
ବଲାଙ୍ଗିର, ୨୫ ଜୁନ୍ (ହି.ସ.) ବିଜୁଳି ସୁବିଧା ପାଇବା ଲୋକଙ୍କ ମୌଳିକ ଅଧିକାର କିନ୍ତୁ ବର୍ତମାନ ଦେଖା ଦେଉଛି ସହର ହେଉ କି ଗାଁ ହେଉ କୌଣସି ବି ଜାଗାରେ ବିନା ସମସ୍ୟାରେ ବିଜୁଳି ଯୋଗାଣ ହୋଇପାରୁନାହିଁ । ଲୋଇସିଂହା ବ୍ଲକ ଅନ୍ତର୍ଗତ କୁସମେଲ ପଂଚାୟତର ଫଟାବାହାଲ ଗାଁ ର ସ୍କୁଲ ପଡା ବାସିନ୍ଦାମାନେ ବିଜୁଳି ସମସ୍ୟା ପାଇଁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ଫଟାବାହାଲ ସ୍କୁଲ ପଡା ଯାହାକି ମୁଖ୍ୟ ରାସ୍ତାରୁ ୧୦୦ ରୁ ୨୦୦ ମିଟର ଭିତରେ ଅବସ୍ଥିତ ସେହି ପଡାରେ ବିଜୁଳି ଅଛି କିନ୍ତୁ ବିଜୁଳି ତାର କଂକ୍ରିଟ ପୋଲ ଦେଇ ସଂଯୋଗ ହୋଇ ନ ଥିବାରୁ ଟିକିଏ ପବନ ହେଲେ କି ବର୍ଷା ହେଲେ ବିଜୁଳି ସରବରାହ ବନ୍ଦ ହୋଇଯାଉଛି । ଗତ କଲି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ସେହି ରାସ୍ତା ଦେଇ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ଯାଉଥିବା ବେଳେ ସ୍କୁଲ ପଡାର ମହିଳାମାନେ ଯୋଜନାବଦ୍ଧ ଭାବେ ନରସିଂହ ମିଶ୍ରଙ୍କ ଗାଡିକୁ ଓଟକାଇଥିଲେ । ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସେମାନେ ଭୋଗୁଥିବା ବିଜୁଳି ସମସ୍ୟା ଉପରେ ଅଭିଯୋଗ କରିବା । ମହିଳାମାନେ କହିଥିଲେ ଯେ ବିଜୁଳି ତାର ସିମେଣ୍ଟ ପୋଲରେ ଯାଇ ନ ଥିବାରୁ ସେମାନେ ବାଧ୍ୟ ହୋଇ ବାଉଁଶ ସାହାଯ୍ୟରେ ରାସ୍ତା ପାର କରି ନିଜ ନିଜ ଘରକୁ ସେହି ବାଉଁଶ ଦେଇ ବିଜୁଳି ନେଇଛନ୍ତି । ଟିକିଏ ବର୍ଷା କି ପବନ ହେଲେ କିମ୍ବା କୌଣସି ଗାଡି ମଟର ରାସ୍ତାରେ ଗଲେ ସେହି ତାର ରେ ବାଜି ବିଦ୍ୟୁତ ତାର ଛିଣ୍ଡି ଯାଉଛି । ବିଭାଗକୁ ଯେତେ ଅଭିଯୋଗ କଲେ ମଧ୍ୟ ସେମାନେ କର୍ଣ୍ଣପାତ କରୁନଥିବାରୁ ଦିନ ଦିନ ଧରି ସେହି ଅଂଚଳରେ ବିଜୁଳି ରହୁନାହିଁ । ଫଳରେ ଲୋକେ ଘୋର ଦୁର୍ଦ୍ଦିନରେ କଳାତିପାତ କରୁଛନ୍ତି ବୋଲି ମହିଳାମାନେ ଶ୍ରୀ ମିଶ୍ରଙ୍କୁ ଅଭିଯୋଗ କରିଥିଲେ । ଏହାକୁ ନେଇ ତୁରନ୍ତ ଶ୍ରୀ ମିଶ୍ର ବିଜୁଳି ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଏବଂ ନିର୍ବାହୀଯନ୍ତ୍ରୀଙ୍କ ସହ ସମସ୍ୟା ବାବଦରେ ଆଲୋଚନା କରିଥିଲେ । ଯେହେତୁ ବିଜୁଳି ସମସ୍ୟାରେ ଥିବା ସ୍କୁଲ ପଡାରେ ଅନେକ ଅନେକ ପରିବାର ଗରିବ ସୀମାରେଖା ତଳେ ଅଛନ୍ତି ଏବଂ ଅନେକ ପରିବାର ବିଭିନ୍ନ ସରକାରୀ ଯୋଜନାର ଲାଭାର୍ôଥ ଅଛନ୍ତି ତେଣୁ ଯେତେ ଶିଘ୍ର ହେବ ସେହି ଜାଗାକୁ ସିମେଣ୍ଟ ପୋଲ ମାଧ୍ୟମରେ ବିଜୁଳି ପ୍ରଦାନ କରାଯାଉ ବୋଲି ଶ୍ରୀ ମିଶ୍ର ବିଭାଗୀୟ ଅଧିକାରୀଙ୍କୁ କହିଥିଲେ । ଉଭୟ ଯନ୍ତ୍ରୀ ଯେତେ ଶିଘ୍ର ହେବ ବାଉଁଶ ବଦଳାଇ ସେ ଜାଗାରେ ସିମେଣ୍ଟ ପୋଲ ମାଧ୍ୟମରେ ବିନା ଦେୟରେ ବିଜୁଳି ତାର ବିଝାଯାଇ ବିଜୁଳି ପ୍ରଦାନ କରାଯାଉ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ । ଏହି ଆଲୋଚନା ବେଳେ ଫଟାବାହାଲ ଗାଁ ର ରିତା ବିଶ୍ୱାଲ, ମମତା ବିଶ୍ୱାଲ, ସନାତନ ବିଶ୍ୱାଲ, ସୁରଭି ବିଶ୍ୱାଲ, କୌଶଲ୍ୟା ବିଶ୍ୱାଲ, ରଏବାରି ବିଶ୍ୱାଲ, ସୁର ବେହେରା, ପ୍ରମିଳା ବଢେଇ, ଯଦୁମଣି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
----------------
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ