
ଭୁବନେଶ୍ୱର, 21 ଜୁଲାଇ (ହି.ସ.) - ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାର ତଦନ୍ତ
ପାଇଁ ଗଠିତ ଆୟୋଗର ରିପୋର୍ଟ ନିଖୋଜ ହୋଇଯିବା ଏବଂ ତାହାକୁ ସାର୍ବଜନୀନ ନ କରାଯିବାକୁ ନେଇ ବିଶ୍ୱ
ହିନ୍ଦୁ ପରିଷଦ ଉଦବେଗ ପ୍ରକାଶ କରିଛି । ନୂଆଦିଲ୍ଲୀର ଛତରପୁରସ୍ଥିତ ତେରାପନ୍ଥ ଭବନରେ ବିଶ୍ୱ
ହିନ୍ଦୁ ପରିଷଦର କେନ୍ଦ୍ରୀୟ ପ୍ରବନ୍ଧ ସମିତିର ଦୁଇ ଦିନିଆ ବୈଠକ ଏହାକୁ ନେଇ ଉଦବେଗ ପ୍ରକାଶ
ପାଇଛି । ଏହି ବୈଠକରେ ଦେଶର ବିଭିନ୍ନ ପ୍ରାନ୍ତରୁ କେନ୍ଦ୍ରୀୟ ପଦାଧିକାରୀ ଏବଂ ପ୍ରବନ୍ଧ
ସମିତିର ସଦସ୍ୟମାନେ ଯୋଗଦେଇଥିଲେ। ସମସାମୟିକ ଜାତୀୟ ଓ ସାମାଜିକ ପ୍ରସଙ୍ଗ ଉପରେ ବିସ୍ତୃତ
ଆଲୋଚନା ପରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବଗୁଡ଼ିକ ପାରିତ କରାଯାଇଥିଲା।
ପୂଜ୍ୟ ସ୍ୱାମୀ
ଲକ୍ଷ୍ମଣାନନ୍ଦ ସରସ୍ୱତୀ ଜୀଙ୍କ କନ୍ଧମାଳ (ଓଡ଼ିଶା)ରେ ଘଟିଥିବା ନିର୍ମମ ହତ୍ୟାର ତଦନ୍ତ ପାଇଁ
ଗଠିତ ଆୟୋଗର ରିପୋର୍ଟ ନିଖୋଜ ହୋଇଯିବା ଏବଂ ତାହାକୁ ସାର୍ବଜନୀନ ନ କରାଯିବା ପ୍ରତି ଗଭୀର
ଚିନ୍ତା ପ୍ରକାଶ କରାଯାଇଛି।
କେନ୍ଦ୍ରୀୟ ପ୍ରବନ୍ଧ ସମିତି
ସମଗ୍ର ଘଟଣାର ସିବିଆଇ ଦ୍ୱାରା ନିରପେକ୍ଷ ତଦନ୍ତ ସୁନିଶ୍ଚିତ କରିବାକୁ ଦାବି କରିଛି। ପରିଷଦ
କହିଛି ଯେ, ଏହି
ଜାତୀୟ ଗୁରୁତ୍ୱର ବିଷୟରେ ସତ୍ୟ ସାମ୍ନାକୁ ଆସିବା ନ୍ୟାୟ ଓ ଜନବିଶ୍ୱାସ ପାଇଁ ଅତ୍ୟନ୍ତ
ଆବଶ୍ୟକ। ଏହା ସହ ଓଡ଼ିଶାରେ ଧର୍ମାନ୍ତରଣ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧ ଲାଗୁ କରିବାକୁ
ଆହ୍ୱାନ କରାଯାଇଛି।
ବୈଠକରେ ଭାରତୀୟ ସମାଜର ମୂଳ
ଶକ୍ତି ଭାବେ ପରିବାର ବ୍ୟବସ୍ଥାକୁ ସୁରକ୍ଷିତ ଓ ସୁଦୃଢ଼ କରିବା ଉପରେ ଜୋର ଦିଆଯାଇଥିଲା।
ପ୍ରସ୍ତାବରେ କୁହାଯାଇଛି ଯେ, ଭାରତୀୟ ପରିବାର ବ୍ୟବସ୍ଥା ସଦୀୟଧରି ସମାଜକୁ ସଂସ୍କାରିତ, ସଂଗଠିତ
ଓ ଆତ୍ମୀୟ ରଖିଆସିଛି। ବର୍ତ୍ତମାନ ସମୟର ଚ୍ୟାଲେଞ୍ଜଗୁଡ଼ିକର ସମାଧାନ ସମାଜ ଏବଂ ଶାସନ – ଉଭୟ
ସ୍ତରରେ ଗମ୍ଭୀରତାର ସହ କରାଯିବା ଆବଶ୍ୟକ। କେତେକ ନ୍ୟାୟିକ ନିଷ୍ପତ୍ତି, ଯଥା
ବିବାହ ବାହିର ସମ୍ପର୍କକୁ ସ୍ୱୀକୃତି, ଲିଭ୍-ଇନ୍ ସମ୍ପର୍କକୁ ବୈଧତା, ସମଲିଙ୍ଗୀ ସମ୍ପର୍କକୁ
ସ୍ୱୀକୃତି ଇତ୍ୟାଦି, ପାରମ୍ପରିକ ସୁଦୃଢ଼ ପରିବାର ବ୍ୟବସ୍ଥାକୁ କ୍ଷତି ପହଞ୍ଚାଇଛି। ଏହି
ବିଷୟଗୁଡ଼ିକ ଉପରେ ବ୍ୟାପକ ଆଲୋଚନା କରି ଉପଯୁକ୍ତ ଆଇନ ପ୍ରଣୟନ କରାଯିବା ଦ୍ୱାରା ପାରିବାରିକ
କ୍ଷତିକୁ ରୋକିବାକୁ ପରିଷଦ ଆହ୍ୱାନ କରିଛି। ପରିଷଦ ପରିବାର ପ୍ରବୋଧନ ଏବଂ ପାରିବାରିକ
ମୂଲ୍ୟବୋଧର ସୁରକ୍ଷା ପାଇଁ ବ୍ୟାପକ ଜନଜାଗରଣ ଅଭିଯାନ ଚଳାଇବାକୁ ନିଷ୍ପତ୍ତି ନେଇଛି।
ସନ୍ଥ ଶିରୋମଣି ଗୁରୁ ରବିଦାସ
ଜୀଙ୍କ ୬୫୦ତମ ଜନ୍ମଶତାବ୍ଦୀ ଅବସରରେ ଏକ ବିଶେଷ ବକ୍ତବ୍ୟ ପାରିତ କରାଯାଇଥିଲା। ପରିଷଦ କହିଛି
ଯେ, ସନ୍ଥ
ରବିଦାସ ଜୀଙ୍କ ସାମାଜିକ ସମରସତା, ସମାନତା, ଆଧ୍ୟାତ୍ମିକ ଚେତନା ଏବଂ ମାନବୀୟ ମର୍ଯ୍ୟାଦାର ସନ୍ଦେଶ ଆଜି ମଧ୍ୟ
ସମଗ୍ର ଭାରତୀୟ ସମାଜ ପାଇଁ ପ୍ରେରଣାର ଉତ୍ସ ଅଟେ। ପରିଷଦ ସମଗ୍ର ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ
ଆୟୋଜନ କରି ତାଙ୍କ ସନ୍ଦେଶକୁ ସମାଜର ପ୍ରତ୍ୟେକ ବର୍ଗ ପର୍ଯ୍ୟନ୍ତ ପହଞ୍ଚାଇବାର ସଙ୍କଳ୍ପ
ନେଇଛି।
୨୭ ସେପ୍ଟେମ୍ବର ୨୦୨୬ରେ
ଶ୍ରୀରାମ ଜନ୍ମଭୂମି ଆନ୍ଦୋଳନର ପ୍ରଣେତା ଶ୍ରଦ୍ଧେୟ ଅଶୋକ ସିଂଘଲ ଜୀଙ୍କ ଜନ୍ମଶତବାର୍ଷିକୀ ପାଳନ
କରାଯିବ। ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ,
ସମଗ୍ର ବର୍ଷ ତାଙ୍କ ଦ୍ୱାରା ହିନ୍ଦୁ ସମାଜ ପାଇଁ କରାଯାଇଥିବା
ଅତୁଳନୀୟ କାର୍ଯ୍ୟକୁ ସମାଜ ମଧ୍ୟରେ ପହଞ୍ଚାଯିବ। ତାଙ୍କ ଜନ୍ମଶତବାର୍ଷିକୀ ବର୍ଷରେ ବିଶ୍ୱ
ହିନ୍ଦୁ ପରିଷଦ ସଂଗଠନର ବିସ୍ତାର ଉପରେ ବିଶେଷ ଗୁରୁତ୍ୱ ଦେବ।
ଅଶୋକ ସିଂଘଲ ଜୀ ରାମ ମନ୍ଦିର
ଆନ୍ଦୋଳନକୁ ସୁଦୃଢ଼ ନେତୃତ୍ୱ ପ୍ରଦାନ କରିଥିଲେ,
ହିନ୍ଦୁ ଜାଗରଣ ଅଭିଯାନ ଚଳାଇଥିଲେ, ସାମାଜିକ
ସମରସତାକୁ ପ୍ରୋତ୍ସାହନ ଦେଇଥିଲେ। ଗୋ-ଆଧାରିତ କୃଷି ମାଧ୍ୟମରେ ଗୋରକ୍ଷା ଓ ଗୋବଂଶ ସଂବର୍ଦ୍ଧନ
କାର୍ଯ୍ୟକୁ ଆହୁରି ବଢ଼ାଯିବ। ବେଦ ବିଦ୍ୟାଳୟଗୁଡ଼ିକୁ ପ୍ରାଚୀନ ଭାରତୀୟ ଜ୍ଞାନ ପରମ୍ପରାର
ପୁନଃପ୍ରତିଷ୍ଠାର କେନ୍ଦ୍ରରୂପେ ବିକଶିତ କରାଯିବ। ସେ ବିଶ୍ୱ ହିନ୍ଦୁ ପରିଷଦକୁ ଏକ ଶକ୍ତିଶାଳୀ
ସଂଗଠନ ଭାବେ ସ୍ଥାପିତ କରିଥିଲେ। ତାଙ୍କର ଦୂରଦର୍ଶୀ ଚିନ୍ତାଧାରା ଓ ନିରନ୍ତର ପ୍ରୟାସ ହିନ୍ଦୁ
ସମାଜରେ ନୂତନ ଚେତନାର ସଞ୍ଚାର କରିଥିଲା। ବୈଠକରେ ୧ କୋଟି ହିତଚିନ୍ତକ ସୃଷ୍ଟି କରିବାର
ସଙ୍କଳ୍ପ ନିଆଯାଇଛି।
ବୈଠକର ସମାପନ ହିନ୍ଦୁ
ସମାଜକୁ ସଂଗଠିତ କରିବା, ସନାତନ ମୂଲ୍ୟବୋଧର ସୁରକ୍ଷା କରିବା ଏବଂ ରାଷ୍ଟ୍ରହିତ କାର୍ଯ୍ୟରେ
ସକ୍ରିୟ ଭୂମିକା ଗ୍ରହଣ କରିବାର ଦୃଢ଼ ସଙ୍କଳ୍ପ ସହ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା