
ମାଲକାନଗିରି, ୨୬ ଜୁନ୍ (ହି.ସ.)- ମାଲକାନଗିରି ଜିଲ୍ଲାର ଜଣେ ବୟୋବୃଦ୍ଧ ବିଧବା ମହିଳା ଜୟନ୍ତୀ ସାହୁ, ସ୍ଵାମୀ – ସ୍ୱର୍ଗତ ଲଡୁ କିଶୋର ସାହୁ ନିଜ ବଡ଼ ପୁଅ ଚନ୍ଦ୍ର ଶେଖର ସାହୁ, ବୋହୂ ମିତାରାଣୀ ସାହୁ ଓ ନାତିଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇ ନ୍ୟାୟ ପାଇଁ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିବା ଜଣାପଡ଼ିଛି ।
ଅଭିଯୋଗ ଅନୁଯାୟୀ, ଚନ୍ଦ୍ର ଶେଖର ସାହୁ, ମିତାରାଣୀ ସାହୁ ଓ ତାଙ୍କ ପୁଅ ଜୟନ୍ତୀ ସାହୁଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରି ଘରୁ ବାହାର କରିଦେଇଥିଲେ । ଏପରିକି ସେ ବ୍ୟବହାର କରୁଥିବା କୋଠରୀର ତାଲା ଭାଙ୍ଗି ଘରୋଇ ସାମଗ୍ରୀ ବାହାର କରିଦେବା ସହ ଆଲମିରାର ତାଲା ଭାଙ୍ଗି ଜିନିଷପତ୍ର ଅସ୍ତବ୍ୟସ୍ତ କରି ଦେଇଥିବା ଅଭିଯୋଗ ହୋଇଛି | ସାନ ବୋହୂ ଆଲମିରା ଭାଙ୍ଗି ତାହାର ସାମଗ୍ରୀ ବାହାରକୁ ଫିଙ୍ଗିଦେବା ଏବଂ କିଛି ସାମଗ୍ରୀ ବ୍ୟବହାର କରିଥିବା ମଧ୍ୟ ଅଭିଯୋଗରେ ଉଲ୍ଲେଖ ରହିଛି I
ଗତ ୬ ଏପ୍ରିଲ ୨୦୨୬ରେ ଏହି ସମସ୍ତ ଘଟଣା ବିଷୟରେ ଜାଣିବା ପରେ ଜୟନ୍ତୀ ସାହୁ ନିଜ ବଡ଼ ପୁଅ ଚନ୍ଦ୍ର ଶେଖର ସାହୁଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ହେଲେ ସେ ତାଙ୍କ କଥାକୁ ଅଗ୍ରାହ୍ୟ କରି ‘‘ତୁମେ ଯାହା କରିବାକୁ ଚାହୁଁଛ କର, ମୁଁ କୌଣସି ସହଯୋଗ କରିବି ନାହିଁ'' ବୋଲି କହିଥିବା ଅଭିଯୋଗ ହୋଇଛି I
ଏହାସହ ପରିବାର ଏକତ୍ର ଥିବା ସମୟରେ ନିର୍ମିତ ୩ଟି ଷ୍ଟଲ୍ ବର୍ତ୍ତମାନ ଚନ୍ଦ୍ର ଶେଖର ସାହୁଙ୍କ ତତ୍ତ୍ୱାବଧାନରେ ରହିଥିବା ବେଳେ ସେଥିରୁ ମା ଓ ସାନ ଭାଇଙ୍କୁ କୌଣସି ଅଂଶ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଦେଇଥିବା ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି I ଏହି ଘଟଣାକୁ ନେଇ ଜୟନ୍ତୀ ସାହୁ ଗତ ୧୧ ଜୁନ ୨୦୨୬ରେ ସ୍ଥାନୀୟ ଓର୍କେଲ ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ । ତେବେ ପୋଲିସ ସ୍ତରରେ ଆଶାନୁରୂପ ପଦକ୍ଷେପ ନମିଳିବାରୁ ସେ ଉପଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଥିଲେ |
ସୂଚନା ଅନୁସାରେ, ଦିନତମାମ ଅପେକ୍ଷା କରିବା ପରେ ସନ୍ଧ୍ୟା ପ୍ରାୟ ୭ଟା ବେଳେ ଉପଜିଲ୍ଲାପାଳଙ୍କୁ ଭେଟି ବୟୋବୃଦ୍ଧ ମହିଳା ନିଜର ସମସ୍ତ ସମସ୍ୟା ଓ ଅଭିଯୋଗ ବିସ୍ତାରିତ ଭାବେ ଜଣାଇଥିଲେ I ଏହାପରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସହାୟକଙ୍କୁ ଡାକି ୭ ଦିନ ମଧ୍ୟରେ ଚନ୍ଦ୍ର ଶେଖର ସାହୁଙ୍କୁ ନୋଟିସ ଜାରି କରି ଡାକିବା ଏବଂ ଉଭୟ ପକ୍ଷଙ୍କ ଉପସ୍ଥିତିରେ ଘଟଣାର ଶୁଣାଣି କରି ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନା ଦେଇଥିବା ଜଣାପଡ଼ିଛି। ତେବେ ଏହି ଅସହାୟ ବୟୋବୃଦ୍ଧ ବିଧବା ମହିଳା କେବେ ଏବଂ କିପରି ନ୍ୟାୟ ପାଇବେ, ତାହା ଏବେ ସମସ୍ତଙ୍କ ନଜରରେ ରହିଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ