ଖଇରପୁଟ ବ୍ଲକର ବଡଡୁରାଲ ପଂଚାୟତରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣୀ ଶିବିର: ୬୩ ଗୋଟି ଅଭିଯୋଗର ସମାଧାନ ପାଇଁ ନିର୍ଦ୍ଦେଶ
ମାଲକାନଗିରି,୨୦ ଜୁଲାଇ (ହି.ସ.) ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଡଡୁରାଲ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମେଗା ଯୁଗ୍ମ ଜନ ଶୁଣାଣୀ ଓ ଅଭିଯୋଗ ସମାଧାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍
ଖଇରପୁଟ ବ୍ଲକର ବଡଡୁରାଲ ପଞ୍ଚାୟତରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣୀ ଶିବିର: ୬୩ ଗୋଟି ଅଭିଯୋଗର ସମାଧାନ ପାଇଁ ନିର୍ଦ୍ଦେଶ


ମାଲକାନଗିରି,୨୦ ଜୁଲାଇ (ହି.ସ.) ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଡଡୁରାଲ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମେଗା ଯୁଗ୍ମ ଜନ ଶୁଣାଣୀ ଓ ଅଭିଯୋଗ ସମାଧାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥୀ ସରାବୁ, ଉପ-ଜିଲ୍ଲାପାଳ ଦୂର୍ଯ୍ୟୋଧନ ଭୋଇ ଏବଂ ଖଇରପୁଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟା ଶୁଣିଥିଲେ। ଏହି ଶିବିରରେ ସମୁଦାୟ ୬୩ ଗୋଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ସେଥିମଧ୍ୟରୁ ୮ ଟି ବ୍ୟକ୍ତିଗତ ଏବଂ ୫୫ ଗୋଟି ସାମୁହିକ ଅଭିଯୋଗ ରହିଥିଲା। ଅଭିଯୋଗଗୁଡ଼ିକର ତତ୍କାଳ ଓ ସଠିକ୍ ଯାଂଚ ପାଇଁ ଶିବିର ସ୍ଥଳରେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କ୍ୟାମ୍ପ ମାନ ଖୋଲାଯାଇଥିଲା। ଏଥି ସହିତ ଜିଲ୍ଲାର ସମସ୍ତ ଲାଇନ ବିଭାଗ ଯେପରିକି ଜଳସେଚନ, ସ୍ୱାସ୍ଥ୍ୟ, ଶିକ୍ଷା, ଗ୍ରାମ୍ୟ ଉନ୍ନୟନ, ସାମାଜିକ ସୁରକ୍ଷା ଓ କୃଷି ବିଭାଗର ବରିଷ୍ଠ ଅଧିକାରୀମାନେ ନିଜ ନିଜ ଦଳ ସହ ଉପସ୍ଥିତ ରହି ଲୋକଙ୍କ ସମସ୍ୟାର ସ୍ଥଳଭାଗରେ ହିଁ ସମାଧାନ କରିବାକୁ ଚେଷ୍ଟା କରିଥିଲେ।

ଏହି ଅବସରରେ ଜିଲ୍ଲାପାଳ କହିଛନ୍ତି ଯେ, ପ୍ରତିଟି ନାଗରିକଙ୍କ ସମସ୍ୟାର ସମାଧାନ କରିବା ଜିଲ୍ଲା ପ୍ରଶାସନର ମୂଳ ଲକ୍ଷ୍ୟ। ଦୂରଦୂରାନ୍ତରେ ରହୁଥିବା ଗରିବ ଓ ଜନଜାତି ବର୍ଗର ଲୋକମାନେ ଯେପରି ସରକାରୀ ଯୋଜନାରୁ ବଂଚିତ ନ ହେବେ, ସେଥିପାଇଁ ଆମେ ସେମାନଙ୍କ ଦୁଆରମୁହଁରେ ପହଂଚିଛୁ। ପଞ୍ଜୀକୃତ ହୋଇଥିବା ସମସ୍ତ ୬୩ଟି ଅଭିଯୋଗକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ହସ୍ତାନ୍ତର କରାଯାଇଛି ଏବଂ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏଗୁଡ଼ିକର ସମାଧାନ କରି ରିପୋର୍ଟ ପ୍ରଦାନ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ଜିଲ୍ଲାପାଳ ଏବଂ ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ନିଜ ପଂଚାୟତରେ ପାଇଁ ସ୍ଥାନୀୟ ଅଂଚଳବାସୀ ଅତ୍ୟନ୍ତ ଆନନ୍ଦିତ ତଥା ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା। ପ୍ରଶାସନର ଏଭଳି ପଦକ୍ଷେପକୁ ନେଇ ଜନସାଧାରଣ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ପୂର୍ବରୁ ସାମାନ୍ୟ କାମ ପାଇଁ ସେମାନଙ୍କୁ ଜିଲ୍ଲା ସଦର ମହକୁମାକୁ ଦୌଡ଼ିବାକୁ ପଡ଼ୁଥିଲା। କିନ୍ତୁ ଆଜି ଜିଲ୍ଲାପାଳ ନିଜେ ସମସ୍ତ ବିଭାଗର ଅଧିକାରୀଙ୍କୁ ଧରି ଗାଁ ପାଖକୁ ଆସି ସମସ୍ୟା ଶୁଣିବା ଏବଂ ସମାଧାନର ବାଟ କାଢିବା ସତରେ ପ୍ରଶଂସନୀୟ। ଏହି ଶିବିରରେ ସ୍ଥାନୀୟ ସରପଂଚ, ସମିତି ସଭ୍ୟ ଓ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଯୋଗଦେଇ ନିଜ ନିଜର ଦାବିପତ୍ର ଉପସ୍ଥାପନ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande