
ଝାରସୁଗୁଡା, ୨୫ ଜୁନ୍ (ହି.ସ.)- ଝାରସୁଗୁଡା ସଦର ବ୍ଲକ ଅନ୍ତର୍ଗତ ଶ୍ରୀପୁରା ଗ୍ରାମରେ ଏକ ଗୁରୁତର ବିଦ୍ୟୁତ ସମସ୍ୟା ସ୍ଥାନୀୟ ଲୋକଙ୍କ ଚିନ୍ତାର କାରଣ ପାଲଟିଛି। ଗ୍ରାମ ଛକଠାରୁ ଆରମ୍ଭ କରି ଗ୍ରାମ ମଧ୍ୟଦେଇ ଯାଇଥିବା ବିଦ୍ୟୁତ ତାରଗୁଡ଼ିକ ଅତ୍ୟନ୍ତ ବିପଦଜନକ ଅବସ୍ଥାରେ ରହିଥିବାବେଳେ ସେଗୁଡ଼ିକୁ ସରକାରୀ ବିଦ୍ୟୁତ ଖୁମ୍ବ ପରିବର୍ତ୍ତେ ଏକ ଶୁଖିଲା ଗଛ ଓ ଅସ୍ଥାୟୀ ବାଉଁଶ ଖମ୍ବ ସହାୟତାରେ ଟାଣି ନିଆଯାଇଛି।
ବର୍ତ୍ତମାନ ବର୍ଷା ଋତୁ ଆରମ୍ଭ ହୋଇଥିବାରୁ ଓଦା ବାଉଁଶ ଓ ଗଛ ମାଧ୍ୟମରେ ବିଦ୍ୟୁତ ପ୍ରବାହିତ ହେବାର ଆଶଙ୍କା ବଢ଼ିଛି। ଫଳରେ ଯେକୌଣସି ସମୟରେ ବଡ଼ ଧରଣର ଅଘଟଣ ଘଟିବାର ସମ୍ଭାବନା ରହିଥିବାରୁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଏହି ସମସ୍ୟା ସମ୍ପର୍କରେ ବହୁବାର ବିଦ୍ୟୁତ ବିଭାଗର ଉଚ୍ଚ ପଦାଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇନାହିଁ। ଏନେଇ ବଡ଼ମାଳ ବିଦ୍ୟୁତ ସେକ୍ସନର ଜେଇ ସୁଧାଂଶୁ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଉକ୍ତ ଅଞ୍ଚଳ ରେଙ୍ଗାଲି ବିଦ୍ୟୁତ ସେକ୍ସନ ଅଧୀନରେ ଥିବାରୁ ସେମାନେ ସିଧାସଳଖ ହସ୍ତକ୍ଷେପ କରିପାରିବେ ନାହିଁ।
ଉଲ୍ଲେଖଯୋଗ୍ୟ ଯେ, ଶ୍ରୀପୁରା ଗ୍ରାମ ଭୌଗୋଳିକ ଭାବେ ଝାରସୁଗୁଡା ଜିଲ୍ଲାରେ ଥିବାବେଳେ ଏହାର ବିଦ୍ୟୁତ ପରିଚାଳନା ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ସେକ୍ସନ ଅଧୀନରେ ରହିଛି। ଦୁଇ ଜିଲ୍ଲା ମଧ୍ୟରେ ପ୍ରଶାସନିକ ସମନ୍ୱୟର ଅଭାବ ଓ ବିଭାଗୀୟ ଟାଳଟୁଳ ନୀତି ଯୋଗୁଁ ସାଧାରଣ ଲୋକେ ସମସ୍ୟାର ସମ୍ମୁଖୀନ ହେଉଥିବା ସ୍ଥାନୀୟ ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ତୁରନ୍ତ ଏଠାରେ ସ୍ଥାୟୀ ବିଦ୍ୟୁତ ଖୁମ୍ବ ସ୍ଥାପନ ସହ ବିପଦଜନକ ଅବସ୍ଥାରେ ଥିବା ବିଦ୍ୟୁତ ତାରର ମରାମତି କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ