
ଭୁବନେଶ୍ୱର, ୨୫ ଜୁନ୍ (ହି.ସ.) - ସମ୍ବିଧାନ ହତ୍ୟା ଦିବସ ଭାରତୀୟ ଗଣତନ୍ତ୍ରର ଏକ କଳା ଅଧ୍ୟାୟ । ଦେଶରେ ଗଣତନ୍ତ୍ର ଓ ସମ୍ବିଧାନକୁ କଂଗ୍ରେସ ବାରମ୍ବାର ହତ୍ୟା କରିବାକୁ ଚେଷ୍ଟା କରିଛି । ୫୧ ବର୍ଷ ପୂବେ କଂଗ୍ରେସ ପକ୍ଷରୁ ଲଗାଯାଇଥିବା ଜରୁରୀକାଳୀନ ପରସ୍ଥିତି ହେଉଛି ଏହାର ପ୍ରମୁଖ ଉଦାହରଣ । ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୫ମସିହା ଜୁନ୍୨୫ ମଧ୍ୟରାତ୍ରିରେ ଭାରତରେ ପ୍ରଥମଥର ପାଇଁ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଥିଲେ । ୨୧ମାସ ଧରି ୧୯୭୭ ମାର୍ଚ୍ଚ ପର୍ଯ୍ୟନ୍ତ କଂଗ୍ରେସ ସରକାର ଭାରତରେ ସ୍ୱେଚ୍ଛାଚାରୀ ଶାସନ ଚଳାଇ ସମ୍ବିଧାନର ମୁଖବନ୍ଧକୁ ପରିବର୍ତନ କରିଦେଇଥିଲା ଏହି ଜରୁରୀକାଳିନ ପରିସ୍ଥିତିକୁ ବିରୋଧ କରୁଥିବା ୩ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଅଣକଂଗ୍ରେସ ରାଜନୈତିକ ଦଳର ନେତୃବୃନ୍ଦ, ସତ୍ୟାଗ୍ରହୀ, ବୁଦ୍ଧିଜୀବୀ ଏବଂ ପତ୍ରକାରମାନଙ୍କୁ “ମିଶା ଆଇନ” ବଳରେ ଜୋର ଜବରଦସ୍ତ ଜେଲରେ ଭର୍ତି କରାଯାଇଥିଲା । ସ୍ୱାଧିନତା ପରବର୍ତୀ ଭାରତ ବର୍ଷର ଇତିହାସରେ ଜରୁରୀକାଳିନ ପରିସ୍ଥିତ ଏକ “ଅଲିଭା କଳାଦାଗ” ବୋଲି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର କହିଛନ୍ତି ।
ଅତୀତର ଭୁଲ ପାଇଁ କଂଗ୍ରେସ ଦଳ ଏପର୍ଯ୍ୟନ୍ତ କ୍ଷମା ପ୍ରାର୍ଥନା କରି ନଥିବାବେଳେ ନିଜ ସ୍ୱାର୍ଥ ହାସଲ ପାଇଁ ହୀନ ରାଜନୀତି କରିବାକୁ ଆରମ୍ଭ କରିଦେଇଛି । ଏତେ ବର୍ଷ ପରେ ବି କଂଗ୍ରେସ ଦଳରେ କୌଣସି ସୁଧାର ଆସିନାହିଁ, ଯେଉଁଥିପାଇଁ ଏହି ଦଳକୁ ଲୋକେ ଆଜି ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ଓଡ଼ିଶା ଓ ଓଡ଼ିଆ ବିରୋଧି ବୋଲି କଂଗ୍ରେସ ଦଳ ବହୁ ଥର ପ୍ରମାଣିତ ହୋଇସାରିଛି ବୋଲି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଗଣତନ୍ତ୍ରର ମୂଲ୍ୟବୋଧକୁ ଯୁବପିଢୀମାନଙ୍କ ଭିତରେ ଉଜ୍ଜିବୀତ ରଖିବା ପାଇଁ ବିଜେପି ପକ୍ଷରୁ ପ୍ରତିବର୍ଷ ଆଜିର ଏହି ଦିନକୁ “ସମ୍ବିଧାନ ହତ୍ୟା ଦିବସ ବା କଳା ଦିବସ” ଭାବେ ପାଳନ କରାଯାଉଛି । ଆଜି ଭୁବନେଶ୍ୱରରେ ଆୟୋଜିତ “ସମ୍ବିଧାନ ହତ୍ୟା ଦିବସ” କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥିଭାବେ ଶ୍ରୀ ବିଜୟପାଲ ସିଂ ତୋମାର, ସମ୍ମାନିତ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀ ଅରବିନ୍ଦ ଢାଲି, ରାଜ୍ୟ ସାଧାରଣ ସଂପାଦକ ଶାରଦା ପ୍ରସାଦ ଶତପଥୀ, ରାଜ୍ୟ ସଂପାଦକ ଶ୍ରୀ ସରୋଜ କର, ରାଜ୍ୟ ସଂପାଦିକା ଡ. ପ୍ରିତୀ ପ୍ରତିଭା ଭୋଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନ, ପ୍ରିୟଦର୍ଶୀ ମିଶ୍ର, ମୁଖ୍ୟବକ୍ତା ଭାବେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ବରିଷ୍ଠ ନେତା ଶ୍ରୀ ଭୂବନାନନ୍ଦ ତ୍ରିପାଠୀ ଯୋଗଦେଇଥିଲେ । ଏଥିସହ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ଅନେକ ସ୍ଥାନରେ ବିଜେପି ତରଫରୁ “ସମ୍ବିଧାନ ହତ୍ୟା ଦିବସ ବା କଳା ଦିବସ” ପାଳନ କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା