
ଭୁବନେଶ୍ୱର, 25 ଜୁନ (ହି.ସ.) ଆଗାମୀ ଚାଷ ଋତୁକୁ ଦୃଷ୍ଟିରେ ରଖି ଚାଷୀମାନଙ୍କ ପାଇଁ ପର୍ଯ୍ୟାପ୍ତ ଓ ସମୟୋପଯୋଗୀ ସାର ଯୋଗାଣ ସୁନିଶ୍ଚିତ କରିବା ଉପରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଗୁରୁତ୍ୱାରୋପ କରିଛନ୍ତି।
କୁଚିଣ୍ଡାସ୍ଥିତ ଜିଲ୍ଲା କୃଷି କାର୍ଯ୍ୟାଳୟରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କ ସହ ଚାଷୀଙ୍କ ପାଇଁ ସାର ଉପଲବ୍ଧତା ଓ ବିତରଣ ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା କରିଥିଲେ।
ବୈଠକରେ ଚାଷୀମାନେ ଯେପରି ଆବଶ୍ୟକ ସମୟରେ ଓ ପର୍ଯ୍ୟାପ୍ତ ପରିମାଣରେ ସାର ପାଇପାରିବେ, ସେଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସୁନିଶ୍ଚିତ କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।
ମନ୍ତ୍ରୀ କହିଥିଲେ ଯେ, ଚାଷୀଙ୍କ ସ୍ୱାର୍ଥ ସୁରକ୍ଷା ଓ କୃଷି କ୍ଷେତ୍ରର ବିକାଶ ପ୍ରତି ରାଜ୍ୟ ସରକାର ସଦା ପ୍ରତିବଦ୍ଧ। ତେଣୁ ରାଜ୍ୟର କୌଣସି ଅଞ୍ଚଳରେ ସାରର ଅଭାବ ନ ରହିବା ସହ ଚାଷୀମାନେ ନିର୍ଦ୍ଧାରିତ ଦରରେ ସାର ପାଇବାକୁ ସୁନିଶ୍ଚିତ କରିବା ଆବଶ୍ୟକ।
ଏହା ସହିତ ସାର ବିତରଣ ବ୍ୟବସ୍ଥାରେ ସ୍ୱଚ୍ଛତା ରକ୍ଷା କରିବା ଏବଂ ଚାଷୀଙ୍କ ସମସ୍ୟାର ତ୍ୱରିତ ସମାଧାନ କରି କୃଷି କାର୍ଯ୍ୟକୁ ଅଧିକ ସୁଗମ ଓ ଫଳପ୍ରଦ କରିବା ଉପରେ ମଧ୍ୟ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ