ଜନଶୁଣାଣିରେ ଲୋକଙ୍କ ଅଭିଯୋଗ ଶୁଣି ତୁରନ୍ତ ପଦକ୍ଷେପ ନେଲେ ବିଧାୟକ
Public grievance at bjp office
Public grievance


ଝାରସୁଗୁଡ଼ା, ୨୦ ଜୁଲାଇ (ହି.ସ.)- ଝାରସୁଗୁଡ଼ା ବିଟିଏମ୍ ସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକଙ୍କ ସମସ୍ୟା ଶୁଣିଥିଲେ। ଏହି ଅବସରରେ ସେ ଉପସ୍ଥିତ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ବିଭିନ୍ନ ଅଭିଯୋଗ ଓ ଦାବି ସମ୍ପର୍କରେ ଅବଗତ ହୋଇଥିଲେ। କାର୍ଯ୍ୟକ୍ରମରେ ୱାର୍ଡ ନଂ–୧୩ ବାଲିଯୋରୀ ଓରାମପଡାର ବାସିନ୍ଦାମାନେ ବିଧାୟକଙ୍କୁ ଭେଟି ଅଞ୍ଚଳର ଦୀର୍ଘଦିନର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହାକୁ ଗୁରୁତ୍ୱର ସହ ନେଇ ବିଧାୟକ ତ୍ରିପାଠୀ ତତ୍କାଳ ଝାରସୁଗୁଡ଼ା ଜିଲ୍ଲାପାଳ ଓ ଦକ୍ଷିଣ ପୂର୍ବ ରେଳବାଇର ଚକ୍ରଧରପୁର ଡିଭିଜନର ଖଣ୍ଡୀୟ ରେଳ ପ୍ରବନ୍ଧକଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରି ସମସ୍ୟାର ଶୀଘ୍ର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ।

ସେହିପରି ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସାମାଜିକ ସୁରକ୍ଷା ଭତ୍ତା ଏବଂ ଅନ୍ୟାନ୍ୟ ଜନକଲ୍ୟାଣମୂଳକ ସେବା ସମ୍ପର୍କିତ ବିଭିନ୍ନ ଅଭିଯୋଗ ଉପସ୍ଥାପନ କରିଥିଲେ। କିଛି ସମସ୍ୟାର ତୁରନ୍ତ ସମାଧାନ ପାଇଁ ସ୍ଥଳରେ ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ, ଅନ୍ୟ ସମସ୍ତ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ପ୍ରଶାସନ ସହ ସମନ୍ୱୟ ରଖି କାର୍ଯ୍ୟ କରାଯିବ ବୋଲି ବିଧାୟକ ଶ୍ରୀ ତ୍ରିପାଠୀ ପ୍ରକାଶ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande