
ନୂଆପଡ଼ା, ୨୦ ଜୁଲାଇ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ପରିସରରେ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ ସିଂଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସାଧାରଣ ଲୋକଙ୍କ ଅଭିଯୋଗର ଶୁଣାଣୀ କରାଯିବା ସହ ସେଗୁଡ଼ିକର ତ୍ୱରିତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଆଜିର ଶିବିରରେ ମୋଟ ୧୧୮ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୧୦୩ଟି ବ୍ୟକ୍ତିଗତ ଏବଂ ୧୫ଟି ସାମୂହିକ ଅଭିଯୋଗ ଥିଲା। ପ୍ରତ୍ୟେକ ଅଭିଯୋଗର ଶୁଣାଣୀ କରାଯାଇ ଯଥାଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଶିବିରରେ ଦୁଇଜଣ ଅସହାୟ ବ୍ୟକ୍ତିଙ୍କୁ ରେଡକ୍ରସ ପାଣ୍ଠିରୁ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଲୋହରାପାଲି ଗ୍ରାମର ସଞ୍ଜୁଲତା ନାଏକଙ୍କୁ ୧୦,୦୦୦ ଟଙ୍କା ଏବଂ ସିନାପାଲି ବ୍ଲକ ଗଣ୍ଡାବାହାଳି ଗ୍ରାମର ତାରା ବାଗଙ୍କୁ ୫,୦୦୦ ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା। ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଦ୍ୱାରିକାନାଥ ଶତପଥୀ, ଖଡ଼ିଆଳ ବନଖଣ୍ଡ ଅଧିକାରୀ (କେନ୍ଦୁପତ୍ର) ଏ. ମାଧବୀଲତା, ଖଡ଼ିଆଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ଜିଲ୍ଲା ପରିଷଦ ସଦସ୍ୟ ମାଲ୍ୟବନ୍ତ ସୁନା ପ୍ରମୁଖ ଉପସ୍ଥିତ ଥିଲେ। ବିଡିଓ ମିଳନ କୁମାର ଝାଙ୍କର, ତହସିଲଦାର ନରସିଂହ ଗଡବା, ଖଡ଼ିଆଳ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ ମହାରଣା ଏବଂ ଡେପୁଟି ଜିଲ୍ଲାପାଳ ଶେଖ ନସୀମଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ।
ଅଭିଯୋଗ ଶୁଣାଣୀ ଶିବିର ଅବସରରେ ବ୍ଲକ ପରିସରରେ ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ଓ ଆୟୁଷ୍ମାନ ଆରୋଗ୍ୟ ଶିବିର ଆୟୋଜନ କରାଯାଇଥିଲା। ସେହିପରି ଦୋହେଲପଡ଼ା ଗ୍ରାମ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର, ‘ଝିଅ ପାଇଁ ଗଛଟିଏ’, ‘ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ’ ଏବଂ ‘ପ୍ଲାଷ୍ଟିକ ମୁକ୍ତ ନୂଆପଡ଼ା’ ଅଭିଯାନ ଅଧୀନରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହାସହ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ‘ପ୍ରାଣୀ ପାଇଁ ଦିନଟିଏ’ ଶୀର୍ଷକରେ ଏକ ସ୍ୱତନ୍ତ୍ର ପ୍ରାଣୀ ଚିକିତ୍ସା ଶିବିର ମଧ୍ୟ ଆୟୋଜନ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ