
ବଲାଙ୍ଗିର, ୨୬ ଜୁନ୍ (ହି.ସ.)- ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ତାଙ୍କ ପୂର୍ବତନ ନିର୍ବାଚନ ମଣ୍ଡଳିି ଲୋଇସିଂହା ଗସ୍ତ ସମୟରେ ଅଚାନକ ଚାଷୀଙ୍କ ଅଭିଯୋଗ ପାଇ କୁଶଙ୍ଗ ସ୍ଥିତ କୁଶଙ୍ଗ ପ୍ରାଥମିକ କୃଷି ସମବାୟ ସେବା ସମିତି ଲିଃ (ଧାନ ମଣ୍ଡି) କୁ ପରିଦର୍ଶନରେ ଯାଇଥିଲେ । ସେଠାକାର ଅବସ୍ଥା ଯାହା ଥିଲା ଶ୍ରୀ ମିଶ୍ର ସେ ସବୁକୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ । ଧାନ କିଣା ଠିକ୍ ଠିିକ୍ ଚାଲିଛି ବୋଲି କହୁଥିବା ରାଜ୍ୟ ସରକାର ସମ୍ପୁର୍ଣ୍ଣ ଭୁଆଁ ବୁଲାଉଛନ୍ତି ବୋଲି ଏହି ପରିଦର୍ଶନରେ ଜଣାପଡିଥିଲା । ଏହି ମଣ୍ଡିରେ ପଞ୍ଜିକୃତ ଚାଷିମାନେ ୧୫ ହଜାର ୭୦୦ କ୍ୱିଣ୍ଟାଲ ଧାନ ବିକିବା ପାଇଁ ଟୋକନ ଇସୁ ହୋଇଥିଲେ ହେଁ ଏ ପର୍ଯ୍ୟନ୍ତ ମାତ୍ର ୯ ହଜାର ୭୦୦ କ୍ୱିଣ୍ଟାଲ ଧାନ ଉଠାଇବା ପାଇଁ ଟାର୍ଗେଟ ଆସିଛି । ବାକି ରହିଯାଇଥିବା ପାଖାପାଖିି ୬ ହଜାର କ୍ୱିଣ୍ଟାଲ ଧାନ ପାଇଁ ଟୋକନ ପାଇଥିଲେ ହେଁ ଟାର୍ଗେଟ ଆସି ନ ଥିବାରୁ ଚାଷୀମାନଙ୍କ ଧାନ ବିକ୍ରି ହୋଇପାରୁନାହିଁ । ଏଥିରୁ ସ୍ପଷ୍ଟ ଭାବେ ଜଳ ଜଳ ହୋଇ ଦିଶୁଛି ଯେ ଚାଷୀମାନଙ୍କ ପାଇଁ କୁମ୍ଭିର କାନ୍ଦଣା କାନ୍ଦୁଥିବା ସରକାରରେ ଚାଷୀମାନେ ଅଭାବି ବିକ୍ରି ଶିକାର ହେଉଛନ୍ତି ବୋଲି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ।
ସେ କହିଛନ୍ତି ଯେ, ୧୫ ହଜାର ୭୦୦ କ୍ୱିଣ୍ଟାଲ ଧାନ ପାଇଁ ଏହି ମଣ୍ଡିରେ ପର୍ଯ୍ୟାପ୍ତ ଭିତ୍ତିଭୂମିିର ବ୍ୟବସ୍ଥା ର ସରକାର କରି ପାରିନାହାନ୍ତି । ଏହି ଦୁଇ -ତିନି ଦିନ ବର୍ଷାରେ ଶହ ଶହ ବସ୍ତା ଧାନ ଖୋଲା ଆକାଶ ତଳେ ଥିବାରୁ ସମ୍ପୁର୍ଣ୍ଣ ଭିଜି ନଷ୍ଟ ହୋଇଯାଉଛି ତେଣୁ ସେଠାରେ ଉପସ୍ଥିତ ଚାଷୀମାନେ ଆଉ ଏକ ଛାଉଣିର ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି । ତା' ସହ ସମ୍ପୁର୍ଣ୍ଣ ମଣ୍ଡି ଏରିଆକୁ ସମତଳ କରି କଂକ୍ରିଟ କରିଦେଲେ ଚାଷୀମାନଙ୍କ ଧାନ ନଷ୍ଟ ହେବାରୁ ରକ୍ଷା ହୋଇପାରିବ ବୋଲି ଲୋକ ଶ୍ରୀ ମିଶ୍ରଙ୍କ ଆଗରେ ଦାବି କରିଛନ୍ତି । ଏସବୁ ସମସ୍ୟାକୁ ନେଇ ତୁରନ୍ତ ଶ୍ରୀ ମିଶ୍ର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଫୋନ ଯୋଗେ ଆଲୋଚନା କରିଥିଲେ । ଚାଷୀ ଭୋଗୁଥିବା ସମସ୍ୟା ମୁଖ୍ୟତଃ ଟାର୍ଗେଟ କାହିଁକି ଆସୁନାହିଁ ବୋଲି ପ୍ରଶ୍ନ କରିଥିଲେ । ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଦିନେ ଦୁଇ ଦିନ ଭିତରେ ଟାର୍ଗେଟ ଆସିଯିବ ତେଣୁ କୁଶଙ୍ଗର ଚାଷୀମାନେ ଭୋଗୁଥିବା ସମସ୍ୟା ଶିଘ୍ର ସମାଧାନ ହେଇଯିବ ବୋଲି ପୂର୍ବତନ ଆଇନମନ୍ତ୍ରୀଙ୍କୁ ପ୍ରତିଶୃତି ଦେଇଥିଲେ । ତା' ସହ ବର୍ଷା ପାଣିିରୁ ରକ୍ଷା ପାଇବା ପାଇଁ ନୂତନ ପିଣ୍ଡି ସହ ଛାଉଣି ଏବଂ ନୂତନ ଅଫିସ ଗୃହ ନିର୍ମାଣ ଦିଗରେ ଶିଘ୍ର ପଦକ୍ଷେପ ନେବେ ବୋଲିି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ନିର୍ଭର ପ୍ରତିଶୃତି ଦେଇଥିଲେ ।
ଆଜିର ଏହି ପରିଦର୍ଶନ ସମୟରେ ଶଙ୍କର ପୃଷ୍ଟି, ସୁରେଶ କୁମାର ପଟେଲ, ଶୁଶାନ୍ତ ପଟେଲ, ଗୌନ୍ତିଆ ବୃନ୍ଦାବନ ପଟେଲ, ଯଦୁମଣି ପ୍ରଧାନ, ସମବାୟ ସମିତି ସଭାପତି ସୋମନାଥ ପଟେଲଙ୍କ ସମେତ ଅଂଚଳର ଚାଷୀମାନେ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ