
ଭୁବନେଶ୍ୱର, ୨୬ ଜୁନ୍ (ହି.ସ)- ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ପୂର୍ବତନ ମନ୍ତ୍ରୀ, ଗାନ୍ଧୀ ମଣିଷ ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ସ୍ମୃତିରେ ପ୍ରତିବର୍ଷ ଭଳି ଚଳିତବର୍ଷ ତାଙ୍କର ଜନ୍ମ ଶତବାର୍ଷିକ ଉତ୍ସବରେ ୨୦୨୬ ବର୍ଷ ପାଇଁ ପୂର୍ବତନ ମନ୍ତ୍ରୀ ଜଗ୮ ନ୍ନାଥ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସୁଆର ଓ କଳାହାଣ୍ଡିର ଶ୍ରୀରାମକୃଷ୍ଣ ଆଶ୍ରମକୁ “ଗାନ୍ଧୀଗୌରବ ସମ୍ମାନ-୨୦୨୬” ପ୍ରଦାନ କରାଯିବ ବୋଲି ମହାତ୍ମାଗାନ୍ଧୀ ଅହିଂସା ଐତିହ୍ୟ ଟ୍ରଷ୍ଟର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି।
ଆସନ୍ତା ୨୮ ତାରିଖ ରବିବାର ସନ୍ଧ୍ୟାରେ ଗୀତଗୋବିନ୍ଦ ସଦନ ସଭାଗୃହରେ ବରିଷ୍ଠ ସନ୍ଥ ପୂଜ୍ୟ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ମହାରାଜ ଏହି ସମ୍ମାନ ପ୍ରଦାନ କରିବେ। ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, କଟକ ମହାନଗର ନିଗମର ମେୟର ସୁବାସ ସିଂହ, ପୂର୍ବତନ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି ଓ ମୁଖ୍ୟବକ୍ତା ଭାବେ ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥୀ ଯୋଗ ଦେବେ ବୋଲି ମ୍ୟାନେଜିଂ ଟ୍ରଷ୍ଟି ଡଃ ବୁଦ୍ଧଦେବ ମିଶ୍ର ସୂଚନା ଦେଇଛନ୍ତି। ସେହିପରି ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ସ୍ୱର୍ଗତ ପ୍ରଧାନଙ୍କ ସହଯୋଗୀ ମିର୍ଜା ଜାହାଦିନ ବେଗ, ଦଣ୍ଡୁଆସୀପଡ଼ା କଟକର ହୃଷିକେଶ ଜେନା, କଟକ ଚାଉଳିଆଗଞ୍ଜ ପୂଜା କମିଟିର ସଭାପତି ଶିବ ପ୍ରସାଦ ସାହୁ, କଟକ ମହାନଗର ନିଗମର କର୍ପୋରେଟର ସନ୍ତୋଷ କୁମାର ଭୋଳ, ନୂଆଗଡ଼ କଟକର ପୀତବାସ ମହାପାତ୍ର, କଟକ ବ୍ରାହ୍ମଣଝରିଲୋର ବିଜୟ କୁମାର ମହାନ୍ତି, କଟକ ଜିଲ୍ଲା ପରିଷଦ ଉପସଭାନେତ୍ରୀ ସୁଭଦ୍ରା ଦାସ, କଟକ ନିମେଇଶାପୁର ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ରାଉତରାୟ, କଟକ ଚଉଦ ଦିଗଭାଗ ସଂକୀର୍ତ୍ତନ ମଣ୍ଡଳୀର ସର୍ବମହନ୍ତ ସୁରେନ୍ଦ୍ର କୁମାର ପଣ୍ଡା, କଟକ ବୟାଲିଶ ମୌଜାର ରାମଚନ୍ଦ୍ର ଗୋଛାୟତ ଓ ଚାଟାର୍ଡ ଆକାଉଣ୍ଟାଣ୍ଟ ଡଃ ସଞ୍ଜୟ ବେହୁରା ପ୍ରମୁଖଙ୍କୁ ସ୍ୱାମିଜୀ ସମ୍ବର୍ଦ୍ଧିତ କରିବେ। ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ସିଂହ, ଟ୍ରଷ୍ଟି ପୁଷ୍ପରାଜ ପ୍ରଧାନ, ପୃଥ୍ୱୀରାଜ ପ୍ରଧାନ ଓ ପ୍ରଜ୍ଞାରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା