
କେନ୍ଦୁଝର, ୨୦ ଜୁଲାଇ (ହି.ସ.) ଝୁମ୍ପୁରା ସରସ୍ୱତି ଶିଶୁ ବିଦ୍ୟା ମନ୍ଦିର ଆନୁକୁଲ୍ୟରେ ସର୍ବଭାରତୀୟ ସ୍ତରରେ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୨୦୨୩-୨୪ବ୍ୟାଚର ସୁରେନ୍ଦ୍ର ବାରିକ ଓ ରେଖା ରାଣୀ ବାରିକଙ୍କ ସୁପୁତ୍ର ଦିଗବିଜୟ ବାରିକ ୭୨୦ ନମ୍ବରରୁ ୬୪୮ ନମ୍ବର ରଖି ୧୫୪୯ ସ୍ଥାନ ଏବଂ କୁଞ୍ଜବିହାରୀ ପ୍ରଧାନ ଓ ମମତା ପ୍ରଧାନଙ୍କ ସୁପୁତ୍ର ୭୨୦ ରୁ ୬୩୪ ନମ୍ବର ରଖି ୨୯୩୪ ସ୍ଥାନ ପ୍ରାପ୍ତ କରି ଏ ଅଂଚଳ ତଥା ଝୁମ୍ପୁରା ଶିଶୁ ବିଦ୍ୟାମନ୍ଦିର ର ଗୌରବ ବୃଦ୍ଧି କରିଛନ୍ତି । ଏହି ଉତ୍ସବ ରେ ବିଦ୍ୟାଳୟର ବରିଷ୍ଠ ଗୁରୁଜୀ ଦୁଷ୍ମନ୍ତ କୁମାର ପ୍ରଧାନ ଅତିଥି ଅଧିକାରୀଙ୍କ ପରିଚୟ ପ୍ରଦାନ ପୂର୍ବକ ଶିଶୁମାନଙ୍କର ଭବିଷ୍ୟତ ଉନ୍ନତି କାମନା କରିଥିଲେ । ଝୁମ୍ପୁରା ଖଣ୍ଡର ସି.ଆର.ସି ତନ୍ମୟ କୁମାର ଗରି ଶିଶୁ ମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ବିଦ୍ୟାଳୟର ଶିଶୁ ଭାଇ ଭଉଣୀ ମାନେ କୃତକାର୍ଯ୍ୟ ଶିଶୁ ମାନଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପୁରୁଜିତ୍ ମୁନି ବିଦ୍ୟା ଭାରତୀର ଲକ୍ଷ୍ୟ ଅନୁସାରେ ଶିଶୁମାନେ ଭଲ ଡାକ୍ତର ହୋଇ ଗରିବ ଦୁଃଖି ମାନଙ୍କରେ ସେବା କରନ୍ତୁ ଏହି ଆଶା ରଖି ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଗୁରୁଜୀ ମନୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ ଦେବା ପୂର୍ବକ ଭଲ ମଣିଷ ହେବା ପାଇଁ ପୁରାଣ ପୃଷ୍ଠାର ଉଦାହରଣ ଦେଇଥିଲେ। ଏହି ଉତ୍ସବକୁ ପରିଚାଳନା କରିଥିଲେ ବିଦ୍ୟାଳୟ ର ବରିଷ୍ଠ ଆଚାର୍ଯ୍ୟ ପ୍ରହ୍ଲାଦ ମହାନ୍ତ । ବିଦ୍ୟାଳୟର ପ୍ରାକ୍ତନ ସଭାପତୀ ତଥା ଅଭିଭାବକ କୁଞ୍ଜବିହାରୀ ପ୍ରଧାନ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଶିଶୁ ମାନଙ୍କୁ ନିଜ ନିଜ ଲକ୍ଷ୍ୟ ସ୍ଥିର କରି ଆଗକୁ ବଢିବାକୁ ପରାମର୍ଶ ଦେଇଥିଲେ । ସମସ୍ତ ଗୁରୁଜୀ, ଗୁରୁମା , ସେବକ, ସେବିକା ଶିଶୁ ଭାଇ ଭଉଣୀଙ୍କ ସହଯୋଗରେ ଉତ୍ସବଟି ସଫଳ ହୋଇ ଥିଲା।
---------------
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA