
ସୁରଟ, ଜୁଲାଇ ୧୫ (ହି.ସ.) - ବୁଧବାର ଦିନ ଗୁଜୁରାଟର ସୁରଟରେ ପାସପୋର୍ଟ କାର୍ଯ୍ୟାଳୟ ଏବଂ ଡାକଘରେ ବୋମା ଧମକ ପାଇବା ପରେ ଆତଙ୍କ ସୃଷ୍ଟି ହୋଇଥିଲା। ଖବର ପାଇବା ପରେ ପୋଲିସ, ବୋମା ସ୍କ୍ୱାଡ୍ ଏବଂ ଡଗ୍ ସ୍କ୍ୱାଡ୍ ଦଳ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ।
ପୋଲିସର କହିବା ଅନୁଯାୟୀ, ସୁରଟର ଉମ୍ରା ଅଂଚଳରେ ଥିବା ପାସପୋର୍ଟ କାର୍ଯ୍ୟାଳୟ ଏବଂ ଡାକଘରକୁ ଉଡ଼ାଇଦେବାକୁ ଧମକ ଦେଉଥିବା ଏକ ଇ-ମେଲ ମିଳିଛି। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପରିସର ଏବଂ ଆଖପାଖ ଅଂଚଳରେ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିଥିଲା। ସର୍ଚ୍ଚ ଅପରେସନ ସମୟରେ ଏପର୍ଯ୍ୟନ୍ତ କୌଣସି ସନ୍ଦେହଜନକ ବସ୍ତୁ କିମ୍ବା ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇ ନାହିଁ।
ଉମରା ପୋଲିସ ଷ୍ଟେସନର ଇନ୍ସପେକ୍ଟର ତେଜସ୍ ଗାଧଭି କହିଛନ୍ତି ଯେ କଂଟ୍ରୋଲ୍ ରୁମରୁ ସୂଚନା ପାଇବା ପରେ ଏକ ପୋଲିସ ଦଳ ଘଟଣାସ୍ଥଳରେ ପହଂଚି ସମଗ୍ର ପରିସରକୁ ଯାଂଚ କରାଯାଇଥିଲା। ଖୋଜାଖୋଜି ସମୟରେ କୌଣସି ସନ୍ଦେହଜନକ ଜିନିଷ ମିଳି ନଥିଲା। ଧମକ ଦେଉଥିବା ଇ-ମେଲର ଉତ୍ସ ଏବଂ ଏହାକୁ ପଠାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ସମ୍ପୃକ୍ତ ଏଜେନ୍ସିମାନେ ଅଧିକ ତଦନ୍ତ କରିବେ।
ଦୁଇ ଦିନ ପୂର୍ବରୁ ସୁରଟ ଜିଲ୍ଲା ଅଦାଲତକୁ ମଧ୍ୟ ଏକ ଇ-ମେଲ ଆସିଥିଲା, ଯେଉଁଥିରେ ଆରଡିଏକ୍ସ ଥିବା କହି ଏହାକୁ ଉଡ଼ାଇଦେବାକୁ ଧମକ ଦିଆଯାଇଥିଲା। ଏଭଳି ବାରମ୍ବାର ଧମକ ସୁରକ୍ଷା ଏଜେନ୍ସି ଏବଂ ସ୍ଥାନୀୟ ପ୍ରଶାସନର ଚିନ୍ତା ବଢ଼ାଇଛି। ପୋଲିସ୍ ବର୍ତମାନ ଜାଣିବାକୁ ଚେଷ୍ଟା କରୁଛି ଯେ ଏହି ଧମକପୂର୍ଣ୍ଣ ଇ-ମେଲ୍ ପଛରେ ଜଣେ ବ୍ୟକ୍ତି କିମ୍ବା ଗୋଷ୍ଠୀ ଅଛନ୍ତି ନା ଏହା ଆତଙ୍କ ବିସ୍ତାର କରିବାର ଷଡଯନ୍ତ୍ର।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ