
କେନ୍ଦୁଝର, ୨୦ ଜୁଲାଇ (ହି.ସ.) ଜଗନ୍ନାଥପୁର ସ୍ଥିତ ଗାୟତ୍ରୀ ମନ୍ଦିର ପରିସରରେ ଆଜି ମୈତ୍ରୀ ଅନୁଷ୍ଠାନ ଆନୁକୂଲ୍ୟରେ ତେଲକୋଇ ବ୍ଲକର କାଳିମା ଗ୍ରାମର ସ୍ୱର୍ଗତ ଲଛମନ ହାଁସଦା ଓ ସ୍ୱର୍ଗତ ରାଣୀ ହାଁସଦାଙ୍କ ଅନାଥ ଝିଅ ରାଧିକା ହାଁସଦାର ବିବାହ ବୈଦିକ ରୀତିନୀତି ଅନୁସାରେ ସମ୍ପନ୍ନ କରା ଯାଇଛି। ମୈତ୍ରୀ ଅନୁଷ୍ଠାନର ସଦସ୍ୟା ସ୍ମିତାରାଣୀ କୁଅଁର ଏହି ଅନାଥ ଝିଅର କନ୍ୟାଦାନ କରିଥିବା ବେଳେ ଜିତେନ୍ଦ୍ର ଗନ୍ତାୟତ ଓ ରୂପଶ୍ରୀ ଗନ୍ତାୟତ ପୁଅର ପିତାମାତା ହୋଇ ବାହାଘର ସମ୍ପର୍ଣ୍ଣ କରିଥିଲେ । ମୈତ୍ରୀ ଅନୁଷ୍ଠାନର ରାଜଶ୍ରୀ ଉପାଧ୍ୟାୟ, ପ୍ରଣତି ବଳ, ପୁଣ୍ୟଶିଳା ପାଣି, ରାକ୍ଷୀ ଜେନା ପ୍ରମୁଖଙ୍କ ସହ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଝିଅର ବିବାହ କାର୍ଯ୍ୟ ସମ୍ପାଦନ କରିବା ସହ ଆଶୀର୍ବାଦ ପ୍ରଦାନ କରିଥିଲେ। ଶାନ୍ତିକୁଞ୍ଜ ହରିଦ୍ୱାରର ବୈଦିକ ରୀତି ନୀତି ଅନୁସାରେ ମାତା ଗାୟତ୍ରୀ ବିବାହ ମତରେ ନୂଆସାହି ଅଂଚଳର ସ୍ୱର୍ଗତ ମଦନ ବାହାଦୂର ଓ ଚନ୍ଦ୍ରକଳା ବାହାଦୁରଙ୍କ ପୁଅ ଭୀମ ବାହାଦୂର ଶାସ୍ତ୍ରୀଙ୍କ ସହ ବାପା ମାଆ ଛେଉଣ୍ଡ ଆଦିବାସୀ କନ୍ୟା ରାଧିକା ହାଁସଦା ସହ, ବିବାହ ସମ୍ପର୍ଣ୍ଣ ହୋଇଛି। ଗାୟତ୍ରୀ ଶକ୍ତିପୀଠର ମୁଖ୍ୟ ଟ୍ରଷ୍ଟି ଜଗଦୀଶ ପ୍ରସାଦ ଦାଶ ଏହି ବିବାହ କାର୍ଯ୍ୟ ହୋମ ଯଜ୍ଞ ଆଦି ସମ୍ପାଦନା କରିଥିବା ବେଳେ ବରକନ୍ୟାଙ୍କ ବିବାହ ପାଇଁ ଅନେକ ସାମାଜିକ କର୍ମୀ ଓ ସ୍ୱେଛାସେବୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗର ହାତ ବଢ଼ାଇବା ସହ ସଫଳ କରିଥିଲେ। ଶେଷରେ ବରପକ୍ଷ ଓ କନ୍ୟା ପକ୍ଷ ଲୋକଙ୍କ ସହ ମୈତ୍ରୀ ପରିବାରର ସମସ୍ତ ସଦସ୍ୟ ଏକତ୍ର ପ୍ରସାଦ ସେବନ କରିଥିଲେ ଓ ଉଭୟ ବରକନ୍ୟାଙ୍କ ଉଜ୍ୱଳ ପାରିବାରିକ ଜୀବନର ଆଶୀର୍ବାଦ କରିଥିଲେ।
--------------
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA