
କେନ୍ଦ୍ରାପଡ଼ା, ୨୦ ଜୁଲାଇ(ହି.ସ.) – କଳିଙ୍ଗ ଜିମନାସିୟମ ଠାରେ ଚଳିତ ମାସ ୧୮ ଓ ୧୯ ତାରିଖରେ ଦୁଇଦିନିଆ ୩୨ତମ ରାଜ୍ୟସ୍ତରୀୟ ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧ ଜଣ ବାଳକ ଓ ବାଳିକା ଅଂଶଗ୍ରହଣ କରି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ୧୪ରୁ ୧୬ ବର୍ଷ ବାଳିକା ବିଭାଗରେ କୁମାରୀ ଅରପନା ମହନ୍ତ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଗାୟତ୍ରୀ ସାହୁ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ। ସେହିପରି ୧୮ରୁ ୨୧ ବର୍ଷ ବାଳକ ବିଭାଗରେ ଶ୍ରୀକୃଷ୍ଣ ମଣ୍ଡଳ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଅନ୍ୟପକ୍ଷରେ ୨୧ରୁ ୨୫ ବର୍ଷ ବାଳିକା ବିଭାଗରେ ଶୁଭଶ୍ରୀ ସରିତା ରାଉତ ପ୍ରଥମ ସ୍ଥାନ ହାସଲ କରି ଅତିଥିମାନଙ୍କ ହସ୍ତରୁ ପୁରସ୍କାର ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ମାନସ କୁମାର ଓଝା ଦଳ ପରିଚାଳକ(ମ୍ୟାନେଜର) ଭାବେ ଏବଂ ପୁନମ ସେଠୀ ପ୍ରଶିକ୍ଷକ(କୋଚ୍) ଭାବେ ଯୋଗଦାନ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି