
ଝାରସୁଗୁଡା, ୨୦ ଜୁଲାଇ, (ହି.ସ.):ଗଣ୍ଡା ସମାଜ ବିକାଶ ପରିଷଦ, ଝାରସୁଗୁଡା ଏବଂ ଓଡିଶା ପ୍ରଦେଶ ଲକ୍ଷେଘର ଅନୁସୂଚିତ ଜାତି ମହାସଂଘ, ଝାରସୁଗୁଡା ଜିଲ୍ଲା ଶାଖାର ମିଳିତ ଉଦ୍ୟମରେ ଆଜି ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ବଲାଙ୍ଗିର ଜିଲ୍ଲାର ଘୁଷୁରାମୁଣ୍ଡା ଗ୍ରାମ ଅଙ୍ଗନବାଡି କେନ୍ଦ୍ରରେ ପାଚିକା ନିଯୁକ୍ତିକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦ ଏବଂ ଜାତିଗତ ଆକ୍ଷେପ ପ୍ରସଙ୍ଗରେ ସଂଗଠନ ପକ୍ଷରୁ ଗଭୀର ଉଦ୍ବେଗ ପ୍ରକାଶ କରାଯାଇଥିଲା।
ସଂଗଠନ ପକ୍ଷରୁ କୁହାଯାଇଥିଲା ଯେ, ସରକାରୀ ବିଜ୍ଞପ୍ତି ଓ ନିର୍ଦ୍ଧାରିତ ଯୋଗ୍ୟତା ଆଧାରରେ ୬ ଜଣ ଆବେଦନକାରୀଙ୍କ ମଧ୍ୟରୁ ପୁଣ୍ୟ ହରିପାଲ ପାଚିକା ଭାବେ ନିଯୁକ୍ତି ପାଇଥିଲେ। କିନ୍ତୁ ଗ୍ରାମର କିଛି ଲୋକ ତାଙ୍କ ଜାତିକୁ ନେଇ ଆପତ୍ତି ଉଠାଇ ତାଙ୍କ ହାତରୁ ଶିଶୁମାନେ ଖାଦ୍ୟ ଗ୍ରହଣ କରିବେ ନାହିଁ ବୋଲି ବିରୋଧ କରିଥିଲେ। ଏପରିକି ଅଙ୍ଗନବାଡି କେନ୍ଦ୍ରକୁ ତାଲା ପକାଇ ଦିଆଯାଇଥିବା ଅଭିଯୋଗ କରାଯାଇଛି।
ପ୍ରେସ ସମ୍ମିଳନୀରେ କୁହାଯାଇଥିଲା ଯେ, ଏହି ଘଟଣା ସମୟରେ ମିଡିଆ, ପୋଲିସ, ସିଡିପିଓ ଓ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ମଧ୍ୟ ଜାତିଗତ ମନ୍ତବ୍ୟ କରାଯାଇଥିଲା। ଏହା ଫଳରେ କେବଳ ପୁଣ୍ୟ ହରିପାଲ ନୁହେଁ, ସମଗ୍ର ଗଣ୍ଡା ସମ୍ପ୍ରଦାୟର ସ୍ୱାଭିମାନ ଆହତ ହୋଇଥିବା ସଂଗଠନ ପକ୍ଷରୁ କୁହାଯାଇଛି।
ଗଣ୍ଡା ସମାଜ ବିକାଶ ପରିଷଦର ସଭାପତି ଚିନ୍ତାମଣି ସାମନ୍ତରାୟ କହିଥିଲେ ଯେ, ନିଯୁକ୍ତ ପାଚିକାଙ୍କୁ କାର୍ଯ୍ୟରୁ ଦୂରେଇ ରଖି ମା' ମଙ୍ଗଳ କମିଟିକୁ ରୋଷେଇ ଦାୟିତ୍ୱ ଦେବା ଗଣ୍ଡା ସମ୍ପ୍ରଦାୟ ପ୍ରତି ଅପମାନ ସଦୃଶ। ଏଭଳି ପଦକ୍ଷେପ ଦ୍ୱାରା ପ୍ରଶାସନ ପରୋକ୍ଷରେ ଜାତିଗତ କୁସଂସ୍କାରକୁ ପ୍ରୋତ୍ସାହନ ଦେଉଥିବା ଭାବନା ସୃଷ୍ଟି ହେଉଛି ବୋଲି ସେ ମତ ପ୍ରକାଶ କରିଥିଲେ।
ଓଡିଶା ପ୍ରଦେଶ ଲକ୍ଷେଘର ଅନୁସୂଚିତ ଜାତି ମହାସଂଘ, ଝାରସୁଗୁଡା ଜିଲ୍ଲା ଶାଖାର ସଭାପତି ଶଙ୍କର ପୋଡ କହିଥିଲେ ଯେ, ଯେଉଁମାନେ ସରକାରୀ କର୍ମଚାରୀଙ୍କୁ ଜାତିଗତ ଭାବେ ଅପମାନ କରିଛନ୍ତି, ସେମାନଙ୍କ ବିରୋଧରେ ଏସ୍ସି/ଏସ୍ଟି ଅତ୍ୟାଚାର ନିବାରଣ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ। ସେହିପରି ପୁଣ୍ୟ ହରିପାଲଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ସମ୍ମାନର ସହ ପାଚିକା ଭାବେ କର୍ତ୍ତବ୍ୟ ପାଳନ କରିବାର ସୁଯୋଗ ଦେବାକୁ ସେ ସରକାରଙ୍କୁ ଦାବି କରିଥିଲେ।
ବକ୍ତାମାନେ ଆହୁରି କହିଥିଲେ ଯେ, ଏଭଳି ଘଟଣାର ପ୍ରଭାବ ଅନ୍ୟ ଜିଲ୍ଲାରେ ମଧ୍ୟ ପଡ଼ୁଥିବା ଦେଖାଯାଉଛି। ତେଣୁ ରାଜ୍ୟର ସମସ୍ତ ଜିଲ୍ଲା ପ୍ରଶାସନ ଜାତିଭେଦକୁ ପ୍ରଶ୍ରୟ ନଦେଇ ସମ୍ବିଧାନ ପ୍ରଦତ୍ତ ସମାନତାର ମୂଲ୍ୟବୋଧକୁ ସୁରକ୍ଷିତ ରଖିବା ପାଇଁ ସତର୍କ ରହିବା ଆବଶ୍ୟକ ବୋଲି ମତ ପ୍ରକାଶ କରାଯାଇଥିଲା।
ପ୍ରେସ ସମ୍ମିଳନୀରେ ରବିନ୍ଦ୍ର ବାଦୀ, ରବିନ୍ଦ୍ର ସୋହେଲା, ଦୟାସାଗର କୁମୁରା, ବିଜୟନ୍ତୀ ତାଣ୍ଡିଆ ଏବଂ ଇନ୍ଦ୍ରାଣୀ ତନ୍ତୀ ପ୍ରମୁଖ ଉପସ୍ଥିତ ରହି ଘଟଣାର ନିରପେକ୍ଷ ତଦନ୍ତ ସହ ଆଇନ ଆନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ଆହ୍ୱାନ ଜଣାଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ