ବିଏମ୍ ସି ପକ୍ଷରୁ 6 ଗୋଟି ସ୍ଥାନରେ ସହରାଞ୍ଚଳ ଜନ ସଂପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମ
ଭୁବନେଶ୍ୱର , 25 ଜୁନ୍ (ହି.ସ.) - ରାଜ୍ୟ ସରକାରଙ୍କ ପକ୍ଷରୁ 2 ବର୍ଷ ପୂର୍ତ୍ତି ପାଳନ ଅବସରରେ ରାଜ୍ୟ ବ୍ୟାପି ଚାଲିଥିବା ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ବିଏମ୍ ସି ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ବିକାଶ
ବିଏମ୍ ସି ପକ୍ଷରୁ 6 ଗୋଟି ସ୍ଥାନରେ ସହରାଞ୍ଚଳ ଜନ ସଂପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମ


ଭୁବନେଶ୍ୱର , 25 ଜୁନ୍ (ହି.ସ.) - ରାଜ୍ୟ ସରକାରଙ୍କ ପକ୍ଷରୁ 2 ବର୍ଷ ପୂର୍ତ୍ତି ପାଳନ ଅବସରରେ ରାଜ୍ୟ ବ୍ୟାପି ଚାଲିଥିବା ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ବିଏମ୍ ସି ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ବିକାଶ ଧାରା, ଓଡିଶା ସାରା ଅଂଶ ସ୍ୱରୂପ ରାଜ୍ୟସ୍ତରୀୟ ସହରାଞ୍ଚଳ ଜନସଂପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, ବିଏମ୍ ସି କମିଶନର ଶ୍ରୀ ଚଞ୍ଚଳ ରାଣା, ଶିକ୍ଷା ଓ ସାଂସ୍କୃତିକ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ରାମଚନ୍ଦ୍ର ରଣସିଂହ, ଓ୍ୱାର୍କସ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ଶ୍ରୀଧର ବେହେରା, ସିଟି ଇଂଜିନିୟର ଶ୍ରୀ ପ୍ରଫୁଲ ରଇତ, ବହୁ କର୍ପୋରେଟର ମଂଚାସୀନ ଥିଲେ ।

ଏହି ଅବସରରେ ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ କାର୍ଯ୍ୟକରିଥିବା ସ୍ୱଚ୍ଛକର୍ମୀ, ସଫେଇ ଗାଡି ଡ୍ରାଇଭର, ଆବାସିକ ସଂଗଠନ, ବହୁଳ ବର୍ଜ୍ୟ ଉତ୍ପନ୍ନକାରୀ ସଂସ୍ଥା, ସର୍ବାଧିକ ହୋଲଡିଂ ଟାକ୍ସ ଦେଉଥିବା ବ୍ୟକ୍ତି ବିଶେଷ, ଗୋଷ୍ଠୀ ସଂଗଠକ, ପ୍ରଧାନମନ୍ତ୍ରୀ ଗୃହ ହିତାଧିକାରୀ, ରାସ୍ତା ପାର୍ଶ୍ୱ ବ୍ୟବସାୟୀ, ବରିଷ୍ଠ ନାଗରିକ ପ୍ରମୁଖ 30 ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସେହିପରି ଆଜି ବିଏମ୍ ସି ପକ୍ଷରୁ 14ଟି ଉନ୍ନୟନ ମୂଳକ ପ୍ରକଳ୍ପର କାର୍ଯ୍ୟାଦେଶ ମାନନୀୟା ମେୟରଙ୍କ ଦ୍ୱାରା ପ୍ରଦାନ କରାଯାଇଛି ।

ଏହି କାର୍ଯ୍ୟକ୍ରମ ଭୁବନେଶ୍ୱର ମହାନଗର ନିଗମର 3ଗୋଟି ଜୋନର 6 ଗୋଟି ସ୍ଥାନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସମସ୍ତ ଜୋନାଲ କମିଶନର ସ୍ଥାନୀୟ କର୍ପୋରେଟର, ଡେପୁଟି କମିଶନର, ସହକାରୀ କମିଶନର, ସ୍ଥାନୀୟ ସଂଗଠନର କର୍ମକର୍ତ୍ତା, ବରିଷ୍ଠ ନାଗରିକ ଆଦି 1000ରୁ ଅଧିକ ଲୋକ ଯୋଗଦେଇଥିଲେ । ଶେଷରେ ପୁରୀଠାରେ ଅନୁଷ୍ଠିତ ଓଡିଶା ସାରା, ବିକାଶର ଧାରା ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଆଭାସି ମାଧ୍ୟମରେ ସମସ୍ତଙ୍କୁ ସିଧାସଳଖ ଯୋଡି ଦିଆଯାଇଥିଲା ।

ରାଜ୍ୟ ସରକାରଙ୍କର ବିକାଶ ଧାରାରେ ନାଗରିକମାନଙ୍କର ସହଭାଗିତା ପାଇଁ ଆହ୍ୱାନ ଦେଇଛନ୍ତି ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ । ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକଶିତ ଓଡିଶା ସ୍ୱପ୍ନ ସେହିଦିନ ସାକାର ହେବ, ଯେଉଁଦିନ ନାଗରିକମାନେ ପୂର୍ଣ୍ଣ ପ୍ରାଣରେ ସରକାରଙ୍କୁ ସହଯୋଗ କରିବେ ବୋଲି ସେ କହିଛନ୍ତି ।

ମହାନଗର ନିଗମକୁ ସ୍ୱଚ୍ଛ, ସବୁଜ ଓ ସୁନ୍ଦର ରଖିବା ପାଇଁ ପରିମଳ ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି । ଭୁବନେଶ୍ୱର ଦେଶର ସ୍ୱଚ୍ଛ ସହର ତାଲିକାର 9ମ ସ୍ଥାନରେ ରହିଛି । ବର୍ଜ୍ୟ ପ୍ରବଣ ଅଂଚଳକୁ ସୌନ୍ଦର୍ଯ୍ୟକରଣ କରାଯାଇଛି । ବୈଜ୍ଞାନିକ ପଦ୍ଧତିରେ ବର୍ଜ୍ୟ ପ୍ରକ୍ରିୟାକରଣ କରାଯାଉଛି । ପଳାଶୁଣିଠାରେ ମେଗା ଟିଟିଏସ୍ ପ୍ରତିଷ୍ଠା କରାଯାଇଛି। ବର୍ଜ୍ୟରୁ କମ୍ପ୍ରେସଡ୍ ବାୟୋ ଗ୍ୟାସ୍ ଉତ୍ପାଦନ ପାଇଁ ଅଏଲ୍ ଇଣ୍ଡିଆ ଲିମିଟେଡ୍ ସହ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । 175 କୋଟି ଟଙ୍କା ବ୍ୟୟରେ କମ୍ପ୍ରେସଡ୍ ବାୟୋ ଗ୍ୟାସ୍ ପ୍ଲାଣ୍ଟ ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହୋଇସାରିଛି । ସହରରେ ଥିବା ମୋଟ 512ଟି ବର୍ଜ୍ୟ ପ୍ରବଣ ସ୍ଥାନକୁ ସୌନ୍ଦର୍ଯ୍ୟକରଣ କରାଯାଇ ସେଠାରେ ବୃକ୍ଷ ରୋପଣ, ସୁନ୍ଦର ଚିତ୍ର ଅଙ୍କନ, ବସିବା ପାଇଁ ସ୍ଥାନ, କେତେକ ସ୍ଥାନରେ ଛୋଟ ଛୋଟ ପାର୍କ ମଧ୍ୟ କରାଯାଇଛି । ସହରକୁ ସଫାସୁତରା ରଖିବା ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ 42ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହ 720 ଜଣ ସ୍ୱଚ୍ଛ କର୍ମୀ କାର୍ଯ୍ୟ କରୁଛନ୍ତି । ଭୁବନେଶ୍ୱର ସହରକୁ ସବୁଜ ସୁନ୍ଦର କରିବା ପାଇଁ ବୃକ୍ଷ ରୋପଣ କାର୍ଯ୍ୟ ଜାରି ରହିଛି । ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟ ଜାରି ରହିଛି । ମିଆଁଓ୍ୱାକି ପଦ୍ଧତିରେ ସହରରେ 15ରୁ ଅଧିକ ଜଙ୍ଗଲ ସୃଷ୍ଟି କରାଯାଇଛି । ଫଳରେ ସ୍ୱଚ୍ଛ ବାୟୁ ତାଲିକାର 4ର୍ଥ ସ୍ଥାନରେ ରହିଛି ଭୁବନେଶ୍ୱର । ବାୟୁ ପ୍ରଦୂଷଣ ମୁକ୍ତକୁ ଆହୁରି ପ୍ରଭାବଶାଳୀ କରିବା ପାଇଁ ବିଏମ୍ ସି ଆଉ ପାଦେ ଆଗକୁ ଯାଇ ଏବେ ପରୀକ୍ଷାମୂଳକ ଭାବେ ଲିଙ୍ଗରାଜ ମନ୍ଦିର ଅଂଚଳ ଏବଂ ଚନ୍ଦ୍ରଶେଖରପୁର ଅଂଚଳରେ ଡଷ୍ଟ କଲେକ୍ଟର ଲଗାଇଛି, ବିଏମ୍ ସି ଅଂଚଳରେ ଥିବା ପୁଷ୍କରିଣୀଗୁଡିକୁ ନବୀକରଣ କରାଯାଇଛି ବୋଲି କହିଥିଲେ ମେୟର ।

ବିଭିନ୍ନ ଜନ ଗହଳିପୂର୍ଣ୍ଣ ସ୍ଥାନ, ମାର୍କେଟ, ବସ୍ତି ଆଦିରେ ଗୋଷ୍ଠୀ ଶୌଚାଳୟ, ଇ-ଟଏଲେଟ୍ ଇତ୍ୟାଦି ନିର୍ମାଣ କରାଯାଇଛି । ଟ୍ରାଫିକ୍ ଛକରେ ଲୋକମାନଙ୍କୁ ଖରା ଓ ବର୍ଷାରୁ ସାମାନ୍ୟ ଆଶ୍ୱସ୍ତି ଦେବା ପାଇଁ ଏଜି ଛକ, ରୂପାଲି ଛକ ଏବଂ ପାଓ୍ୱାର ହାଉସ ଛକରେ ସ୍ୱତନ୍ତ୍ର ସେଡ୍ ନିର୍ମାଣ କରାଯାଇଛି । ଗ୍ରୀଷ୍ଣ ପ୍ରବାହରୁ ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଜନ ଗହଳିପୂର୍ଣ୍ଣ 10 ଗୋଟି ବସଷ୍ଟାଣ୍ଡରେ ସ୍ୱତନ୍ତ୍ର ବସ୍ କ୍ୟୁ ସେଲଟର ନିର୍ମାଣ କରାଯାଇଛି । ସେହିପରି କଳ୍ପନା ଓ ଫାୟାରଷ୍ଟେସନ ନିକଟରେ ଅପେକ୍ଷାରତ ଯାତ୍ରୀମାନଙ୍କ ପାଇଁ ଦୁଇଟି ଶୀତଳ ବିଶ୍ରାମସ୍ଥଳ ନିର୍ମାଣ କରାଯାଇଛି । ପରିମଳ ବ୍ୟବସ୍ଥାରେ ଅତ୍ୟାଧୁନିକ ଜ୍ଞାନ କୌଶଳର ପ୍ରୟୋଗ କରି ବର୍ଜ୍ୟ ପ୍ରକ୍ରିୟାକରଣ କରାଯାଉଥିବାରୁ ଚଳିତ ବର୍ଷ ବିଏମ୍ ସିକୁ ଜାତୀୟସ୍ତରରେ ଗ୍ଲୋବାଲ ସଷ୍ଟେନେବିଲିଟି ଆଣ୍ଡ ଇନୋଭେସନ୍ ଆୱାର୍ଡ 2026 ପ୍ରଦାନ କରାଯାଇଛି । ଭୁବନେଶ୍ୱରକୁ ରାବିଜ୍ ମୁକ୍ତ କରିବା ପାଇଁ ରାଜ୍ୟରେ ପ୍ରଥମଥର ପାଇଁ ବିଏମ୍ ସି ପଦକ୍ଷେପ ନେଇଛି । ସେହିପରି ବୁଲା ଗାଈଗୋରୁଙ୍କୁ ସୁରକ୍ଷିତ ରଖିବା ସହ ଦୁର୍ଘଟଣା ହ୍ରାସ କରିବା ପାଇଁ 6 ଗୋଟି ଗୋଶାଳାରେ ସେମାନଙ୍କୁ ରଖାଯାଇଛି । ଭୁବନେଶ୍ୱରକୁ ଆହୁରି ଆଗକୁ ନେବାକୁ ହେଲେ ନାଗରିକମାନଙ୍କର ସହଯୋଗ ଏକାନ୍ତ ଆବଶ୍ୟକ ବୋଲି କହିଛନ୍ତି ବିଏମ୍ ସି କମିଶନର ।

ଏହି ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ବିଏମ୍ ସି ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande