ବୁଦ୍ଧିଜୀବୀ ସମ୍ମିଳନୀରେ ସରକାରଙ୍କ ଦୁଇ ବର୍ଷର ବିକାଶ କାର୍ଯ୍ୟର ଚିତ୍ର ଉପସ୍ଥାପନ
Intellectual conference by BJP
Intellectual conference


ଝାରସୁଗୁଡ଼ା, ୨୬ ଜୁନ୍ (ହି.ସ.) - ଝାରସୁଗୁଡ଼ା ସହରର ବଢ଼େଇମୁଣ୍ଡାସ୍ଥିତ ଇଞ୍ଜିନିୟରିଂ ସ୍କୁଲ ପରିସରରେ ଶୁକ୍ରବାର ନିର୍ବାଚନମଣ୍ଡଳୀ ସ୍ତରୀୟ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ପଂଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ଓ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗଦେଇ ସରକାରଙ୍କ ଦୁଇ ବର୍ଷର ବିକାଶମୂଳକ କାର୍ଯ୍ୟର ବିବରଣୀ ଉପସ୍ଥାପନ କରିଥିଲେ।

ମନ୍ତ୍ରୀ ନାଏକ କହିଥିଲେ ଯେ, ଡବଲ ଇଞ୍ଜିନ ସରକାର ଅଧୀନରେ ଝାରସୁଗୁଡ଼ାରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି ଏବଂ ସହର ସହ ଗ୍ରାମାଂଚଳରେ ବିଭିନ୍ନ ଯୋଜନାର ସଫଳ ରୂପାୟନ ହେଉଛି। ବିଧାୟକ ତ୍ରିପାଠୀ କହିଥିଲେ ଯେ, ୨୦୨୪-୨୫ ଓ ୨୦୨୫-୨୬ ଆର୍ôଥକ ବର୍ଷରେ ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ, କୃଷି ଏବଂ ଭିତିଭୂମି କ୍ଷେତ୍ରରେ ବ୍ୟାପକ କାର୍ଯ୍ୟ ସମ୍ପାଦିତ ହୋଇଛି।

ସ୍ୱାସ୍ଥ୍ୟ କ୍ଷେତ୍ରରେ ୩୪୧.୪୦ କୋଟି ଟଙ୍କାରୁ ଅଧିକ ବିନିଯୋଗ କରାଯାଇଥିବା ବେଳେ ୧୦୦ ଶଯ୍ୟା ବିଶିଷ୍ଟ କାର୍ଡିଆକ ହସ୍ପିଟାଲ, ମଙ୍ଗଳବଜାର ସାଟେଲାଇଟ ହସ୍ପିଟାଲ, ମୁଣ୍ଡାମହୁଲ ଓ କୋଲାବିରାରେ ନୂତନ ସିଏଚସି ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କ୍ରିଟିକାଲ କେୟାର ବ୍ଲକ ନିର୍ମାଣ କରାଯାଇଥିବା ସୂଚନା ଦିଆଯାଇଥିଲା।

ଶିକ୍ଷା କ୍ଷେତ୍ରରେ ୯୧.୧୭ କୋଟି ଟଙ୍କା ବ୍ୟୟରେ ୧୦୩ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ବେଳେ ‘ପିଏମ୍ ଶ୍ରୀ’ ଯୋଜନାରେ ୧୧ଟି ବିଦ୍ୟାଳୟର ଆଧୁନିକୀକରଣ କରାଯାଇଛି। ପୌରାଂଚଳରେ ବୈଜ୍ଞାନିକ ବର୍ଜ୍ୟବସ୍ତୁ ପରିଚାଳନା, ମଲ୍ଟି-ୟୁଟିଲିଟି କମର୍ସିଆଲ କମ୍ପେ୍ଲକ୍ସ, ନୂତନ ପୌର କାର୍ଯ୍ୟାଳୟ ଭବନ ଓ ଆଧୁନିକ ଗୋଶାଳା ନିର୍ମାଣ କାର୍ଯ୍ୟ ସମ୍ପର୍କରେ ମଧ୍ୟ ସୂଚନା ରଖାଯାଇଥିଲା।

ମହିଳା ସଶକ୍ତିକରଣ, କୌଶଳ ବିକାଶ, ‘ନୂଆ ଓଡ଼ିଶା’ ଯୋଜନା, କୃଷକ ପଞ୍ଜୀକରଣ, ଡିଜିଟାଲ କ୍ରପ୍ ସର୍ଭେ, ‘ଶ୍ରୀ ଅନ୍ନ ଅଭିଯାନ’ ଓ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ଭଳି ବିଭିନ୍ନ କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା।

ଏହି ଅବସରରେ ‘ବିକାଶର ଧାରା, ଓଡ଼ିଶା ସାରା – ଦୁଇ ବର୍ଷର ପ୍ରୟାସ’ ଶୀର୍ଷକ ପୁସ୍ତକକୁ ମନ୍ତ୍ରୀ ରବିନାରାୟଣ ନାଏକ ଓ ବିଧାୟକ ଟଙ୍କଧର ତ୍ରିପାଠୀ ଲୋକାର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ବୁଦ୍ଧିଜୀବୀ, ଶିକ୍ଷାବିତ୍, ସମାଜସେବୀ, ଗଣମାଧ୍ୟମ ପ୍ରତିନିଧି ଓ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande