
କେନ୍ଦ୍ରାପଡା, ୨୫ ଜୁନ୍ (ହି.ସ.)- ଓଡ଼ିଆ ଘରର ଵିଧି ଓ ଶୁଦ୍ଧି ପରମ୍ପରା ରହିଛି। ଜନ୍ମ ଗ୍ରହଣରେ ବିଭିନ୍ନ ପ୍ରକାରର ଵିଧି ରହିଥିବା ବେଳେ ଶୁଦ୍ଧି କାର୍ଯ୍ୟରେ ଅନେକ କାର୍ଯ୍ୟକ୍ରମ ମାନ ରହିଥାଏ। ସବୁ କାର୍ଯ୍ୟକ୍ରମ ପାଇଁ ଅର୍ଥର ଆବଶ୍ୟକ ପଡିଥାଏ କିନ୍ତୁ ଯଦି ଘରେ ଖାଇବାକୁ ଠିକ ରେ ନ ଥାଏ, ପରିବାରରେ ରୋଗ ବ୍ୟାଧି ରହିଥାଏ। ଏହିପରି କିଛି ଦୁଃଖଦ ଖବର ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାର ପଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଗଙ୍ଗାରାମପୁର ପଞ୍ଚାୟତର ପଦ୍ମନାଭପୁର ଗ୍ରାମରେ। ଘରର ମୁଖ୍ୟ ମଦନ ଜେନା ଜଣେ ଦିନ ମଜୁରିଆ ଅଟନ୍ତି। ତାଙ୍କର ଏକମାତ୍ର ପୁଅ କାଳିଆ ଜେନା ବି ଦିନ ମଜୁରୀରେ ଜୀବନ ଅତିବାହିତ କରନ୍ତି। କିଛି ଦିନ ହେବ ମଦନଙ୍କ ଦେହ ଅସୁସ୍ଥ ହେବା ପରେ କାଳିଆ ବାପାଙ୍କ ସେବା ପାଇଁ ଦିନ ମଜୁରୀ କାମରୁ ବିରତ ରହିଥିଲା। ଘରେ ଅଭାବ ଅନାଟନ ଲାଗି ରହିଥାଏ, ରୋଗରେ ବି ସଞ୍ଚିତ ଅର୍ଥ ଖର୍ଚ୍ଚ ହୋଇଗଲା। ହଠାତ ବାପା ମଦନଙ୍କର ମୃତ୍ୟୁ ହୋଇଯାଏ, ପୁଅ କାଳିଆ ପୁରା ହତବାକ ହୋଇଯାଏ। କିପରି ଶୁଦ୍ଧି କାର୍ଯ୍ୟ ହେବ ଏହା ଏବେ ମୁଖ୍ୟ ଚିନ୍ତା। ସବୁ ସ୍ଥାନରୁ ନିରାଶ ହେବା ପରେ ସ୍ଥାନୀୟ ଯୁବକ ବିଭୁତିଙ୍କ ସହାୟତାରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ବିଷୟରେ ଜାଣି ନିଜର ଦୁଃଖ ଜଣାଇଥିଲା। ଏହାପରେ ଟ୍ରଷ୍ଟ ର ମୁଖପାତ୍ର ପ୍ରମୋଦ ନାୟକଙ୍କ ଦ୍ୱାରା ଏକ ଟିମ୍ ଯାଇ ଏହି ଘଟଣାର ଅନୁଧ୍ୟାନ କରିଥିଲେ। ଆଜି ତାଙ୍କର ଦଶ କର୍ମରେ ତାଙ୍କ ପରିବାର ପାଇଁ ବସ୍ତ୍ର, ଏକ ମାସ ପାଇଁ ରାସନ ସାମଗ୍ରୀ, ପନିପରିବା ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଥିଲା। ଟ୍ରଷ୍ଟ ପକ୍ଷରୁ ଦଶ କର୍ମ କରୁଥିବା ବ୍ରାହ୍ମଣ ଓ ବାରିକଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ ମଧ୍ୟ କରାଯଇଥିଲା। ଏପରି ମାନବିକତା କାର୍ଯ୍ୟକ୍ରମ ପାଇଁ ଅଂଚଳ ବାସୀ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତାଙ୍କୁ ସାଧୁବାଦ ଜଣାଇଛନ୍ତି।
ଆଜିର ଏହି କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, ଟ୍ରଷ୍ଟ ର ପରାମର୍ଶଦାତା ନିମାଇଁ ଚରଣ କର, ସାଧାରଣ ସମ୍ପାଦକ ସତ୍ୟବ୍ରତ ପ୍ରଧାନ, ସଂସ୍କୃତି ବିଭାଗୀୟ ଅଧିକାରୀ ସଂଜୀବ ତରାଇ, ଉପଦେଷ୍ଟା ବିଷ୍ଣୁ ଚରଣ ମହାପାତ୍ର, ବୈଭବ ମହାନ୍ତି, ଉତ୍ପଳ ଚାଟାଜି, ହୃଷିକେଶ ମହାନ୍ତି, ମାନସ ପାତ୍ର, ସୁରେନ୍ଦ୍ର ପରିଡା, ବଳରାମ ଦାସ, ବିଶ୍ୱଜିତ ମହାପାତ୍ର ଓ ସୋରୂପ ଜେନାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସମ୍ପାଦନ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ରବି