
ନୂଆପଡ଼ା, ୨୦ ଜୁଲାଇ (ହି.ସ.) - ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରର ହିରାନଗର ଅଞ୍ଚଳକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଦୀର୍ଘଦିନ ଧରି ଶୋଚନୀୟ ଅବସ୍ଥାରେ ପଡ଼ିରହିଛି। ବର୍ଷା ଦିନରେ ରାସ୍ତାରେ ବଡ଼ ବଡ଼ ଖାଲ ସୃଷ୍ଟି ହେବା ସହ ପାଣି ଜମି ରହୁଥିବାରୁ ସାଧାରଣ ଲୋକଙ୍କ ଯାତାୟାତ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡ଼ିଛି। ପ୍ରତିଦିନ ଶତାଧିକ ଲୋକ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ବେଳେ ସେମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତା ନିକଟରେ ଯୁକ୍ତ–୩ ମହିଳା ଡିଗ୍ରୀ କଲେଜ ରହିଥିବାରୁ ପ୍ରତିଦିନ ଅନେକ ଛାତ୍ରୀ ଏହି ପଥ ଦେଇ କଲେଜକୁ ଯାତାୟାତ କରୁଛନ୍ତି। ବର୍ଷା ସମୟରେ ରାସ୍ତା କାଦୁଅରେ ପରିଣତ ହେଉଥିବାରୁ ଛାତ୍ରୀମାନଙ୍କୁ ବହୁ ଅସୁବିଧା ଭୋଗିବାକୁ ପଡ଼ୁଛି। ଅନେକ ସମୟରେ କାଦୁଅରେ ପଡ଼ି ଦୁର୍ଘଟଣା ଘଟିବାର ଆଶଙ୍କା ମଧ୍ୟ ସୃଷ୍ଟି ହେଉଛି।
ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ଦୀର୍ଘଦିନ ଧରି ରାସ୍ତା ମରାମତି ପାଇଁ ଦାବି କରାଯାଉଥିଲେ ମଧ୍ୟ ସମ୍ପୃକ୍ତ ବିଭାଗ ଏହାକୁ ଗୁରୁତ୍ୱ ଦେଉନାହାନ୍ତି। ଖାଲଖମାରେ ଭରିଥିବା ରାସ୍ତାରେ ଦୁଇଚକିଆ ଓ ଚାରିଚକିଆ ଯାନ ଚଳାଚଳ କରିବା ବିପଦଜନକ ହୋଇପଡ଼ିଛି। ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସେବା ମଧ୍ୟ ପ୍ରଭାବିତ ହେଉଥିବା ଅଭିଯୋଗ ହେଉଛି।
ସ୍ଥାନୀୟ ଲୋକ ଓ କଲେଜ ଛାତ୍ରୀ ରୁବିନା ସାହୁ, ବନ ସାହୁ, ସବିତ ସାହୁ, ବିନିତା ସାହୁ, ହୀନା ପରବିନ, ଜାହିରା ପରବିନ, ମାନିନୀ ସାହୁ, ମମତା ସାହୁ, ସବିତା ରଣା, ଲକ୍ଷ୍ମୀ ବାରିକ, ଝୁଲି ବାରିକ ପ୍ରମୁଖଙ୍କ ସହ ପଡ଼ାବାସୀ ପ୍ରଶାସନ ନିକଟରେ ହିରାନଗର ରାସ୍ତାର ତୁରନ୍ତ ମରାମତି ଓ ସ୍ଥାୟୀ ଉନ୍ନତି କାର୍ଯ୍ୟ କରିବାକୁ ଦାବି କରିଛନ୍ତି। ବର୍ଷା ଋତୁରେ ଲୋକଙ୍କ ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ବିଭାଗ ଶୀଘ୍ର ପଦକ୍ଷେପ ନେବ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି। ଏବେ ଦେଖିବାକୁ ବାକି ରହିଲା, ଲୋକଙ୍କ ଏହି ଦୀର୍ଘଦିନର ସମସ୍ୟା ପ୍ରତି ପ୍ରଶାସନ କେବେ ଦୃଷ୍ଟି ଦେଉଛି ଏବଂ ହିରାନଗର ରାସ୍ତାର ଉନ୍ନତି କାର୍ଯ୍ୟ କେବେ ଆରମ୍ଭ ହେଉଛି।
ଏନେଇ ଏନଏସି ଇଓ ସ୍ୱାଧୀନ କେତନ ମହାରଣାଙ୍କୁ ଯୋଗାଯୋଗ କରାଯିବାରୁ ମରାମତି କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ