
ମାଲକାନଗିରି, ୨୫ ଜୁନ୍ (ହି.ସ.)- ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ତତ୍ତ୍ୱାବଧାନରେ ସ୍ଵତନ୍ତ୍ର ସଘନ ସଂଶୋଧନ - ୨୦୨୬ କାର୍ଯ୍ୟକ୍ରମ ଅନ୍ତର୍ଗତ କୁଡୁମୁଲୁଗୁମ୍ମା-୧, ୨ ଓ ୩ ଅଞ୍ଚଳର ବୁଥ୍ ନମ୍ବର ୧୭୮, ୧୭୯ ଓ ୧୮୦ ପାଇଁ ବି ଏଲ ଓ -ବି ଏଲ ଏ ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିମାନଙ୍କୁ ଫୁଲତୋଡ଼ା ଏବଂ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। କୁଡୁମୁଲୁଗୁମ୍ମା ଗ୍ରାମପଞ୍ଚାୟତର ସରପଞ୍ଚ ମଙ୍ଗଳା ମାଢ଼ି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତଦାତା ତାଲିକାର ସଠିକତା ଓ ସ୍ୱଚ୍ଛତା ରକ୍ଷା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ସମ୍ମାନୀତ ଅତିଥି ଭାବେ ଖଇରପୁଟ ବିଜୁ ଜନତା ଦଳ ସଭାପତି ସାଧୁ ହନ୍ତାଳ, ସାମ୍ବାଦିକ ପ୍ରତିନିଧି ତଥା ସମାଜସେବୀ ଭଗବାନ ସାହୁ, ଖଇରପୁଟ ଭାଜପା ଉପସଭାପତି ରମାକାନ୍ତ ଧାକଡ଼ ଏବଂ ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ, କୁଡୁମୁଲୁଗୁମ୍ମାର ପ୍ରଧାନ ଶିକ୍ଷକ ବଳରାମ ପୂଜାରୀ ଉପସ୍ଥିତ ରହି ନିର୍ବାଚନ ପ୍ରକ୍ରିୟାରେ ଜନସହଭାଗିତାର ଗୁରୁତ୍ୱ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
ମୁଖ୍ୟବକ୍ତା ଭାବେ ଖଇରପୁଟ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଜ୍ୟୋତିରଞ୍ଜନ ସେଠୀ ଯୋଗଦେଇ ଏସ ଆଇ ଆର ୨୦୨୬ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ବି ଏଲ ଓ, ଓ ବି ଏଲ ଏ ମାନଙ୍କ ଭୂମିକା, ମତଦାତା ତାଲିକା ସଂଶୋଧନ ପ୍ରକ୍ରିୟା ଏବଂ ନିର୍ଭୁଲ ତଥ୍ୟ ସଂଗ୍ରହର ଆବଶ୍ୟକତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ବୈଠକରେ ମତଦାତା ତାଲିକାକୁ ଅଧିକ ସଠିକ ଓ ନିର୍ଭୁଲ କରିବା ନିମନ୍ତେ, ବି ଏଲ ଓ, ଓ ବି ଏଲ ଏ ମାନଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଉପସ୍ଥିତ ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀମାନେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମ୍ମିଳିତ ଭାବେ କାର୍ଯ୍ୟ କରିବାର ଆହ୍ୱାନ ଜଣାଇଥିଲେ।
ମଞ୍ଚ ପରିଚାଳନା ବୁଥ୍ ସ୍ତରୀୟ ଅଧିକାରୀ ସୁଧାକର ନାୟକ କରିଥିଲେ। ଶେଷରେ ଉପସ୍ଥିତ ବିଏଲ ଓ, ବିଏଲ ଏ ଓ ସ୍ଥାନୀୟ ଜନପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇ ବୈଠକ ସମାପ୍ତ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ