
ଝାରସୁଗୁଡ଼ା, ୨୦ ଜୁଲାଇ (ହି.ସ.)- ଆଗାମୀ ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଜିଲ୍ଲା ଖଣିଜ ପାଣ୍ଠି ଅଡିଟରିୟମ ଠାରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନ ଉତ୍ସବ ମନମୋହନ ସ୍କୁଲ ପଡ଼ିଆଠାରେ ଆୟୋଜନ କରାଯିବ। ଉକ୍ତ ଦିନ ପ୍ରତ୍ୟୁଷରେ ରାମଧୁନ ଗାନ କରାଯାଇ ସହର ପରିକ୍ରମା କରାଯିବ। ବିଭିନ୍ନ ଶିକ୍ଷାଅନୁଷ୍ଠାନ ତଥା ସରକାରୀ କାର୍ଯ୍ୟାଳୟରେ ସକାଳ ୮ଟା ରୁ ୮:୩୦ ମଧ୍ୟରେ ଅନୁଷ୍ଠାନର ମୁଖ୍ୟଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯିବାକୁ ଥିବାବେଳେ ସକାଳ ୯ଟା ୧୫ ସମୟରେ ମନମୋହନ ସ୍କୁଲ ପଡ଼ିଆଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ ଅଭିବାଦନ ଗ୍ରହଣ କରିବେ। ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିସହ ସେହିଦିନ ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଏମସିଏଲ ଅଡିଟରୀୟମ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜିଲ୍ଲା କାରାଗାର ଏବଂ ଅନ୍ୟାନ୍ୟ ସ୍ଥାନରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ମଧ୍ୟ ସ୍ଥିର ହୋଇଛି।
ଏହି ବୈଠକରେ ବିଶ୍ୱ ରଞ୍ଜନ ନାୟକ, ଜିଲ୍ଲା ପରିଷଦ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଅଧିକାରୀ ବ୍ରଜବନ୍ଧୁ ଭୋଇ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ), ଲଳିତ କୁମାର ସୋରେଙ୍ଗ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଏବଂ ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ।
ଏହି କାର୍ଯ୍ୟକ୍ରମର ପରିଚାଳନା ଝାରସୁଗୁଡ଼ା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା। ଏବଂ ସଭା ଶେଷରେ ସୁଶ୍ରୀ କୃଷ୍ଣାକେଶୀ ବଳିୟାରସିଂହ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏଥିସହ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କର୍ମଚାରୀ ଭୁବନାନନ୍ଦ ବାଗ, ନିହାଲ୍ ଭୋଇ, ରବିନ୍ଦ୍ର ନିଆଳ ଏବଂ ରାଜସ୍ବ ବିଭାଗ ଆସିଷ୍ଟାଣ୍ଟ ଜଗନ୍ନାଥ ରାଉତ ସହଯୋଗ କରିଥିଲେ। ଏହି ବୈଠକରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ପୋଲିସ ପ୍ରଶାସନ, ଶିକ୍ଷାନୁଷ୍ଠାନର ଶିକ୍ଷକ, ବହୁ ସଂଖ୍ୟାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ