
ନୂଆପଡ଼ା, ୨୦ ଜୁଲାଇ(ହି.ସ.) – ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଦାବ୍ରି ପଂଚାୟତର ଭୈଇରାଜପୁର ଗ୍ରାମରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରାରମ୍ଭରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏଥିରେ ୮୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ତିନିଜଣ ଶିକ୍ଷକ ନିଯୁକ୍ତ ଅଛନ୍ତି। ଏହି ବିଦ୍ୟାଳୟରେ ପୂର୍ବରୁ ପାଂଚ ଜଣ ଶିକ୍ଷକ ଥିବାବେଳେ ଦୁଇଜଣ ଶିକ୍ଷକ ସିଆର୍ସିସି ପଦବିରେ ପଦୋନ୍ନତି ପାଇଁ ବଦଳି ହୋଇଗଲେ। ସେହିଦିନ ଠାରୁ ଶିକ୍ଷକ ଅଭାବ ଦୂର କରିବା ଦାବିରେ ଗ୍ରାମବାସୀ ଓ ଅଭିଭାବକମାନେ ତିନିଥର ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣୀ ଶିବିରକୁ ଆସି ଅଭିଯୋଗପତ୍ର ଦାଖଲ କରିଥିଲେ। ତେବେ ବାରମ୍ବାର ଦାବି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ ହୋଇନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମବାସୀ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଏକ ପ୍ରହସନ ବୋଲି ଅଭିଯୋଗ କରିଛନ୍ତି। ଅଭିଭାବକମାନଙ୍କ କହିବା ଅନୁସାରେ, ବିଦ୍ୟାଳୟରେ ପର୍ଯ୍ୟାପ୍ତ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠପଢ଼ାରେ ଗୁରୁତର ଭାବେ ପ୍ରଭାବିତ ହେଉଛି। ଏହି ସମସ୍ୟାର ସମାଧାନ ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ଆବଶ୍ୟକ ଶିକ୍ଷକ ନିଯୁକ୍ତି କରିବାକୁ ସେମାନେ ଦାବି କରିଛନ୍ତି। ଯଦି ଖୁବଶୀଘ୍ର ସମାଧାନ ନହୁଏ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେବୋଲି ଗ୍ରାମବାସୀ ଭକ୍ତବନ୍ଧୁ ବଛା, କୈଳାଶ ମହନନ୍ଦ, ନବୀନ କେତକୀ ଚେତାବନୀ ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ