
ଭୁବନେଶ୍ୱର, 26 ଜୁନ (ହି.ସ.) ଓଡ଼ିଶା ଭିଜିଲାନ୍ସ ବିଭାଗ ନବରଙ୍ଗପୁର ଜିଲ୍ଲା ରାଇଘରରେ ତାଲିମରତ ପଶୁଧନ ନିରୀକ୍ଷକ ( ପ୍ରଫୁଲ୍ଲ ହାଲଦାରଙ୍କୁ 80,000 ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଗିରଫ କରିଛି।
ଭିଜିଲାନ୍ସ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଅଧିକାରୀ ରାଜ୍ୟ ସରକାରଙ୍କ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ ଅନ୍ତର୍ଗତ ସବସିଡି ରାଶି ମୁକ୍ତ କରାଇବା ପାଇଁ ଜଣେ ଲାଭାର୍ଥୀଙ୍କୁ 80,000 ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହି ଯୋଜନାରେ ୧ରୁ ୫ଟି ଗାଈ ନେଇ ଡାୟରୀ ୟୁନିଟ ସ୍ଥାପନ ପାଇଁ ସହାୟତା ମିଳେ।
ଅଭିଯୋଗକାରୀଙ୍କ କଥା ଅନୁସାରେ, ପ୍ରଫୁଲ୍ଲ ହାଲଦାର କେବଳ ଲାଞ୍ଚ ଦାବି କରିନଥିଲେ, ବରଂ ଟଙ୍କା ନଦେଲେ ତାଙ୍କ ସହିତ ସହ ତାଙ୍କ ଗାଁର ଅନ୍ୟ ଲାଭାର୍ଥୀମାନଙ୍କ ସବସିଡି ରୋକିଦେବେ ବୋଲି ଧମକ ଦେଇଥିଲେ। ଏହା ପରେ ଅଭିଯୋଗକାରୀ ଭିଜିଲାନ୍ସ ବିଭାଗକୁ ଅଭିଯୋଗ କରିଥିଲେ।
ଅଭିଯୋଗ ଯାଞ୍ଚ ପରେ ଭିଜିଲାନ୍ସ ଟିମ୍ ଜାଲ ବିଛାଇଥିଲା । ଶୁକ୍ରବାର ଦିନ ଅଭିଯୁକ୍ତକୁ 80,000 ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଧରିଥିଲା। ସମ୍ପୂର୍ଣ୍ଣ ଟଙ୍କା ତାଙ୍କ ଠାରୁ ଜବତ କରାଯାଇଛି।
ଟ୍ରାପ୍ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନରେ ଭିଜିଲାନ୍ସ ଟିମ୍ ଅଭିଯୁକ୍ତ ସହ ସଂପୃକ୍ତ ଦୁଇଟି ସ୍ଥାନରେ ସମାନ୍ତରାଳ ଭାବେ ଚଢାଉ କରିଥିଲା। ଏହି ସମୟରେ ତାଙ୍କ ରାଇଘରସ୍ଥିତ ଘରୁ ପ୍ରାୟ 8.24 ଲକ୍ଷ ନଗଦ ଜବତ କରାଯାଇଛି।
ଏହି ମାମଲାରେ କୋରାପୁଟ ଭିଜିଲାନ୍ସ ଥାନା କେସ୍ ନମ୍ବର 13/2026 ରେ ଧାରା 7, ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ 2018 ଅନୁଯାୟୀ ମାମଲା ରୁଜୁ କରାଯାଇଛି। ତଦନ୍ତ ଜାରି ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ