
ନୂଆପଡ଼ା, ୨୦ ଜୁଲାଇ(ହି.ସ.) – ଗ୍ରାମାଂଚଳର ଶୋଭାବର୍ଦ୍ଧନ ସହିତ ଶିଶୁମାନଙ୍କ ସହ ଗ୍ରାମବାସୀଙ୍କ ଆମୋଦପ୍ରମୋଦ ଲକ୍ଷ୍ୟରେ ପ୍ରତ୍ୟେକ ବ୍ଲକ ତରଫରୁ ମନରେଗା ଯୋଜନା ମାଧ୍ୟମରେ ନିର୍ମାଣ ହେଲା ଗ୍ରାମୀଣ ପାର୍କ। ଜିଲାର ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବାଦି ଗ୍ରାମ ପଂଚାୟତର ବାଦି ଗ୍ରାମରେ ଏହି ପାର୍କ ନିର୍ମାଣ ୨୦୨୧/୨୨ରେ ଆରମ୍ଭ ହେଲା। ଏଥିପାଇଁ ମନରେଗା ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୩୫ ଲକ୍ଷ ଟଙ୍କା ଓ ପରେ ୯ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ପାର୍କରେ ଥିବା ଏକ ବୋର୍ଡ଼ରେ ୩୫ ଲକ୍ଷ ଟଙ୍କା ଅଟକଳ ମୂଲ୍ୟ ଥିବାବେଳେ ନେଟରେ ତାହା ୩୦ ଲକ୍ଷ ୮୭ ହଜାର ଟଙ୍କା ପ୍ରଦର୍ଶିତ ହେଉଛି। ସେହିପରି ନେଟ୍ରେ ଆଉ ୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ପ୍ରଦର୍ଶିତ ହେଉଥିବାବେଳେ କୌଣସି ବୋର୍ଡ ସେଠାରେ ନାହିଁ। ସେହିପରି ପାଚେରୀ ନିର୍ମାଣ ପାଇଁ ସିଏଫ୍ସିରୁ ୩,୬୬୦୩୨ ଟଙ୍କା ଖର୍ଚ୍ଚ ହୋଇଥିବା ଉଲ୍ଲିଖିତ ଅଛି। ପାର୍କରେ କୌଣସି କାର୍ଯ୍ୟ ହୋଇନଥିବାରୁ ଏହା ସମ୍ପୂର୍ଣ୍ଣ ହରିଲୁଟ କରାହୋଇଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏହି ଗ୍ରାମୀଣ ପାର୍କରେ କେବଳ ଏକ ପାଦଚଲା ରାସ୍ତାକୁ ଛାଡ଼ିଦେଲେ କିଛି ମଧ୍ୟ ନାହିଁ। ନା ଏଠି ବସିବା ପାଇଁ ବେଂଚ ଅଛି ନା ପିଲାମାନଙ୍କ ଖେଳିବା ପାଇଁ ଝୁଲା, ସ୍ଲାଇଡ୍ ଆଦି ଅଛି। ସୋଲାର ଲାଇଟ୍ ବ୍ୟବସ୍ଥା ନଥିବାବେଳେ ପାନୀୟ ଜଳର ସୁବିଧା ନାହିଁ। ସୋନ୍ଦର୍ଯ୍ୟକରଣ ପାଇଁ ଶୋଭା ବର୍ଦ୍ଧକ ଗଛ ନାହିଁ। ଲୋକେ ଅଭିଯୋଗ କରନ୍ତି ବିଭିନ୍ନ ଖେଳ ସାମଗ୍ରୀ ଆଣି କିଛି ଦିନ ରଖିଲା ପରେ ପ୍ରଶାସନ କୁଆଡେ ନେଇଗଲା କେହି ଜାଣନ୍ତି ନାହିଁ। ଯଦି ପାର୍କରେ କିଛି ନାହିଁ ତାହା ହେଲେ ଚାଳିଶ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କିପରି ହେଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକେ ଦାବି କରିଛନ୍ତି। ପୂର୍ବେ ଏହି ସ୍ଥାନରେ ଶତାଧିକ ଗଛ ରହିଥିଲା କିନ୍ତୁ ପାର୍କ ନାମରେ ସବୁ କାଟି ଦିଆଗଲା ବୋଲି ସମସ୍ତେ କହିଛନ୍ତି। ଏନେଇ ବିଡ଼ିଓ ମିଳନ କୁମାର ଝାଙ୍କରଙ୍କୁ ପଚାରିବାରୁ ଏହାର ତଦନ୍ତ କରାଯିବ ବୋଲି ପ୍ରକାଶ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ