
କଟକ/ପୁରୀ, ୨୬ ଜୁନ୍ (ହି.ସ.)- ବିଜେଡିରେ ବିଧିବଦ୍ଧ ଭାବେ ସାମିଲ୍ ହେବା ପରେ ପୁରୀ ଶ୍ରୀମନ୍ଦିରରେ ପ୍ରଭୁ ଶ୍ରୀ ଜଗନ୍ନାଥ ଓ କଟକରେ ମା’ କଟକ ଚଣ୍ଡୀଙ୍କ ମନ୍ଦିରରେ ପହଂଚି ମା’ ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ସହ ଆଶିଷ ଭିକ୍ଷା କରିଛନ୍ତି ପୂର୍ବତନ ପ୍ରଶାସକ ସୁଜାତା ରାଉତ ।
ଆଜି ସକାଳେ ସେ କଟକର ପ୍ରସିଦ୍ଧ ଦେବୀପୀଠ ମା କଟକ ଚଣ୍ଡୀଙ୍କ ମନ୍ଦିରରେ ପହଂଚି ମାଙ୍କ ଦର୍ଶନ ସହିତ ପୂଜାର୍ଚ୍ଚନା କରିଛନ୍ତି । ମା ଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏହା ପୂର୍ବରୁ ଗତକାଲି ସନ୍ଧ୍ୟାରେ ସୁଜାତା ପୁରୀ ଯାଇ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ । ଜନସେବାର ଏହି ନୂଆ ରାଜନୈତିକ ଯାତ୍ରା ପାଇଁ ସେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆର୍ଶିବାଦ ଭିକ୍ଷା କରିଥିଲେ । ଦର୍ଶନ ସାଙ୍ଗକୁ ପୂଜାର୍ଚ୍ଚନା କରିଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ସେ ନିଜ ପ୍ରଶାସନିକ କ୍ୟାରିୟର ସମୟରେ କଟକର ଜିଲ୍ଲାପାଳ ଭାବେ ମଧ୍ୟ ଦାୟିତ୍ୱ ତୁଲାଇ ସାରିଛନ୍ତି । ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରିବା ପୂର୍ବରୁ ଓଡ଼ିଶାର ସଂସ୍କୃତି ଓ ନିଜର ପୁରୁଣା କର୍ମକ୍ଷେତ୍ର ସହ ଆଧ୍ୟାତ୍ମିକ ଭାବେ ଯୋଡ଼ି ହେବା ପାଇଁ ଏହା ତାଙ୍କର ଏକ ପ୍ରୟାସ ବୋଲି ଚର୍ଚ୍ଚା ହେଉଛି । ପୂର୍ବତନ ଆଇଏଏସ୍ ଅଧିକାରୀ ଭି.କେ. ପାଣ୍ଡିଆନଙ୍କ ପତ୍ନୀ ସୁଜାତା ଗତକାଲି ଭୁବନେଶ୍ୱରସ୍ଥିତ 'ଶଙ୍ଖ ଭବନ'ରେ ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ୍ ହୋଇଥିଲେ । ଓଡ଼ିଶାର ଜନସାଧାରଣଙ୍କ ବିକାଶ ଏବଂ ମହିଳା ସଶକ୍ତୀକରଣ କ୍ଷେତ୍ରରେ ତୃଣମୂଳ ସ୍ତରରେ କାମ କରିବା ପାଇଁ ସେ ନିଜର ସଙ୍କଳ୍ପ ପ୍ରକାଶ କରିଛନ୍ତି । ତାଙ୍କର ଏହି ଯୋଗଦାନ ଦଳକୁ ତୃଣମୂଳ ସ୍ତରରୁ ଆହୁରି ମଜବୁତ କରିବ ବୋଲି ବିଜେଡି ନେତା ଓ ସମର୍ଥକମାନେ ଆଶା ପ୍ରକାଶ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ