ପଦମପୁର–ଜରିମୁଳି ନିର୍ମାଣାଧୀନ (ସମ୍ପର୍କସେତୁ) ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ
Collector review on jarimuli bridge
Jarimuli bridge


ଝାରସୁଗୁଡା, ୨୬ ଜୁନ୍ (ହି.ସ.)- ଝାରସୁଗୁଡା ଜିଲ୍ଲାପାଳ କୁଣାଲ ମୋତିରାମ ଚୱାଣ ଆଜି ଝାରସୁଗୁଡା ଜିଲ୍ଲାର ପଦମପୁର ଓ ବରଗଡ଼ ଜିଲ୍ଲାର ଜରିମୂଳିକୁ ସଂଯୋଗ କରୁଥିବା ନିର୍ମାଣାଧୀନ ସମ୍ପର୍କ ସେତୁ ପ୍ରକଳ୍ପ ପରିଦର୍ଶନ କରି ଚାଲିଥିବା ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ।

ପରିଦର୍ଶନ ସମୟରେ ଜିଲ୍ଲାପାଳ ସେତୁର ବିଭିନ୍ନ ଅଂଶରେ ଚାଲିଥିବା କାର୍ଯ୍ୟ ଯାଞ୍ଚ କରିବା ସହିତ ନିର୍ମାଣର ଗୁଣାତ୍ମକ ମାନ ବଜାୟ ରଖି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ସମାପ୍ତ କରିବାକୁ ସମ୍ପୃକ୍ତ ଅଧିକାରୀ ଓ ନିର୍ମାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ। ସେ ପ୍ରକଳ୍ପର ପ୍ରଗତି, କାର୍ଯ୍ୟର ଗୁଣବତ୍ତା ଏବଂ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ସମୀକ୍ଷା କରିଥିଲେ।

ଏହି ସେତୁ ନିର୍ମାଣ ସମ୍ପୂର୍ଣ୍ଣ ହେବା ପରେ ଝାରସୁଗୁଡା ଓ ବରଗଡ଼ ଜିଲ୍ଲା ମଧ୍ୟରେ ଯାତାୟାତ ବ୍ୟବସ୍ଥା ଅଧିକ ସୁଗମ ଓ ସୁବିଧାଜନକ ହେବ। ଏଥିସହ ସ୍ଥାନୀୟ ଅଞ୍ଚଳର ବାଣିଜ୍ୟ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସାମାଜିକ କ୍ଷେତ୍ରର ବିକାଶକୁ ନୂତନ ଗତି ମିଳିବ। ସେତୁଟି ଦୁଇ ଜିଲ୍ଲା ମଧ୍ୟରେ ସଂଯୋଗକୁ ସୁଦୃଢ଼ କରି ଲୋକଙ୍କ ଯାତାୟାତ ସମୟ ଓ ଦୂରତା ହ୍ରାସ କରିବ ବୋଲି ଆଶା କରାଯାଉଛି।

ସ୍ଥାନୀୟ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ଅନୁଯାୟୀ ନିର୍ମିତ ହେଉଥିବା ଏହି ସେତୁ ଯୋଗୁଁ ଦୁଇ ଜିଲ୍ଲା ମଧ୍ୟରେ ଦୂରତା ହ୍ରାସ ପାଇବା ସହ ବାଣିଜ୍ୟ, କୃଷି ଓ ଯୋଗାଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ ସୁବିଧା ମିଳିବ ବୋଲି ଆଶା କରାଯାଉଛି।

ଏହି ପରିଦର୍ଶନ ସମୟରେ ଅତିରିକ୍ତ ତହସିଲଦାର, ଲଖନପୁରର କୁଳମଣି ଦଳେଇ, ଓଡିଶା ସେତୁ ଓ ନିର୍ମାଣ ସଂସ୍ଥାର କନିଷ୍ଠ ଯନ୍ତ୍ରୀ ଗୋଲାପ କିସାନ, ଗାୟତ୍ରୀ ଠିକା ସଂସ୍ଥାର ପ୍ରତିନିଧି ରାଜୀବ ଲୋଚନ, ସମ୍ପୃକ୍ତ ବିଭାଗର ଅନ୍ୟାନ୍ୟ ଅଧିକାରୀ, ଯନ୍ତ୍ରୀ ଏବଂ ନିର୍ମାଣ ସଂସ୍ଥାର କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande