଆକାଉଂଟ ଶକ୍ତିପ୍ରସାଦ ରାଉତଙ୍କ ସହିତ ମା' ତାରିଣୀ ସୁପରସ୍ପେସିଆଲିଟି ହସ୍ପିଟାଲର ପରିଚାଳନା ନିର୍ଦେଶକ ଡକ୍ଟର ଗଣେଶ୍ୱର ମହାନ୍ତ, ନିର୍ଦ୍ଦେଶିକା ସୁଚିସ୍ମିତା ମହାନ୍ତ ମଂଚାସିନ ଥିଲେ। ଅତିଥିମାନେ କେନ୍ଦୁଝର ଜିଲ୍ଲାରେ ସ୍ୱସ୍ଥ୍ୟସେବାର ଉନ୍ନତି ପାଇଁ ମା ତାରିଣୀ ହସ୍ପିଟାଲର ଯୁଗାନ୍ତକାରୀ ପଦକ୍ଷେପ ଓ ସମସ୍ତ ପ୍ରକାର ଚିକିତ୍ସା ସୁବିଧାର ଉପଲବ୍ଧ ପାଇଁ ଭୁୟସୀ ପ୍ରଶଂସା କରିଥିଲେ। ମୁଖ୍ୟଅତିଥି ପଦ୍ମଶ୍ରୀ ତୁଳସୀ ମୁଣ୍ଡା ‘ମାନବ ସେବା ହିଁ ମାଧବ ସେବା’ର ବ୍ରତକୁ ପାଥେୟ କରି ହସ୍ପିଟାଲ ଅନୁସରଣ କରିବାକୁ ହସ୍ପିଟାଲର କର୍ମଚାରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ। ପ୍ରଥମେ ଅତିଥିମାନେ ମା' ତାରିଣୀ ଓ ପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ରରେ ଧୂପ, ପ୍ରଦୀପ ପ୍ରଯ୍ୟଳନ କରିବାପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା।
ପରିଚାଳନା ନିର୍ଦେଶକ ଡକ୍ଟର ଗଣେଶ୍ୱର ମହାନ୍ତ ହସ୍ପିଟାଲର ବାର୍ଷିକ ବିବରଣୀ ପାଠ କରିବା ସହିତ ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ଅତିଥିମାନେ ହସ୍ପିଟାଲର ଡାକ୍ତରମାନଙ୍କୁ ସମର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମକୁ ସମୟଶ୍ରୀ ଚାଟାର୍ଜୀ, ଶୁଭ୍ରା ସୋନାଲିକା ଶତପଥୀ ମଂଚ ପରିଚାଳନା ଓ ସଂଯୋଜନା କରିଥିବାବେଳେ ନିର୍ଦ୍ଦେଶିକା ସୁଚିସ୍ମିତା ମହାନ୍ତ ଧନ୍ୟବାଦ ଅର୍ପଣ କରି ସ୍ୱସ୍ଥ୍ୟସେବା କ୍ଷେତ୍ରରେ କେନ୍ଦୁଝରକୁ ଆଗକୁ ନେବାକୁ ସମସ୍ତଙ୍କର ସହଯୋଗ ଆବଶ୍ୟକ ବୋଲି ବକ୍ତବ୍ୟ ଦେଇଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ସଂଗୀତ ପରିବେଷଣ ହୋଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA