ପୋଲିଓ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ଟାସ୍କ ଫୋର୍ସ ବୈଠକ
କେନ୍ଦୁଝର, ୨୪ ଜୁନ୍(ହି.ସ.) – କେନ୍ଦୁଝର ଜିଲ୍ଲାରେ ଚଳିତ ଜୁନ୍ ୨୮.୦୬.୨୦୨୬ରୁ ୩୦.୦୬.୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ପଲ୍ସ ପୋଲିଓ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ, ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ
Takas forse


କେନ୍ଦୁଝର, ୨୪ ଜୁନ୍(ହି.ସ.) – କେନ୍ଦୁଝର ଜିଲ୍ଲାରେ ଚଳିତ ଜୁନ୍ ୨୮.୦୬.୨୦୨୬ରୁ ୩୦.୦୬.୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ପଲ୍ସ ପୋଲିଓ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ, ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ କହିଥିଲେ ଯେ, ଆଗାମୀ ଜୁନ୍ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପଲ୍ସ ପୋଲିଓ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସଂପାଦନ କରିବା ପାଇଁ ଉପସ୍ଥିତ ଥିବା ସମସ୍ତ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀ ଓ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାର ସମସ୍ତ ଦୁର୍ଗମ ଅଂଚଳରେ କିପରି ସମସ୍ତ ଶିଶୁ ପୋଲିଓ ବୁନ୍ଦା ପାଇବେ ସେଥିପ୍ରତି ପଦକ୍ଷେପ ନେବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପଲ୍ସ ପୋଲିଓ କାର୍ଯ୍ୟକ୍ରମରେ ନିୟୋଜିତ ହୋଇଥିବା ଜିଲ୍ଲାର ସମସ୍ତ ସୁପରଭାଇଜରମାନଙ୍କୁ ସଠିକ୍ ରୂପେ ତଦାରଖ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ। ଦେଶକୁ ପୋଲିଓ ମୁକ୍ତ କରିବା ପାଇଁ ଜନ୍ମରୁ ୫ ବର୍ଷର ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ପ୍ରାରମ୍ଭରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଧର୍ମେନ୍ଦ୍ର ସେଠୀ ବୈଠକର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ସମଗ୍ର ଜିଲ୍ଲାରେ ୧,୭୬,୬୫୯ ଜଣ ଶିଶୁଙ୍କୁ ଟିକାକରଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଏବଂ ଏଥିପାଇଁ ସମଗ୍ର ଜିଲ୍ଲାରେ ୮୬୦ ଟି ପୋଲିଓ ବୁଥ୍ ଖୋଲାଯାଇଛି। ତା ୨୮.୦୬.୨୦୨୬ ରବିବାର ଦିନ ଜିଲ୍ଲାର ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର ଓ ଏ.ଏନ୍.ଏମ୍. ସେଣ୍ଟରମାନଙ୍କରେ ଟୀକାକରଣ ଚାଲୁ ରହିବ ଏବଂ ଯେଉଁ ଅଙ୍ଗନୱାଡି କେନ୍ଦ୍ରମାନଙ୍କରେ ଯଥେଷ୍ଟ ସୁବିଧା ନଥିବ ସେଠାରେ ସଂଲଗ୍ନ / ନିକଟସ୍ଥ ବିଦ୍ୟାଳୟ ପ୍ରକୋଷ୍ଠ ବ୍ୟବହୃତ ହେବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ସରକାରୀ କର୍ମଚାରୀ, ଲୋକପ୍ରତିନିଧି, ସ୍ୱେଚ୍ଛାସେବୀ ସଂଗଠନ, ବିଭିନ୍ନ ଅନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନର କର୍ମକର୍ତାମାନଙ୍କୁ ସାମିଲ୍ କରି ଏ ସଂପର୍କରେ ସଚେତନତା ସୃଷ୍ଟି କରିବା ନିମନ୍ତେ ବିହିତ ପଦକ୍ଷେପ ନେବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ବୈଠକରେ ଡିପିଏଚଓ ଡାକ୍ତର ପୁରୁଷୋତମ ମହାନ୍ତ, ଏଡିପିଏଚ୍ଓ(ଟିବି) ଡାକ୍ତର ନିଲମ ମହାନ୍ତି, ଏଡିପିଏଚ୍ଓ(ଡିସି) ଡାକ୍ତର ବସନ୍ତ କୁମାର ପାତ୍ର, ଏଡିପିଏଚ୍ଓ(ଭିବିଡି) ଡାକ୍ତର ପୁଷ୍ପାରାଣୀ ପଟ୍ଟନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟର ପ୍ରୋଗ୍ରାମ ଅଫିସର ବାସନ୍ତି ମହାନ୍ତ, ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା, ଜିଲ୍ଲା କଲ୍ୟାଣ ଅଧିକାରୀ ବିକାଶ କୁମାର ମହାନ୍ତି, ଡି.ପି.ଏମ୍.ଏନ୍ଏଚ୍.ଏମ୍. ନିତ୍ୟରଞ୍ଜନ ବରାଳ, ଜିଲ୍ଲା ପଂଚାୟତ କାର୍ଯ୍ୟାଳୟର ଇ.ଓ. ମାଧବ ଚନ୍ଦ୍ର ସେଠୀ, ଅତିରିକ୍ତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜ୍ୟୋର୍ତିମୟୀ ନାଏକ ପ୍ରମୁଖ ଯୋଗଦେଇ ନିଜ ନିଜର ମତ ପ୍ରକାଶ କରିଥିଲେ। ଡିଭିଏଲଏମ୍ ଗୋବିନ୍ଦ ଚନ୍ଦ୍ର ମିଶ୍ର ପାୱାରପଏଂଟ୍ ପ୍ରେଜେଂଟେସନ୍ ମାଧ୍ୟମରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିପିଏଚସିଓ ଭରତ କୁମାର ସାହୁ, କେନ୍ଦୁଝରଗଡ଼ ପୌରପାଳିକାର ପ୍ରମୋଦ କୁମାର ପଟ୍ଟନାୟକ, ପି.ଏଚ୍. କନ୍ସଲଟାଂଟ୍ ଡାକ୍ତର ହିମାଂଶୁ ଶେଖର ସାହୁ, ଡି.ଏମ୍.ଆର୍.ସି.ଏଚ. ବିଶ୍ୱରଞ୍ଜନ ରାଉତ, ଏ.ପି.ଏମ୍. ହେନାନୀ ଆନନ୍ଦ, ଏ.ଏମ୍. ଏଲ୍ଏଆଇଏସ୍ ସୂର୍ଯ୍ୟ ପ୍ରକାଶ ପଣ୍ଡା ଏବଂ ଆଇ.ସି.ଏ. ଚିତରଞ୍ଜନ ଜେନା ପ୍ରମୁଖ ବୈଠକ ପରିଚାଳନାରେ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande