
ଉଜ୍ଜୈନ, ୧୮ ଜୁଲାଇ(ହି.ସ.) – ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଥିବା ବିଶ୍ୱ ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ମହାକାଳ ମନ୍ଦିରରେ ଦାନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଏବଂ ବିଶ୍ୱସନୀୟ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ନିଆଯାଇଛି। ବର୍ତମାନ ମନ୍ଦିରକୁ ଆସୁଥିବା ମୂଲ୍ୟବାନ ଅଳଙ୍କାରଗୁଡ଼ିକର ଶୁଦ୍ଧତା ଯାଂଚ କରିବା ପାଇଁ ଅତ୍ୟାଧୁନିକ କ୍ୟାରେଟୋମିଟର ମେସିନ୍ ଏକ୍ସ.ଆର୍.ଏଫ୍.(ଏକ୍ସ-ରେ ଫ୍ଲୋରୋସନ୍ସ) ବ୍ୟବହାର କରାଯିବ।
ମହାକାଳ ମନ୍ଦିରର ଡେପୁଟି ଆଡମିନିଷ୍ଟ୍ରେଟର୍ ତଥା ଡେପୁଟି କଲେକ୍ଟର ସିମ୍ମି ଯାଦବ ଶନିବାର କହିଛନ୍ତି ଯେ ମନ୍ଦିର ପରିଚାଳନା କମିଟି ମହାରାଷ୍ଟ୍ରରୁ ସିଏସ୍ଆର୍ ପାଣ୍ଠି ମାଧ୍ୟମରେ ପ୍ରାୟ ୧୫ ଲକ୍ଷ ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ କ୍ୟାରେଟୋମିଟର ମେସିନ୍ କିଣିଛି। ଏହି ମେସିନ୍ ମନ୍ଦିର ପରିସରରେ ପହଂଚିଛି ଏବଂ ଆବଶ୍ୟକ ପ୍ରସ୍ତୁତି ଶେଷ ହେବା ପରେ ସୋମବାର ଠାରୁ କାର୍ଯ୍ୟକ୍ଷମ ହେବ।
ସେ ସୂଚନା ଦେଇଛନ୍ତି ଯେ ମନ୍ଦିରରେ ଦାନ ଭାବରେ ପ୍ରାପ୍ତ ସୁନା ଏବଂ ରୂପା ଅଳଙ୍କାରର ଶୁଦ୍ଧତା ଏକ କ୍ୟାରେଟୋମିଟର ମେସିନ୍ ଦ୍ୱାରା ପରୀକ୍ଷା କରାଯିବ। କେବଳ ଦାତାଙ୍କ ଉପସ୍ଥିତିରେ ଧାତୁର ଶୁଦ୍ଧତା ଯାଂଚ କରାଯିବ, ଯାହା ଦାନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ କରିବ। ଏହି ମେସିନ୍ ଦ୍ୱାରା ଦାନ କରାଯାଇଥିବା ସୁନା ଏବଂ ରୂପାର ଗୁଣବତା ଏବଂ କ୍ୟାରେଟ୍ କିଛି ମିନିଟରେ ଆକଳନ କରାଯାଇପାରିବ। ସେ ସୂଚନା ଦେଇଥିଲେ ଯେ ଏହି ପଦକ୍ଷେପ ଦ୍ୱାରା ମହାକାଳ ମନ୍ଦିର ଦେଶର କେତେକ ମନୋନୀତ ମନ୍ଦିର ମଧ୍ୟରେ ସାମିଲ ହେବ, ଯେଉଁଠାରେ ଦାନରେ ମିଳୁଥିବା ମୂଲ୍ୟବାନ ଅଳଙ୍କାରର ପରୀକ୍ଷଣ ପାଇଁ ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଉଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି