
ନୂଆଦିଲ୍ଲୀ, ୧୯ ଜୁଲାଇ (ହି.ସ.)- ସଂସଦର ମୌସୁମୀ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ରବିବାର ଆୟୋଜିତ ସର୍ବଦଳୀୟ ବୈଠକରେ ନବଗଠିତ ନ୍ୟାସନାଲ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ (ଏନସିପିଆଇ) କୁ ନିମନ୍ତ୍ରଣ ଉପରେ ବିରୋଧୀ ଦଳମାନେ ଏକ ପ୍ରତୀକାତ୍ମକ ବିରୋଧ କରିଛନ୍ତି । ତୃଣମୂଳ କଂଗ୍ରେସର ଆପତି ପରେ କଂଗ୍ରେସ, ସମାଜବାଦୀ ପାର୍ଟି, ଦ୍ରାବିଡ଼ ମୁନେତ୍ର କଡ଼ଗମ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ଆମ୍ ଆଦମୀ ପାର୍ଟି, ନ୍ୟାସନାଲ କନଫରେନ୍ସ, ବାମପନ୍ଥୀ ଦଳ ଏବଂ ଶିବସେନା (ୟୁବିଟି) ସମେତ ଅନେକ ବିରୋଧୀ ଦଳର ନେତାମାନେ କିଛି ମିନିଟ୍ ପାଇଁ ବୈଠକରୁ ବାହାରି ଯାଇଥିଲେ । ପରେ, ସମସ୍ତ ନେତା ବୈଠକରେ ଯୋଗଦେବାକୁ ଫେରିଥିଲେ । ଇତିମଧ୍ୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ସମସ୍ତ ଦଳକୁ ସଂସଦର ସୁଚାରୁ ରୂପେ କାର୍ଯ୍ୟ କରିବାରେ ସହଯୋଗ କରିବାକୁ ନିବେଦନ କରିଛନ୍ତି ।
ରବିବାର ଦିନ ସଂସଦ ଭବନ ଏନେକ୍ସିରେ ପ୍ରତିରକ୍ଷା ମନ୍ତ୍ରୀ, ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଜେ. ପି. ନଡ୍ଡା, କିରେନ ରିଜିଜୁ, ଅର୍ଜୁନ ରାମ ମେଘୱାଲଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ଫ୍ଲୋର ଲିଡର ଏବଂ ସାଂସଦମାନେ ଯୋଗ ଦେଇଥିଲେ । ଜୁଲାଇ ୨୦ରୁ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନରେ ବିଧାନସଭା କାର୍ଯ୍ୟ ଏବଂ ଗୃହର କାର୍ଯ୍ୟଧାରାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ସମସ୍ତ ଦଳ ମଧ୍ୟରେ ସହମତି ସୃଷ୍ଟି କରିବା ଏହି ବୈଠକର ଉଦ୍ଦେଶ୍ୟ ଥିଲା ।
ବୈଠକ ଆରମ୍ଭରେ, ତୃଣମୂଳ କଂଗ୍ରେସ ଏନ. ସି. ପି. ଆଇ. କୁ ନିମନ୍ତ୍ରଣ କରାଯିବା ଉପରେ କଡ଼ା ଆପତି ଉଠାଇଥିଲା । ବିରୋଧୀ ଦଳମାନେ କହିଛନ୍ତି ଯେ ନବଗଠିତ ଦଳ ଏପର୍ଯ୍ୟନ୍ତ ଲୋକସଭାରେ ଆନୁଷ୍ଠାନିକ ସ୍ୱୀକୃତି ପାଇନାହିଁ ଏବଂ ଏହି ପ୍ରସଙ୍ଗରେ ଏକ ଚୂଡ଼ାନ୍ତ ନିଷ୍ପତି ଲୋକସଭା ବାଚସ୍ପତିଙ୍କ ସମ୍ମୁଖରେ ବିଚାରାଧୀନ ରହିଛି । ବିରୋଧୀ ଦଳ ଏହାକୁ ସଂସଦୀୟ ପରମ୍ପରାର ବିପରିତ ବୋଲି କହିବା ସହିତ କିଛି ମିନିଟ୍ ପାଇଁ ବୈଠକକୁ ବର୍ଜନ କରିଥିଲେ ଏବଂ ପରେ ଆଲୋଚନାରେ ସାମିଲ୍ ହୋଇଥିଲେ । ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ସୋମବାରଠାରୁ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନରେ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଏବଂ ଅନ୍ୟାନ୍ୟ ବିଧାନସଭା କାର୍ଯ୍ୟ ଗୃହ ସମ୍ମୁଖରେ ରଖିବେ । ସେ କହିଥିଲେ ଯେ, ସଂସଦ ହେଉଛି ଗଣତନ୍ତ୍ରର ସର୍ବୋଚ୍ଚ ମଂଚ ଏବଂ ପ୍ରତ୍ୟେକ ନିର୍ବାଚିତ ପ୍ରତିନିଧିଙ୍କର ନିଜର ମତ ରଖିବାର ସମ୍ପୂର୍ଣ୍ଣ ଅଧିକାର ରହିଛି । ସରକାର ଚାହୁଁଛନ୍ତି ଯେ, ଶାସକ ପକ୍ଷ ଏବଂ ବିରୋଧି ଦୁହେଁ ରଚନାତ୍ମକ ଭୂମିକା ଗ୍ରହଣ କରନ୍ତୁ ଯାହାଦ୍ୱାରା ଗୃହ କାର୍ଯ୍ୟ ବିନା କୌଣସି ବାଧାବିଘ୍ନରେ ପରିଚାଳିତ ହୋଇପାରିବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ