
କେନ୍ଦୁଝର, ୨୬ ଜୁନ୍ (ହି.ସ.) - କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରି ଟାଙ୍ଗରାଣୀପାଟ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ମା' ଟାଙ୍ଗରାଣୀପାଟ ଫାମର୍ସ ପ୍ରଡ୍ୟୁସର୍ସ କମ୍ପାନୀ ଲିଃ, ମା' ଟାଙ୍ଗରାଣୀପାଟ ୟୁଥ କ୍ଲବ୍ ଓ ଭରଷା ପରିବାର ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଧାକାନ୍ତ ମହାନ୍ତଙ୍କ ନେତୃତ୍ୱରେ ସମ୍ପନ୍ନ ହୋଇଥିଲା। କାର୍ଯ୍ୟକ୍ରମକୁ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଉଦ୍ଘାଟନ କରି ରକ୍ତଦାନର ମହତ୍ୱ ଉପରେ ଆଲୋକପାତ କରିଥିଲେ। ଶିବିରରେ ବିଧାୟକଙ୍କ ପ୍ରତିନିଧି କମଳାକାନ୍ତ ଦାଶ, ଲମ୍ବଧର ମହାନ୍ତଙ୍କ ସମେତ ବହୁ ବିଜେପି ନେତା, କର୍ମୀ, ସମାଜସେବୀ ଓ ଯୁବ ସ୍ୱେଚ୍ଛାସେବକ ଯୋଗଦେଇ ରକ୍ତଦାନ କରିଥିଲେ। ଶିବିରରେ ମୋଟ ୫୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ମା' ଟାଙ୍ଗରାଣୀପାଟ ଫାର୍ମର୍ସ କମ୍ପାନୀର ଡାଇରେକ୍ଟର କମଳ ଲୋଚନ ମହାନ୍ତ ପରିଚାଳନା କରିଥିବାବେଳେ, ମା' ଟାଙ୍ଗରାଣୀ ୟୁଥ ଯୁବକ ସଂଘର ସଭାପତି ରାମଚନ୍ଦ୍ର ମହାନ୍ତ ଓ ଘଣା ମେଡିକାଲର ସଞ୍ଜୀବ କୁମାର ଘଣା କାର୍ଯ୍ୟକ୍ରମ ପରିଚାଳନା ଓ ରକ୍ତ ସଂଗ୍ରହରେ ସକ୍ରିୟ ସହଯୋଗ କରିଥିଲେ। ମେଡିକାଲ୍ ଟିମ୍ର ତତ୍ୱାବଧାନରେ ରକ୍ତ ସଂଗ୍ରହ ସୁରକ୍ଷିତ ଭାବେ ସମ୍ପନ୍ନ ହୋଇଥିଲା। ଶେଷରେ ଆୟୋଜକଙ୍କ ପକ୍ଷରୁ ସମସ୍ତ ରକ୍ତଦାତା, ଅତିଥି ଓ ସହଯୋଗୀମାନଙ୍କୁ କୃତଜ୍ଞତା ଜଣାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA