ଧାମନଗରରେ ସଦଭାବନାର ବାର୍ତା ନେଇ ପାଳିତ ହେଲା ମହରମ, କଳିଙ୍ଗ କ୍ଲବ ପକ୍ଷରୁ ଭାଇଚାରାର ସମ୍ବର୍ଦ୍ଧନା
ଭଦ୍ରକ, ୨୬ ଜୁନ୍ (ହି.ସ.) - ଏହି ଜିଲାର ଧାମନଗର ଅଂଚଳରେ ମହରମ ପର୍ବ ଶାନ୍ତି, ସୌହାର୍ଦ୍ଦ୍ୟ ଏବଂ ଭାଇଚାରାର ବାତାବରଣ ମଧ୍ୟରେ ପାଳିତ ହୋଇଯାଇଛି। ଏହି ଅବସରରେ ଆଜି ସକାଳେ ଧାମନଗର ଶାନ ବଜାଇ ଠାରେ ''କଳିଙ୍ଗ କ୍ଲବ'' ପକ୍ଷରୁ ଏକ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କା
DHAMNAGAR KALINGA CLUB BHAICHARA SAMBARDHANA


ଭଦ୍ରକ, ୨୬ ଜୁନ୍ (ହି.ସ.) - ଏହି ଜିଲାର ଧାମନଗର ଅଂଚଳରେ ମହରମ ପର୍ବ ଶାନ୍ତି, ସୌହାର୍ଦ୍ଦ୍ୟ ଏବଂ ଭାଇଚାରାର ବାତାବରଣ ମଧ୍ୟରେ ପାଳିତ ହୋଇଯାଇଛି। ଏହି ଅବସରରେ ଆଜି ସକାଳେ ଧାମନଗର ଶାନ ବଜାଇ ଠାରେ 'କଳିଙ୍ଗ କ୍ଲବ' ପକ୍ଷରୁ ଏକ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଧାମନଗର ଅଞ୍ଚଳର ଉଭୟ ସମ୍ପ୍ରଦାୟର ବରିଷ୍ଠ ବ୍ୟକ୍ତିବିଶେଷ, ସାମ୍ବାଦିକ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଭାଇଚାରାର ସହ ସମ୍ବର୍ଦ୍ଧିତ କରାଯାଇଥିଲା। କଳିଙ୍ଗ କ୍ଲବ ର ସକ୍ରିୟ କାର୍ଯ୍ୟକର୍ତା ମିରି ମୁର୍ତୁଜା, ସେକ ସମର, ସେକ ସରାଫର ଏବଂ ସେକ ଟିକୋ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ଉତ୍ସବର ଅଂଶବିଶେଷ ଭାବେ ପାରମ୍ପରିକ ବାଡ଼ି ଖେଳ ପ୍ରଦର୍ଶିତ ହୋଇଥିଲା। ସନ୍ଧ୍ୟା ସମୟରେ କରବଲା ମଇଦାନ ଠାରେ ବାଡ଼ି ଖେଳର ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯାହା ଦେଖିବା ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ସମାଗମ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ, ମହରମ ହେଉଛି ତ୍ୟାଗ ଓ ବଳିଦାନର ପର୍ବ। ଇସଲାମୀୟ କ୍ୟାଲେଣ୍ଡରର ପ୍ରଥମ ମାସ ହୋଇଥିବାରୁ ଏହାକୁ ଅତ୍ୟନ୍ତ ପବିତ୍ର ଭାବେ ଗ୍ରହଣ କରାଯାଏ। ବିଶେଷକରି କରବଲା ଯୁଦ୍ଧରେ ହଜରତ ଇମାମ ହୁସେନଙ୍କ ବଳିଦାନର ସ୍ମୃତିକୁ ଏହି ଦିନରେ ଶ୍ରଦ୍ଧାର ସହ ସ୍ମରଣ କରାଯାଏ। ଧାମନଗରରେ ଏହି ପର୍ବକୁ କେବଳ ଧାର୍ମିକ ନୁହେଁ, ବରଂ ସାମାଜିକ ସଦଭାବର ପ୍ରତୀକ ଭାବେ ପାଳନ କରିବା ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଏକତାକୁ ଆହୁରି ମଜଭୁତ କରିଛି।ଏହି ସମସ୍ତ କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳାର ସହ ସମ୍ପାଦନ କରିବା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ପ୍ରଶାସନର କଡ଼ା ନଜର ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ ଯୋଗୁଁ ସମଗ୍ର ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବେ ପର୍ବ ସମ୍ପନ୍ନ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande