
ଚମ୍ପୁଆ, ୨୫ ଜୁନ୍ (ହି.ସ.)- ଚମ୍ପୁଆ ଶିକ୍ଷାମଣ୍ଡଳ ଅଧୀନରେ ଥିବା ଏକାଧିକ ସରକାରୀ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିଦ୍ୟାଳୟ ଗୁଡ଼ିକରେ କାର୍ଯ୍ୟରତ କିଛି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମନମାନୀ ଏବଂ ସ୍ୱେଚ୍ଛାଚାରିତା ଯୋଗୁଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଗତି କରୁଛି। ସରକାରୀ ନିୟମ ଏବଂ ନିୟମିତ ସମୟ ସାରଣୀକୁ ବେଖାତିର କରି ଶିକ୍ଷକମାନେ ନିଜ ମନଇଚ୍ଛା ବିଦ୍ୟାଳୟକୁ ଆସୁଛନ୍ତି ଓ ଯାଉଛନ୍ତି ।
ସ୍ଥାନୀୟ ଅଭିଭାବକ ଓ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଶିକ୍ଷକମାନେ କେତେବେଳେ ସ୍କୁଲ ଆସୁଛନ୍ତି ଏବଂ କେତେବେଳେ ପ୍ରସ୍ଥାନ କରୁଛନ୍ତି, ତାହାର କୌଣସି ଠିକଣା ରହୁନାହିଁ। ନିଜ ସୁବିଧା ଏବଂ ମନମୁଖୀ ଢଙ୍ଗରେ ସ୍କୁଲ ପରିଚାଳନା କରାଯାଉଛି। ଏଭଳି ବ୍ୟବସ୍ଥା ଯୋଗୁଁ ନିର୍ଦ୍ଧାରିତ ସମୟରେ ଶ୍ରେଣୀ ଗୃହରେ ଶିକ୍ଷାଦାନ ହୋଇପାରୁ ନାହିଁ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ସମ୍ବେଦନଶୀଳ ସମସ୍ୟାର ସୁଧାର ପାଇଁ ଚମ୍ପୁଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି ହୋଇଛି। ପ୍ରତ୍ୟେକ ବିଦ୍ୟାଳୟର ମୁଖ୍ୟ ଫାଟକ ନିକଟରେ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କର ସରକାରୀ ସମୟ ସାରଣୀ ସମ୍ବଳିତ ଏକ ସ୍ପଷ୍ଟ ନୋଟିସ୍ ବୋର୍ଡ ଲଗାଇବାକୁ ଅଭିଭାବକମାନେ ଦାବି କରିଛନ୍ତି। ଯାହାଦ୍ୱାରା ଶିକ୍ଷକମାନଙ୍କ ଆଗମନ ଓ ପ୍ରସ୍ଥାନ ସମୟ ସର୍ବସାଧାରଣରେ ସ୍ପଷ୍ଟ ଜଣାପଡ଼ିବ। ତା ସହିତ ସ୍କୁଲ ସମୟରେ ଅନୁପସ୍ଥିତ ରହୁଥିବା, ନିୟମିତ ବିଳମ୍ବରେ ଆସୁଥିବା ଏବଂ ମନଇଚ୍ଛା ସ୍କୁଲ ଛାଡୁଥିବା ଅମାନିଆ ଶିକ୍ଷକମାନଙ୍କ ବିରୋଧରେ ଉଚ୍ଚପଦସ୍ଥ ଅଧିକାରୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦୃଢ଼ ଦାବି ହେଉଛି ।
ହିନ୍ଦୁସ୍ଥାନ ସମାଚାର / Trinath Mahanta