
ଝାରସୁଗୁଡ଼ା, ୨୬ ଜୁନ୍ (ହି.ସ.) - ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଜିଲ୍ଲା ଅବକାରୀ ବିଭାଗ, ଝାରସୁଗୁଡ଼ାର ମିଳିତ ଆନୁକୂଲ୍ୟରେ ଜିଲ୍ଲା ଖଣିଜ ପାଣ୍ଠି ପ୍ରେକ୍ଷାଳୟଠାରେ ଆନ୍ତର୍ଜାତୀୟ ନିଶା ଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚୋରାଚାଲାଣ ବିରୋଧ ଦିବସ-୨୦୨୬ ପାଳିତ ହୋଇଯାଇଛି।
ଏହି ଅବସରରେ ସକାଳ ୭ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ କିଷାନ ଛକ ଓ ବେହେରାମାଲ ଛକ ଦେଇ ପୁନର୍ବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ବ୍ରଜବନ୍ଧୁ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ପ୍ରଦର୍ଶନ କରି ପଦଯାତ୍ରାର ଶୁଭାରମ୍ଭ କରିଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ବ୍ରହ୍ମକୁମାରୀ ଅନୁଷ୍ଠାନର ରୀନା (ମୁଖ୍ୟ ବକ୍ତା), ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ସୁନନ୍ଦ ମହାରଣା ଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତାମାନେ ଉପସ୍ଥିତ ଥିଲେ।
ପ୍ରାରମ୍ଭରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ କୁମାର ନାୟକ ସମସ୍ତଙ୍କୁ ସ୍ୱାଗତ ଜଣାଇ ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ପରେ ପୂର୍ବରୁ ଆୟୋଜିତ ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।
ଏହାପରେ ବେଳପାହାଡ଼ସ୍ଥିତ ମିରର ଥିଏଟର ପକ୍ଷରୁ ନିଶାସେବନର କୁପ୍ରଭାବ ଉପରେ ପର?୍ୟ୍ୟବେଷିତ ଏକ ସଚେତନତାମୂଳକ ଗୀତିନାଟ୍ୟ ପରିବେଷଣ କରାଯାଇଥିଲା, ଯାହା ଉପସ୍ଥିତ ଦର୍ଶକଙ୍କୁ ସଚେତନ କରିବା ସହ ବେଶ୍ ପ୍ରଭାବିତ କରିଥିଲା।
ଶେଷରେ କନିଷ୍ଠ କିରାଣି ଆଦିତ୍ୟ କୁମାର ବାଦୀ ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜ୍ଞାପନ କରି କାର୍ଯ୍ୟକ୍ରମର ସମାପନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ