
ମାଲକାନଗିରି, ୨୬ ଜୁନ୍ (ହି.ସ.)- ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ଗ୍ରାମର ବିଶିଷ୍ଟ ସମାଜସେବୀ, ଶିକ୍ଷାବିତ୍ ଓ ଜନପ୍ରିୟ ବ୍ୟକ୍ତିତ୍ୱ ସୁନାକର ପାଳଙ୍କ ଗତ ୨୫ ତାରିଖ ସନ୍ଧ୍ୟାରେ ଆକସ୍ମିକ ହୃଦଘାତରେ ମାଥିଲି ସ୍ୱାସ୍ଥ୍ୟକେନ୍ଦ୍ରରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ସମଗ୍ର ମାଥିଲି ଅଞ୍ଚଳ ସହ ଜିଲ୍ଲାବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।
ଶ୍ରୀ ପାଳ ମାଥିଲି ଓ ମାଲକାନଗିରି ଜିଲ୍ଲାରେ ଜଣେ ସୁପରିଚିତ ସମାଜସେବୀ ଥିଲେ। ମାଥିଲି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରତିଷ୍ଠାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଥିଲା। ସେ ଉତ୍କଳମଣି ଗୋପବନ୍ଧୁ ଦାସ କନିଷ୍ଠ ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ଭାବେ ଦୀର୍ଘଦିନ ଧରି କାର୍ଯ୍ୟ କରି ଅଞ୍ଚଳର ଶିକ୍ଷା ବିକାଶରେ ଅମୂଲ୍ୟ ଅବଦାନ ରଖିଥିଲେ। ବର୍ତ୍ତମାନ ଏହି ବିଦ୍ୟାଳୟରେ ୧୩୦୦ରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷାଲାଭ କରୁଛନ୍ତି।
ସେ ଜିଲ୍ଲାରୁ ଗୋତି ଶ୍ରମିକ ପ୍ରଥା ଉଚ୍ଛେଦ ପାଇଁ ସଫଳ ପ୍ରୟାସ କରିଥିଲେ। ସମାଜସେବା ସହ ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ସଂଗଠନ ସହ ସକ୍ରିୟ ଭାବେ ଜଡ଼ିତ ଥିଲେ। ସେ ୨୦୨୪ରୁ ୨୦୨୬ ପର୍ଯ୍ୟନ୍ତ ଜିଲ୍ଲା ଓମ୍ବୁଡସମ୍ୟାନ ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୨୦–୨୦୨୩ ମଧ୍ୟରେ ଏବଂ ବର୍ତ୍ତମାନ ପୁନର୍ବାର ଜିଲ୍ଲା ଶିଶୁ ସୁରକ୍ଷା ମଙ୍ଗଳ ପରିଷଦର ସଦସ୍ୟ ଭାବେ ଦାୟିତ୍ୱ ନିର୍ବାହ କରି ଆସୁଥିଲେ ।
ଗତ ୨୪ ତାରିଖରେ ସ୍ୱାଭିମାନ ଅଞ୍ଚଳ ଗସ୍ତରୁ ଫେରି ୨୫ ତାରିଖ ଅପରାହ୍ନରେ ମାଥିଲିସ୍ଥିତ ବାସଭବନରେ ପହଞ୍ଚିଥିଲେ। ସନ୍ଧ୍ୟା ପ୍ରାୟ ୫ଟାରେ ହଠାତ୍ ହୃଦଘାତଜନିତ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମାଥିଲି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ପରିଷଦର ସଦସ୍ୟ, ବରିଷ୍ଠ ଆଇନଜୀବୀ ଅଶୋକ ପଟ୍ଟନାୟକ, ସମାଜସେବୀ ରମଗୋବିନ୍ଦ ପଣ୍ଡା, ନିତ୍ୟାନନ୍ଦ ପ୍ରଧାନ, ବସନ୍ତ ଲେଙ୍କା, ବହୁ ସାମ୍ବାଦିକ ଓ ବିଶିଷ୍ଟ ବ୍ୟକ୍ତିମାନେ ଶେଷ ଦର୍ଶନ କରିଥିଲେ।
ତାଙ୍କର ଏକମାତ୍ର ପୁଅ ଦିବ୍ୟ ସୁନ୍ଦର ପାଳ, ସହଧର୍ମିଣୀ ନିବେଦିତା ଜେନା, ଭାଇ ରତ୍ନାକର ପାଳ, ବୋହୂ ସସ୍ମିତା ନାୟକ ଓ ପୁତୁରା ସାଇ ଶକ୍ତିଙ୍କ ସମେତ ଅସଂଖ୍ୟ ଶୁଭେଚ୍ଛୁ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମାଥିଲି ସମିତି ସଭ୍ୟ ବାଲରାଜୁ କୋପେ, ଶିକ୍ଷାବିତ୍ ନାଗଭୂଷଣ ପଟ୍ଟନାୟକ, ଦିଲ୍ଲୀପ ରାଜୁ, ରତିକାନ୍ତ ମହାନ୍ତି, ମିଟୁ ଚୌଧୁରୀ, ମଧୁସୂଦନ ନାୟକ, ସମରଜିତ ସାହୁ, ଶିକ୍ଷକ ସଂଘ ସମ୍ପାଦକ ସଞ୍ଜୟ କୁମାର ରାୟସିଂ, ଜିଲ୍ଲା ସଂଘ ନେତା କେଶବ ଚନ୍ଦ୍ର ବେହେରାଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ। ଆଜି ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିବା ଜଣାପଡ଼ିଛି। ତାଙ୍କ ବିୟୋଗରେ ବିଭିନ୍ନ ସାମାଜିକ, ଶିକ୍ଷାନୁଷ୍ଠାନ ଓ ସାଂସ୍କୃତିକ ସଂଗଠନ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ