
ଶିଲିଗୁଡ଼ି, ଜୁଲାଇ 18 (ହି.ସ)। କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ରାତିରେ ପଶ୍ଚିମବଙ୍ଗକୁ ତିନି ଦିନିଆ ଗସ୍ତରେ ବାଗଡୋଗରା ବିମାନବନ୍ଦରରେ ପହଞ୍ଚିଥିଲେ । ତାଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସ୍ୱାଗତ କରିଥିଲେ। ଏହି ଅବସରରେ ଶୁଭେନ୍ଦୁଙ୍କ ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ ଏବଂ କିଛି ବିଜେପି ସାଂସଦ ଏବଂ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ। ସ୍ୱରାଷ୍ଟ୍ର ମନ୍ତ୍ରୀ ବିମାନ ବନ୍ଦରରୁ କଦମତାଲାସ୍ଥିତ ସୀମା ସୁରକ୍ଷା ବଳ (ବି. ଏସ୍. ଏଫ୍.) ଶିବିର ଅଭିମୁଖେ ଯାତ୍ରା କରିଥିଲେ।
ତାଙ୍କ ଉତ୍ତର ବଙ୍ଗ ଗସ୍ତ ସମୟରେ ଅମିତ ଶାହା ସିଲିଗୁଡ଼ିର ଉତ୍ତରକନ୍ୟା ସଚିବାଳୟରେ ସୀମା ବିଏସ୍ଏଫ୍ ଏବଂ ରାଜ୍ୟ ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିବେ। ଏହି ବୈଠକରେ ଭାରତ-ବାଂଲାଦେଶ ସୀମାରେ ସୁରକ୍ଷା, ଅନୁପ୍ରବେଶ, ଚୋରାଚାଲାଣ ଏବଂ ସୀମା ବାଡ଼ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରାଯିବ। ଏହା ବ୍ୟତୀତ ସେ ଫୁଲବାରୀ ଏବଂ ଜୁମ୍ଗା ସୀମା ଆଉଟପୋଷ୍ଟ ପରିଦର୍ଶନ କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବେ।
ଏହାପରେ ଶାହା କୋଲକାତା ଅଭିମୁଖେ ଯାତ୍ରା କରିବେ ଯେଉଁଠାରେ ସେ ଆଇନ ଶୃଙ୍ଖଳା, ସୀମା ସୁରକ୍ଷା, ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ଏବଂ ପ୍ରଶାସନିକ ପ୍ରସଙ୍ଗରେ ରାଜ୍ୟ ପୋଲିସ, ଜିଲ୍ଲା ପ୍ରଶାସନ ଏବଂ ଗୁଇନ୍ଦା ଏଜେନ୍ସିଗୁଡ଼ିକର ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିବେ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା