
ଜୟପୁର, ୨୫ ଜୁନ୍ (ହି.ସ.)- ପଞ୍ଜିକରଣ କରି ପାରିନଥିବା ସମଗ୍ର ଚାଷୀଙ୍କ ଧାନକ୍ରୟ ଦାବିରେ ଆଜି ଜୟପୁର ସ୍ଥିତ ଡିଆରସିଏସଙ୍କ କାର୍ଯ୍ୟ।ଳୟ ସମ୍ମୁଖରେ ଧାରଣା ଦିଆଯାଇଛି । କୃଷକ କଲ୍ୟାଣ ମଞ୍ଚ କୋରାପୁଟ ତରଫରୁ ଏହି ଧାରଣା ବିକ୍ଷୋଭ ଦିଆଯାଇଛି । ମଞ୍ଚର ସମ୍ପାଦକ ନରେନ୍ଦ୍ର କୁମାର ପ୍ରଧାନଙ୍କ ନେତ୍ୃତ୍ୱରେ ଶତାଧିକ ଚାଷି ଧାରଣା ଦେଇଥିଲେ । କୋରାପୁଟ ଜିଲାପାଳଙ୍କ ଉଦ୍ଦେଷ୍ୟରେ ଡିଆରସିଏସ ମୋନିକା ରାୟଙ୍କ ଜରିଆରେ ୪ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଜିଲାରେ ରବି ଧାନ ପଞ୍ଜିକରଣ କରି ପାରିନଥିବା ସମସ୍ତ ଚାଷୀଙ୍କ ଧାନ କ୍ରୟ କରାଯାଉ, ଟୋକେନ୍ ଅବଧି ମଧ୍ୟରେ ସମସ୍ତ ଧାନ କ୍ରୟ ସହିତ ସ୍ୱଛତା ଅବଲମ୍ବନ କରାଯାଉ, ଚାଷୀଙ୍କୁ ତୃତୀୟ ଟୋକେନ ପ୍ରଦାନ କରାଯିବା ସହିତ ଖାଲି ଅଖା ଓ ହେଣ୍ଡେଲିଙ୍ଗ ଚାର୍ଜ ପ୍ରଦାନ କରାଯାଉ, ଖରିଫ ଚାଷ ସକାଶେ ସାରର ସୁଷମ ବଣ୍ଟନ ଓ କଳା ବଜାରୀ ବନ୍ଦ କରାଯାଉ ଆଦି ଦାବି ରହିଛି । ଉକ୍ତ ଦାବି ନେଇ ପ୍ରଶାସନିକ ସ୍ତରରେ ବାରମ୍ବାର ସଂଙ୍ଗଠନ ତରଫରୁ ଜଣାଇଥିଲେ ସୁଦ୍ଧା ଚାଷୀ ନ୍ୟାୟ, ହକ ପାଇ ପାରୁ ନାହାଁନ୍ତି । ଯେତେ ଦିନ ଯାଏ ଦାବି ପୁରଣ ନହୋଇଛି ସେତେ ଦିନ ଧାରଣା ଜାରି ରହିବ ବୋଲି ନିଜ ଯିଦ ରେ ଅଟଳ ରହିଥିଲେ । ଉକ୍ତ ଚାଷୀଙ୍କଧାରଣା ଓ ବିକ୍ଷୋଭକୁ କୋରାପୁଟ ଜିଲା କଂଗ୍ରେସ ସମର୍ଥନ ଜଣାଇ ବିକ୍ଷୋଭରେ ସାମିଲ ହୋଇଥିଲେ । ଡିଆରସିଏସଙ୍କ ଅବହେଳା ଯୋଗୁଁ ହଜାର ହଜାର ଚାଷି ପଞ୍ଜିକରଣରୁ ବଞ୍ଚିତ ହୋଇଛନ୍ତି । ସେହି ଧାନକୁ ଧରି ଚାଷି କରିବ କ'ଣ । ବର୍ତ୍ତମାନ ଖରିଫ ଚାଷ ଆରମ୍ଭ ହୋଇ ଗଲାଣି । ଚାଷି ଉତ୍ପାଦନ କରିଥିବା ଧାନ ବିକ୍ରି କରି ପାରୁ ନାହିଁ । ଖରିଫ ଚାଷ କରିବ କିପରି ବୋଲି ଚିନ୍ତାରେ ଅଛି ଚାଷି । ଋଣ ଦେଇଥିବା ସଂସ୍ଥାକୁ ଚାଷି କିପରି ଋଣ ପରିଶୋଧ କରିବ ବୋଲି ପ୍ରଶ୍ନ କରିଛି ।
ଜିଲା ସଭାପତି ରୁପକ ତୁରୁକଙ୍କ ନେତୃତ୍ଵରେ ଚାଷି ଓ ନେତା ମାନେ ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ତହସିଲଦାର ସବ୍ୟସାଚି ଜେନା ପହଞ୍ଚି ବୁଝା ସୁଝା କରିବା ପରେ ସରକାରଙ୍କୁ ଅବଗତ କରାଇ ୨ ଦିନ ଭିତରେ ସମସ୍ୟାର ସମାଧାନ କରିବେ ବୋଲି ଡିଆରସିଏସ ଲିଖିତ ଦେବା ପରେ ଚାଷି ମାନେ ଧାରଣାରୁ ଓହରିିଥିଲେ । ଏହି ବିକ୍ଷୋଭ ଧାରଣାରେ କେ ଶ୍ରିନିବାସ ରାଓ, କୈଳାଶ ଚନ୍ଦ୍ର୍ ନାୟକ, ଗଦାଧର ଷଡଙ୍ଗୀଙ୍କ ସମେତ ଶତାଧିକ ଚାଷି ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି