
ଝାରସୁଗୁଡ଼ା, ୨୫ ଜୁନ୍ (ହି.ସ): ପଶ୍ଚିମ ଓଡ଼ିଶାରେ ସବୁଜ ଶକ୍ତି ଗ୍ରହଣକୁ ପ୍ରୋତ୍ସାହିତ କରିବା ଏବଂ ଗ୍ରାମୀଣ ସମ୍ପ୍ରଦାୟକୁ ସଶକ୍ତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାର ୟୁଟିଲିଟି-ଲେଡ୍ ଆଗ୍ରିଗେସନ୍ (ୟୁଏଲଏ) ମଡେଲ୍ ଅଧୀନରେ ରୁଫଟପ୍ ସୋଲାର୍ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଝାରସୁଗୁଡ଼ା ସ୍ଥିତ ବେଦାନ୍ତ ଆଲୁମିନିୟମ ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରାଯାଇଅଛି । ବେଦାନ୍ତ ଆଲୁମିନିୟମର ସିଏସଆର୍ ପାଣ୍ଠି ସହାୟତାରେ ଏହାର କାର୍ଯ୍ୟକ୍ଷମ କ୍ଷେତ୍ରରେ ଅବସ୍ଥିତ ଗ୍ରାମଗୁଡ଼ିକର ୪୧୪ ପରିବାରଙ୍କ ଘରର ଛାତ ଉପରେ ସୌର ପ୍ୟାନେଲ୍ ସ୍ଥାପନ କରାଯାଇବାକୁ ସ୍ଥିର କରାଯାଇଅଛି ।
ଗତ ବୁଧବାର ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଟିପିଡବ୍ଲୁଓଡିଏଲ୍ର ଆର୍ôଥକ ଏବଂ ଏବଂ ନିୟାମକ ବ୍ୟାପାର ବିଭାଗର ମୁଖ୍ୟ ମୋହିତ ଜୈନ ଏବଂ ବେଦାନ୍ତ ଆଲୁମିନିୟମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସି. ଚନ୍ଦ୍ରୁ ଙ୍କ ମଧ୍ୟରେ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । ଏହି ଅବସରରେ ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ଏବଂ ଉଭୟ କମ୍ପାନୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଗ୍ରାମୀଣ ଅଞ୍ଚଳରେ ନିମ୍ନ ଆୟ ବର୍ଗର ପରିବାରମାନଙ୍କ ମଧ୍ୟରେ ରୁଫଟପ୍ ସୋଲାରର ବ୍ୟବହାରକୁ ତ୍ୱରାନ୍ୱିତ କରିବା ।
ଏହି ସହଯୋଗୀ ପଦକ୍ଷେପକୁ ପ୍ରଶଂସା କରି ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ କହିଛନ୍ତି, “ଜିଲ୍ଲା ପ୍ରଶାସନ ସବୁଜ ଶକ୍ତିର ପ୍ରସାର ଏବଂ ସମ୍ପ୍ରଦାୟର ବିକାଶ ପାଇଁ ଶିଳ୍ପ ସଂସ୍ଥାଗୁଡ଼ିକୁ ସକ୍ରିୟ ସହଯୋଗ କରିବାକୁ ଉତ୍ସାହିତ କରୁଛି । ଏଭଳି ପଦକ୍ଷେପ ଗ୍ରାମୀଣ ପରିବାରମାନଙ୍କ ପାଖରେ ସ୍ୱଚ୍ଛ ଓ ସୁଲଭ ଶକ୍ତିର ସୁବିଧା ପହଂଚାଇବା ସହିତ ଏକ ସବୁଜ ଓ ସ୍ଥାୟୀ ଭବିଷ୍ୟତ ଗଠନରେ ସହାୟକ ହେବ । ପିଏମ୍ ସୂର୍ଯ୍ୟଘର ଯୋଜନା ଅଧୀନରେ ଏହି ପଦକ୍ଷେପ ଗ୍ରାମୀଣ ସଶକ୍ତିକରଣ ଓ ସ୍ଥାୟୀ ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ।”
ଏହି ସହଯୋଗକୁ ସ୍ୱାଗତ କରି ଟିପିଡବ୍ଲୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରବୀଣ ବର୍ମା କହିଛନ୍ତି, “ସମାଜର ପ୍ରତ୍ୟେକ ବର୍ଗଙ୍କ ପାଖରେ ସୌର ଶକ୍ତିର ସୁବିଧା ପହଂଚାଇବା ପାଇଁ ଟିପିଡବ୍ଲୁଓଡିଏଲ୍ ପ୍ରତିବଦ୍ଧ । ବେଦାନ୍ତ ଆଲୁମିନିୟମ ସହିତ ଏହି ସହଯୋଗ ଗ୍ରାମୀଣ ପରିବାରମାନଙ୍କୁ ସୁଲଭ ଓ ସ୍ୱଚ୍ଛ ଶକ୍ତି ସମାଧାନ ପ୍ରଦାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ୟୁଏଲଏ ମଡେଲ୍ ମାଧ୍ୟମରେ ଆମେ ରୁଫଟପ୍ ସୋଲାର ଗ୍ରହଣ ପ୍ରକ୍ରିୟାକୁ ସହଜ କରୁଛୁ ଏବଂ ପଶ୍ଚିମ ଓଡ଼ିଶା ପାଇଁ ଏକ ସ୍ଥାୟୀ ଓ ଶକ୍ତି-ସୁରକ୍ଷିତ ଭବିଷ୍ୟତ ଗଠନରେ ସହଯୋଗ କରୁଛୁ ।
ପ୍ରଥମ ପର୍ଯ୍ୟାୟରେ ଝାରସୁଗୁଡ଼ା ଜିଲ୍ଲାର ଭୂର୍ଖାମୁଣ୍ଡା, ବଞ୍ଜାରୀ, ବୃନ୍ଦାମାଳ, ଚିତୁଆପଡ଼ା, କାଟିକେଲା, କୁରେବଗା, ସିରିଆପାଲି ଏବଂ ସୁନାରୀମୁଣ୍ଡା ଗ୍ରାମର ୪୧୪ ଜଣ ଯୋଗ୍ୟ ଗ୍ରାହକଙ୍କୁ ଚିହ୍ନଟ କରାଯାଇଛି । ପ୍ରଥମ ପର୍ଯ୍ୟାୟର ସଫଳ କାର୍ଯ୍ୟାନ୍ୱୟନ ପରେ ଟିପିଡବ୍ଲୁଓଡିଏଲ୍ ଓ ବେଦାନ୍ତ ଆଲୁମିନିୟମ ଏହି ପଦକ୍ଷେପକୁ ଆହୁରି ବ୍ୟାପକ କରିବାକୁ ପ୍ରତିବଦ୍ଧ ରହିଛନ୍ତି । ଏଥିପାଇଁ ଉଭୟ କମ୍ପାନୀ ଦ୍ୱିତୀୟ ପର୍ଯ୍ୟାୟରେ ଅଧିକ ଯୋଗ୍ୟ ପରିବାରଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଏକ ସ୍ପଷ୍ଟ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି ।
ଏହି ସହଭାଗିତା ପଶ୍ଚିମ ଓଡ଼ିଶାରେ ସବୁଜ ଶକ୍ତିର ପ୍ରସାର ଏବଂ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଦିଗରେ ଟିପିଡବ୍ଲୁଓଡିଏଲ୍ର ପ୍ରୟାସରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ସାବ୍ୟସ୍ତ ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ