ଛାତ୍ର ଆନ୍ଦୋଳନ ଓ ସୋନମ ୱାଙ୍ଗଚୁକଙ୍କୁ ସମର୍ଥନ ଜଣାଇ ଭୁବନେଶ୍ୱରରେ ବାମପନ୍ଥୀ ଦଳର ଗଣବିକ୍ଷୋଭ
ଭୁବନେଶ୍ୱର,୨୦ ଜୁଲାଇ (ହି.ସ)- ଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା ସର୍ବଭାରତୀୟ ଛାତ୍ର ଆନ୍ଦୋଳନ ଏବଂ ସୋନମ ୱାଙ୍ଗଚୁକଙ୍କ ଅନଶନ ପ୍ରତି ସଂହତି ଜଣାଇ ସୋମବାର ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ସି.ପି.ଆଇ., ସି.ପି.ଆଇ.(ଏମ୍), ସି.ପି.ଆଇ.(ଏମ୍-ଏଲ୍) ଲିବରେସନ ଏବଂ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ପକ୍ଷରୁ
left


ଭୁବନେଶ୍ୱର,୨୦ ଜୁଲାଇ (ହି.ସ)- ଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା ସର୍ବଭାରତୀୟ ଛାତ୍ର ଆନ୍ଦୋଳନ ଏବଂ ସୋନମ ୱାଙ୍ଗଚୁକଙ୍କ ଅନଶନ ପ୍ରତି ସଂହତି ଜଣାଇ ସୋମବାର ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ସି.ପି.ଆଇ., ସି.ପି.ଆଇ.(ଏମ୍), ସି.ପି.ଆଇ.(ଏମ୍-ଏଲ୍) ଲିବରେସନ ଏବଂ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ପକ୍ଷରୁ ଏକ ବିଶାଳ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ବକ୍ତାମାନେ କହିଥିଲେ ଯେ, ଦେଶର ଶିକ୍ଷା ବ୍ୟବସ୍ଥା ଆଜି ଗଭୀର ସଙ୍କଟ ମଧ୍ୟରେ ରହିଛି। ନିଟ୍ ସମେତ ବିଭିନ୍ନ ଜାତୀୟ ପ୍ରବେଶିକା ପରୀକ୍ଷାରେ ଲଗାତାର ଅନିୟମିତତା, ଏନ୍.ଟି.ଏ.ର ଚରମ ବିଫଳତା ଏବଂ ଶିକ୍ଷାର ବାଣିଜ୍ୟିକୀକରଣ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନିଶ୍ଚିତ କରିଦେଇଛି। ବିକ୍ଷୋଭରେ ଦିଲ୍ଲୀରେ ଛାତ୍ରମାନଙ୍କ ଗଣତାନ୍ତ୍ରିକ ଆନ୍ଦୋଳନକୁ ପୁଲିସ ବଳ ପ୍ରୟୋଗ କରି ଦମନ କରିବାର ଉଦ୍ୟମକୁ ତୀବ୍ର ନିନ୍ଦା କରାଯାଇଥିଲା। ଗଣତାନ୍ତ୍ରିକ ଅଧିକାର ପ୍ରୟୋଗ କରି ନିଜ ଦାବି ଉପସ୍ଥାପନ କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ଦମନମୂଳକ ପଦକ୍ଷେପ ଗ୍ରହଣ କରିବା ପରିବର୍ତେ ସରକାର ସେମାନଙ୍କ ଯଥାର୍ଥ ଦାବିଗୁଡ଼ିକର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବା ଉଚିତ୍ ବୋଲି ବକ୍ତାମାନେ ଦାବି କରିଥିଲେ।

ଚା ଚାରି ବାମପନ୍ଥୀ ଦଳ ଦାବି କରିଛନ୍ତି ଯେ, ଭାରତର ଶିକ୍ଷା ବ୍ୟବସ୍ଥାରେ ଦେଖାଦେଇଥିବା ଅରାଜକତା ପାଇଁ ନୈତିକ ଦାୟିତ୍ୱ ଗ୍ରହଣ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ଇସ୍ତଫା ଦିଅନ୍ତୁ। ଏନ୍.ଟି.ଏ.କୁ ବିଲୋପ କରାଯାଇ ନିଟ୍ ସମେତ ସମସ୍ତ ଜାତୀୟ ପ୍ରବେଶିକା ପରୀକ୍ଷାରେ ସ୍ୱଚ୍ଛତା, ନିରପେକ୍ଷତା ଓ ଜବାବଦେହିତା ସୁନିଶ୍ଚିତ କରାଯାଉ। ଏନ୍.ଟି.ଏ. ର ବିଫଳତାର ନିରପେକ୍ଷ ତଦନ୍ତ କରି ଦୋଷୀମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଛାତ୍ରବିରୋଧୀ ଜାତୀୟ ଶିକ୍ଷାନୀତି- ୨୦୨୦କୁ ପ୍ରତ୍ୟାହାର କରାଯାଉ। ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଓ ସଂସ୍ଥାଗତ ମୃତ୍ୟୁ ପାଇଁ ଦାୟୀ ସମସ୍ତଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯାଉ। ଶିକ୍ଷାର ବାଣିଜ୍ୟିକୀକରଣ ବନ୍ଦ କରି ସମସ୍ତଙ୍କ ପାଇଁ ସମାନ, ଗୁଣାତ୍ମକ, ବୈଜ୍ଞାନିକ ଓ ସୁଲଭ ଶିକ୍ଷା ସୁନିଶ୍ଚିତ କରିବା ସହ ଛାତ୍ରଛାତ୍ରୀଙ୍କ ମାନସିକ ସୁରକ୍ଷା, ମର୍ଯ୍ୟାଦା ଓ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ସରକାର ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ।

ଚା ଚାରି ବାମପନ୍ଥୀ ଦଳ ଓଡ଼ିଶା ସରକାରଙ୍କୁ ମଧ୍ୟ ସମାନ ଭାବରେ ଦାୟୀ କରି କହିଛନ୍ତି ଯେ, ରାଜ୍ୟରେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରକାଶ ଏକ ଗୁରୁତର ଅବହେଳା ଓ ଛାତ୍ରସମାଜ ପ୍ରତି ଅନ୍ୟାୟ। ଏଥିପାଇଁ ଦାୟୀ ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦେବା ସହ ତ୍ରୁଟିମୁକ୍ତ ସଂଶୋଧିତ ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକ ଅତିଶୀଘ୍ର ପ୍ରଚଳନ କରାଯିବା ଉଚିତ।

ବିକ୍ଷୋଭ କାର୍ଯ୍ୟକ୍ରମରେ ସି.ପି.ଆଇ. ରାଜ୍ୟ ସମ୍ପାଦକ ଡ଼ଃ. ପ୍ରଶାନ୍ତ କୁମାର ମିଶ୍ର, ସି.ପି.ଆଇ.(ଏମ୍) ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସି.ପି.ଆଇ.(ଏମ୍-ଏଲ୍) ଲିବରେସନ ପକ୍ଷରୁ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ଏବଂ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ରଙ୍କ ସମେତ ରାମକୃଷ୍ଣ ପଣ୍ଡା, ଅଳି କିଶୋର ପଟ୍ଟନାୟକପ୍ରମୁଖ ବରିଷ୍ଠ ଜାତୀୟ ଓ ରାଜ୍ୟ ନେତୃବୃନ୍ଦ ଉପସ୍ଥିତ ରହି ଉଦ୍ବୋଧନ ଦେବା ସହ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande