
ଭୁବନେଶ୍ୱର, ୨୬ ଜୁନ୍ (ହି.ସ)- ବଲାଙ୍ଗୀର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଅଡିଟୋରିୟମରେ ଜିଲ୍ଲା ସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଚମତ୍କାର ପ୍ରଦର୍ଶନ କରି ଏ୧ ଗ୍ରେଡ୍ ହାସଲ କରିଥିବା ଜିଲ୍ଲାର ୨୧୧ ଜଣ କୃତୀ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଏହି ଅସାଧାରଣ ସଫଳତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଜାତୀୟ ଶିକ୍ଷାନୀତି (ଏନଇପି-୨୦୨୦) ଆଜିର ଯୁବପିଢ଼ିଙ୍କୁ କେବଳ ପୁସ୍ତକଗତ ଜ୍ଞାନ ନୁହେଁ, ବରଂ ବ୍ୟାବହାରିକ କୌଶଳ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଛି। ମୋର ଦୃଢ଼ ବିଶ୍ୱାସ, ଏନଇପି-୨୦୨୦ ର ସଠିକ୍ ମାର୍ଗଦର୍ଶନରେ ଏହି ମେଧାବୀ ଛାତ୍ରଛାତ୍ରୀମାନେ ଆଗାମୀ ଦିନରେ ଏକ ବିକଶିତ ଭାରତ ଓ ସମୃଦ୍ଧ ସମାଜ ଗଠନ କରିବା ସହ ସାରା ରାଜ୍ୟରେ ବଲାଙ୍ଗୀର ଜିଲ୍ଲାର ଗୌରବକୁ ଆହୁରି ବଢ଼ାଇବେ।
ଆଜିର ଏହି ଯୁବପିଢ଼ି ହିଁ ନୂତନ ଉଦ୍ଭାବନ ଏବଂ ନୂତନ ବିଚାରର ମୂଳଦୁଆ। ଆମ ଛାତ୍ରଛାତ୍ରୀମାନେ କେବଳ ପାଠପଢ଼ାରେ ସୀମିତ ନ ରହି ଆଗାମୀ ଦିନରେ ନିଜର ସୃଜନଶୀଳତା ମାଧ୍ୟମରେ ନୂଆ ନୂଆ ଉଦ୍ଭାବନ କରିବା ସହ ଷ୍ଟାର୍ଟଅପ୍ କ୍ଷେତ୍ରରେ ମଧ୍ୟ ଓଡ଼ିଶାର ନାଁ ରଖିବେ। ଚାକିରି ଖୋଜିବା ପରିବର୍ତେ ନିଜେ ଜଣେ ଜଣେ କର୍ମସଂସ୍ଥାନ ସୃଷ୍ଟିକାରୀ ହୋଇ ବଲାଙ୍ଗୀର ତଥା ସାରା ରାଜ୍ୟର ଅର୍ଥନୀତିକୁ ସମୃଦ୍ଧ କରିବାରେ ଏମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ମୋର ଦୃଢ଼ ବିଶ୍ୱାସ।
ଏହି ସମ୍ବର୍ଦ୍ଧନା ଉତ୍ସବରେ ବଲାଙ୍ଗୀର ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ, ଶିକ୍ଷକଶିକ୍ଷୟିତ୍ରୀ ଏବଂ ଅଭିଭାବକ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା