
ଜୟପୁର, ୨୦ ଜୁଲାଇ (ହି.ସ.)- କୋରାପୁଟ ଜିଲାରେ ସଙ୍କଟରେ ବାଉଁଶ କାରିଗରଙ୍କ ବେଉସା । ଏକଦା ଗ୍ରାହକଙ୍କ ଚାହିଦା ଅନୁସାରେ ସାମଗ୍ରୀ ପ୍ରସ୍ତୁତ କରିବାକୁ ବେଳ ମିଳୁ ନଥିବାବେଳେ ଏବେ, ଚୁଲି ଜଳିବ କି ନାହିଁ ତାହା ସୁନିଶ୍ଚିତ ହୋଇପାରୁନି । ପ୍ଲାଷ୍ଟିକର ଚାହିଦା ଏହି ବେଉସାକୁ ଧିରେ ଧିରେ ବୁଡ଼ାଇ ଦେବାକୁ ବସିଛି । ତା' ସାଙ୍ଗକୁ ଦରଦାମ ବୃଦ୍ଧି ଏହି ବେଉସାକୁ ଦାଉ ସାଧିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । କୋରାପୁଟ ଜିଲାର ଜୟପୁର ଏମଜି ରୋଡରେ ପ୍ରତିପୋଷଣ କରୁଥିବା ମେଦେରି ପରିବାର ଏବେ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ଲକ୍ଷ୍ୟ କରାଯାଇଛି । ।
କୋରାପୁଟ ଜିଲ୍ଲାର ଜୟପୁର ପୌରାଞ୍ଚଳରେ ପ୍ରାୟ ୨୦ରୁ ୨୫ ମେଦରି ପରିବାର ବସବାସ କରୁଛନ୍ତି । ପିଢ଼ି ପରେ ପିଢ଼ି ବାଉଁଶରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ପେଟ ପୋଷନ୍ତି । ହେଲେ କ୍ରମାଗତ ଭାବରେ ଏହି ବେପାରରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି । ଆଧୁନିକତା ଓ ପ୍ଲାଷ୍ଟିକ ସାମଗ୍ରୀର ବହୁଳ ବ୍ୟବହାର ବାଉଁଶ ଶିଳ୍ପକୁ ବୁଡ଼ାଇ ଦେବାକୁ ବସିଛି । ଜୟପୁର ସହରର ବାଉଁଶ କାରିଗରଙ୍କ କୌଳିକ ବୃତ୍ତିର ଅସ୍ତିତ୍ୱ ସଙ୍କଟ ଆଡ଼କୁ ଠେଲି ହୋଇଯାଇଛି । ପୂର୍ବରୁ ଏହି କାରିଗରମାନେ ବାଉଁଶରୁ ଝୁଲା, ବାଉଁଶିଆ, ଝୁଡ଼ି, ବେତା, ଟୋକେଇ, ମାଛ ପାଇଁ ସ୍ୱତନ୍ତ୍ର ବାଉଁଶ ଟୋକେଇ ଓ ରିକ୍ସାରେ ଲାଗୁଥିବା ପାତିଆ ତିଆରି କରି ସମ୍ମାନର ସହ ପରିବାର ପ୍ରତିପୋଷଣ କରୁଥିଲେ । ପରିବାରର ଛୋଟରୁ ବଡ଼ ଯାଏ ସମସ୍ତେ ଏହି କାମରେ ହାତ ବଢ଼ାଉଥିଲେ । ପ୍ରତ୍ୟେକ ପରିବାର ଏକ ଟ୍ରେନିଂ ସେଣ୍ଟର ଥିଲା । ବାପାକୁ ଛୋଟବଡ଼ ସାଇଜ୍ ର ବାଉଁଶ ବଢ଼ାଉ ବଢ଼ାଉ, ପୁଅ ଜିନିଷ ତିଆରି କରିବାର କୌଶଳ ଶିଖି ଯାଉଥିଲା । ଜଣେ ଭଲ କାରିଗର ହୋଇ ବାହାରୁଥିଲା । ହେଲେ କ୍ରମେ ସମୟ ବଦଳିଯାଇଛି । ବାଉଁଶ ପାତ୍ରର ଜାଗା ପ୍ଲାଷ୍ଟିକ୍ ନେଇଯାଇଛି । ବାଉଁଶ ଦର ବି ଅହେତୁକ ବୃଦ୍ଧି ପାଇଛି । ସ୍ଥିତି ଆଶଙ୍କାରେ ବାଉଁଶ କାରିଗରଙ୍କ ବେଉସା ଜାଗା ମାଡ଼ିବସିଛି ପ୍ଲାଷ୍ଟିକ୍ । ବାଉଁଶ ଦର ସହ ପରିଶ୍ରମର ମୂଲ୍ୟକୁ ଏକାଠି କରିବା ପରେ ଲାଭ ବାହାରୁନାହିଁ । ୧୦ ବର୍ଷ ତଳେ ଦିନକୁ ୫୦୦ ଟଙ୍କା ରୋଜଗାର କଲେ ଖର୍ଚ୍ଚ ପରେ ବି ୨୫୦ ଟଙ୍କା ଯେଉଁଠି ବଳୁଥିଲା, ସେଠାରେ ଆଜି ପରିବାରର ଦୁଇ ଜଣ ମିଶି ୫୦୦ ଟଙ୍କା ରୋଜଗାର କଲେ ବି ଚୁଲି ଜଳାଇବା କଷ୍ଟକର ହୋଇପଡୁଛି । ଦର ଦାମ ବି ବୃଦ୍ଧି ପାଉଛି ବୋଲି ବାଉଁଶ କାରିଗର ମାନେ ସୂଚନା ଦେଇଛନ୍ତି । ତେଲ ଲୁଣରେ ଘର ଚଲାଇବା କଷ୍ଟକର ହୋଇପ଼ଡିଛି । ବାଉଁଶର ଅହେତୁକ ଦାମ ବୃଦ୍ଧି ହେଉଛି ଯେଉଁ ବାଉଁଶରୁ ଜିନିଷ ପ୍ରସ୍ତୁତ କଲେ ମଜଭୁତ ହେବ, ସେଭଳି ବାଉଁଶ ଦର ଆକାଶ ଛୁଆଁ ହୋଇଛି । ଏପଟେ ପ୍ଲାଷ୍ଟିକରେ ପ୍ରସ୍ତୁତ ସାମଗ୍ରୀର ଦର ବହୁତ କମ୍ ରହୁଥିବାରୁ, ଗ୍ରାହକ କମ୍ ଖର୍ଚ୍ଚରେ ନେବାକୁ ପସନ୍ଦ କରୁଛନ୍ତି । ଯାହା ପେଟକୁ ଲାତ ମାରିଛି । ପୂର୍ବରୁ ଅନ୍ୟ ରାଜ୍ୟକୁ ମାଛ ପରିବହନ ପାଇଁ ବାଉଁଶ ଝୁଡ଼ି ଓ ରିକ୍ସା ପାଇଁ ବାଉଁଶ ପାତିଆର ବହୁତ ଚାହିଦା ଥିଲା । ହେଲେ ଏବେ ଆଉ ରିକ୍ସା ନାହିଁ । ମାଛ ପରିବହନ ପାଇଁ ପ୍ଲାଷ୍ଟିକ ଟ୍ରେ ବହୁତ ଶସ୍ତାରେ ମିଳିଯାଉଥିବାରୁ ବେପାରୀ ବାଉଁଶକୁ ପସନ୍ଦ କରୁନାହାନ୍ତି । ପରିବେଶ ଅନୁକୂଳ ଓ ବହୁ ଉପଯୋଗୀ ହୋଇ ମଧ୍ୟ ବାଉଁଶ ପ୍ରସ୍ତୁତ ସାମଗ୍ରୀ ପାଖକୁ ଗ୍ରାହକ ଆସୁନାହାନ୍ତି । ଏବେ କେବଳ କିଛି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ତିଆରି କରୁଛୁ ।
ପରମ୍ପରା ସହ ଜଡ଼ିତ କିଛି ସାମଗ୍ରୀ ଲୋକ ନେବାକୁ ବାଧ୍ୟ ହେଉଥିବାରୁ ପରିବାର ପେଟକୁ ଦାନା ମିଳୁଛି । ବ୍ୟବସାୟ ବଦଳାଇବାକୁ ପୁଞ୍ଜି ନାହିଁ କି ଜ୍ଞାନ କୌଶଳ ମଧ୍ୟ ନାହିଁ ବାଧ୍ୟ ହୋଇ ଜୀବନ ଜୀବିକାକୁ ନେଇ ସଂଗ୍ରାମ ଜାରି ରହିଛି । । ବିନା ପ୍ରଶିକ୍ଷଣରେ ବାଉଁଶକୁ ନିଆରା ରୂପ ଦେଉଥିବା ଏହି ହାତଗଣତି ପରିବାରର ନୂଆ ପିଢ଼ି ଏହି କାମ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ବେଉସାର ଭବିଷ୍ୟତ ନଥିବାରୁ ସେମାନେ ଜୀବନ ବଞ୍ଚାଇବାକୁ ଅନ୍ୟ କାମ କରିବାକୁ ବାଧ୍ୟ ହେଉଛନ୍ତି । ନଚେତ ବାହାର ରାଜ୍ୟକୁ ଚାଲି ଯାଉଛନ୍ତି । ସରକାରଙ୍କ ପକ୍ଷରୁ ରାସନ କାର୍ଡରେ ମାସିକ ଚାଉଳ ବ୍ୟତୀତ ଆଉ କୌଣସି ସହାୟତା କିମ୍ବା ପ୍ରୋତ୍ସାହନ ମିଳୁନାହିଁ । ଏହି କାର୍ଯ୍ୟ ପାଇଁ କୌଣସି ସ୍ୱତନ୍ତ୍ର ଯୋଜନା ମଧ୍ୟ ନାହିଁ । କାରିଗର ମାନ୍ୟତା ଦେବା ସହ ଆଧୁନିକ ଡିଜାଇନର ପ୍ରଶିକ୍ଷଣ, ନମୁନା ବିକାଶ ଓ ବିଭିନ୍ନ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଗଲେ ହିଁ ଏହି କୌଳିକ ବୃଦ୍ଧି ବଞ୍ଚିପାରିବ ନଚେତ ଆଖିଆଗରେ ଏହି ନିଆରା କଳା ଲୋପ ପାଇଯିବ ବୋଲି ସୂଚନା ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି