
ବଲାଙ୍ଗିର, ୨୬ ଜୁନ୍ (ହି.ସ.) - ଆଜିର ଯୁଗରେ ଟଙ୍କା ରୋଜଗାର କରିବା ପାଇଁ ଖାସ କରି ଯୁବ ପିଢ଼ି ଭୁଲ ବାଟକୁ ଆପଣେଇ ଥାଆନ୍ତି । ସେଥିପାଇଁ ସେମାନେ ସରଳ ଉପାୟରେ ଅର୍ଥ ଉପାର୍ଜନ କରିବା ପାଇଁ ଅନିୟମ ତଥା ବେଆଇନ୍ କାର୍ଯ୍ୟରେ ଲିପ୍ତ ରହୁଥିବା ଦେଖିବାକୁ ମିଳିଥାଏ । ତେବେ ଟଙ୍କା ଲୋଭରେ କମ୍ ଦିନରେ ବେଶୀ ରୋଜଗାର ଆଶାରେ ଶେଷରେ ଯୁବ ଶିକ୍ଷକ ବି ପଛାଉ ନାହାଁନ୍ତି । ଶିକ୍ଷକମାନଙ୍କୁ ଲୋକେ ବହୁତ ସମ୍ମାନ ଦେଉଥିବା ବେଳେ କିଛି ଖଳ ଶିକ୍ଷକଙ୍କ ପାଇଁ ଏହି ପେଶା ଆଜି ନିନ୍ଦିତ ହେବାକୁ ଯାଉଛି । କଳାହାଣ୍ଡି ପଟରୁ ଏକ ମାରୁତି ଏର୍ଟିଗା ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଟିଟିଲାଗଡ ଓ ତୁଷୁରା ଅବକାରୀ ବିଭାଗ ଦ୍ୱାରା ସଇଁନ୍ତଲା ବ୍ଲକ ବର ଗାଁ ଛକ ଜାତୀୟ ରାଜପଥ ୨୬ ଠାରେ ମାଡ଼ି ବସିଲେ ଅବକାରୀ ବିଭାଗର ଅଧିକାରୀ । ତେବେ ଗାଡ଼ି ଅଟକାଇବାକୁ କୁହାଯାଇଥିବା ବେଳେ ଗାଡି ନ ଅଟକାଇ ଫେରାର ମାରୁଥିବା ବେଳେ ସାଇନିଂ ବୋର୍ଡରେ ବାଡେଇ ହୋଇ ଅଟକିବା ପରେ ତିନି ଜଣ ଦୌଡ଼ି ଦୌଡ଼ି ଫେରାର ମାରିବାକୁ ଉଦ୍ୟମ କରିଥିଲେ । ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରି ମାନେ ତିନି ଜଣଙ୍କୁ କାବୁ କରିବା ପରେ ଗାଡି ନମ୍ବର ଓଡ଼ି ୦୨ସିଏଲ ୮୫୨୪ ଯାଂଚ କରିବାରୁ ଭିତରୁ ୩୩ କେଜି ଗଞ୍ଜେଇ ବାହାରିଥିଲା । ତିନି ଜଣ ବ୍ୟକ୍ତି ହେଲେ କଳାହାଣ୍ଡି ଜିଲ୍ଲା ସରଗୁଲ ଗ୍ରାମର କିଶୋର କୁମ୍ଭାର, ରିନଂଝା ଗ୍ରାମର ଜିତୁ ସାହୁ ଏବଂ କର୍ଲାମୁଣ୍ଡା ଗ୍ରାମର ସଞ୍ଜୟ ବାଗ । କେଶବ କୁମ୍ଭାର ଓ ଜିତୁ ସାହୁ ଉଭୟ ଶିକ୍ଷକ ଥିବା ଜଣାପଡ଼ିଛି । ତିନି ଜଣଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ତେବେ କଳାହାଣ୍ଡିରୁ ବଲାଙ୍ଗିରକୁ ଚାଲାଣ ହେଉଥିବା ଜଣାପଡ଼ିଛି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ