
ଜୟପୁର, ୨୬ ଜୁନ୍ (ହି.ସ.)- ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ ଅବରରେ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଛି । ବର୍ତମାନ ଯୁବସମାଜ ଦିନକୁ ଦିନ ନିଶାଗ୍ରସ୍ତ ହେବାରେ ଲାଗୁଥିବା ବେଳେ ନିଜ ଜୀବନକୁ ଛାରଖାର କରୁଛନ୍ତି । ଏଥିରୁ ଯୁବକ ମାନେ କିପରି ମୁକ୍ତି ପାଇବେ ଓ ନିଜ ଜୀବନକୁ ଶାନ୍ତିପୂର୍ଣ ଭାବେ ଅତିବାହିତ କରିପାରିବେ ଓ ସୁନ୍ଦର ଜୀବନ ଜୀବିକା ମଧ୍ୟରେ ରହିବେ ତାହାକୁ ନେଇ ଏହି ଶୋଭ।ଯାତ୍ରା ମାଧ୍ୟମରେ ସଚେତନ କରାଯାଇଛି । ନିଶାକୁ ନାଁ, ନିଶାଦ୍ରବ୍ୟ ସ୍ୱାସ୍ଥ୍ୟପକ୍ଷେ ହାନୀକାରକ, ନିଶା ଛାଡନ୍ତୁ ଜୀବନ ବାଛନ୍ତୁ ଆଦି ସ୍ଲୋଗାନ ଦେଇ ସଚେତନତା ସୃଷ୍ଟି କରିଥିଲେ । ନିଶାଦ୍ରବ୍ୟ ବ୍ୟବହାରର କୁପରିଣାମ ବିଷୟରେ ଲୋକଙ୍କୁ ସଚେତନ କରିବା ସହିତ ଅପମିଶ୍ରିତ ବିଷାକ୍ତ ଏବଂ ଚୋରା ମଦ କାରବାର ସମ୍ପୂର୍ଣ ରୋକିବା ଲାଗି ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
ଜିଲା ଅବକାରି ବିଭାଗ ଦ୍ୱାରା ଆୟୋଜିତ ଏହି ଶୋଭାଯାତ୍ରା ଜୟପୁର ସ୍ଥିତ ଅବକାରି ନିରିକ୍ଷକ କାର୍ଯ୍ୟ।ଳୟ ଠାରୁ ବାହାରି ଲକ୍ଷ୍ମୀ ପଣ୍ଡା ଛକ, ଖ୍ରୀଷ୍ଟିଆନପେଟା ଦେଇ କୋର୍ଟ ଛକରେ ଶେଷ ହୋଇଥିଲା । ଅବକାରି ବିଭାଗ ତରଫରୁ ଆୟୋଜିତ ଶୋଭାଯାତ୍ରାରେ ଡିଏସଇ ଜୟନ୍ତି ଲାଲ ପାଣ୍ଡେ, ଅବକାରି ନିରିକ୍ଷକ ଅଜୟ ନାୟକ, ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ, ବୋରିଗୁମ୍ମା ଓଆଇସି ନିଳାଦ୍ରି ବିହାରି ମିଶ୍ର, କୋଟପାଡ ଓଆଇସି ବଳରାମ ଦାସ, ଏସଆଇ ସୋନୁ ସେଠିଆ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି