
ଚେନ୍ନାଇ, ଜୁଲାଇ 17 (ହି.ସ) : ତାମିଲନାଡୁର ଭେଙ୍କଟପତି ଭେଲାୟୁଧମ୍ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ଏନ୍. ଇ. ଇ. ଟି.) ରେ ସଫଳତା ହାସଲ କରିଛନ୍ତି। ପୁନଃପରୀକ୍ଷା ଫଳାଫଳରେ ଭେଲାୟୁଧମ୍ 99.99915% ସ୍କୋର କରି ସର୍ବଭାରତୀୟ ସ୍ତରରେ ଦ୍ୱାଦଶ ସ୍ଥାନ ହାସଲ କରିଛନ୍ତି।
ଶ୍ରୀନିକା, ସୁଦାର, ବାଣୀଶା ସତୀଶଙ୍କ ସମେତ ତାମିଲନାଡ଼ୁର ପ୍ରାୟ 12 ଜଣ ଛାତ୍ରଛାତ୍ରୀ ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କ ତାଲିକାରେ ସ୍ଥାନ ପାଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏନ୍. ଇ. ଇ. ଟି. ସ୍ନାତକ ଡାକ୍ତରୀ ପାଠ୍ୟକ୍ରମ ପ୍ରବେଶିକା ପୁନଃପରୀକ୍ଷାର ଫଳାଫଳ ଘୋଷଣା କରାଯାଇଛି। ପ୍ରଶ୍ନପତ୍ର ଲିକ୍ ବିବାଦ ପରେ ଅନୁଷ୍ଠିତ ପୁନର୍ବାର ପରୀକ୍ଷାରେ ତାମିଲନାଡ଼ୁର ଛାତ୍ରମାନେ ସେମାନଙ୍କର ଅସାଧାରଣ ପ୍ରତିଭା ପ୍ରଦର୍ଶନ କରି ଜାତୀୟ ସ୍ତରରେ ଏକ ପରିଚୟ ସୃଷ୍ଟି କରିଛନ୍ତି।
ତାମିଲନାଡ଼ୁର ଭେଙ୍କଟପତି ଭେଲାୟୁଧମ୍ ପ୍ରତ୍ୟେକ ରାଜ୍ୟରୁ ଜଣେ ଟପ୍ପର ଆଧାରରେ ଜାତୀୟ ପରୀକ୍ଷା ଏଜେନ୍ସି ଦ୍ୱାରା ପ୍ରକାଶିତ 44 ଟି ପ୍ରମୁଖ ଟପ୍ପର ତାଲିକାରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସାଧାରଣ ବର୍ଗର ଏହି ଛାତ୍ର 99.99915% ମାର୍କ ରଖି ରାଜ୍ୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି।
ପଡୋଶୀ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର କୃଷ୍ଣନାଥ ଅଭିନବ ପୁଡୁଚେରୀ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଅନ୍ୟାନ୍ୟ ପଛୁଆ ବର୍ଗର ଏହି ଛାତ୍ର 99.9721% ମାର୍କ ହାସଲ କରି ସର୍ବଭାରତୀୟ ରାଙ୍କିଙ୍ଗରେ 553 ତମ ସ୍ଥାନ ହାସଲ କରିଛନ୍ତି।
ତାମିଲନାଡ଼ୁର ପ୍ରାୟ 12 ଜଣ ଛାତ୍ର ସାରା ଦେଶରୁ 138 ଟି ଉଚ୍ଚ ସ୍କୋର ସହିତ ଟପ୍ପର ତାଲିକାରେ ସ୍ଥାନ ପାଇଛନ୍ତି। ସେମାନେ ହେଉଛନ୍ତି ଭେଙ୍କଟପତି ଭେଲାୟୁଧମ୍, ଶ୍ରୀନିକା, ସୁଧାର, ବାଣୀଶା ସତୀଶ, ସାବରୀ, ଜୟକୃଷ୍ଣ, ସମ୍ବିତା, ନବିତାନା, ନିଖିଲ, ଶିବାନନ୍ଦମ୍, ଜନନୀ ଶ୍ୱେତା ଏବଂ ରୋହିତ ମାଥ୍ୟୁ। ଏହି ପରୀକ୍ଷାରେ 22 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା