ପୁରୀ ପୋଲିସର ଆଣ୍ଟି-ସ୍ନାଚିଂ ଅଭିଯାନ ; ୪ ଦିନରେ ୧୪୩ ଜଣ ସ୍ନାଚର ଗିରଫ, ୨୫୦ରୁ ଅଧିକ ଚୋରି ମୋବାଇଲ ଜବତ
ପୁରୀ, ୨୦ ଜୁଲାଇ (ହି.ସ.)- ରଥଯାତ୍ରା ୨୦୨୬ ଅବସରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଶ୍ରୀକ୍ଷେତ୍ର ପୁରୀକୁ ଆସୁଥିବା ପରିପ୍ରେକ୍ଷୀରେ ସେମାନଙ୍କର ସୁରକ୍ଷା, ନିରାପତ୍ତା ଓ ନିର୍ବିଘ୍ନ ଦର୍ଶନକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହିତ ଏକ ସ୍ୱତନ୍ତ୍
ପୁରୀ ପୋଲିସର ଆଣ୍ଟି-ସ୍ନାଚିଂ ଅଭିଯାନ ; ୪ ଦିନରେ ୧୪୩ ଜଣ ସ୍ନାଚର ଗିରଫ, ୨୫୦ରୁ ଅଧିକ ଚୋରି ମୋବାଇଲ ଜବତ


ପୁରୀ, ୨୦ ଜୁଲାଇ (ହି.ସ.)- ରଥଯାତ୍ରା ୨୦୨୬ ଅବସରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଶ୍ରୀକ୍ଷେତ୍ର ପୁରୀକୁ ଆସୁଥିବା ପରିପ୍ରେକ୍ଷୀରେ ସେମାନଙ୍କର ସୁରକ୍ଷା, ନିରାପତ୍ତା ଓ ନିର୍ବିଘ୍ନ ଦର୍ଶନକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହିତ ଏକ ସ୍ୱତନ୍ତ୍ର ଆଣ୍ଟି-ସ୍ନାଚିଂ ଡ୍ରାଇଭ୍ ଜାରି ରହିଛି। ଭିଡ଼ର ସୁଯୋଗ ନେଇ ମୋବାଇଲ, ପର୍ସ, ସୁନା ଅଳଙ୍କାର ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟ୍ କରୁଥିବା ଅପରାଧୀଙ୍କ ବିରୋଧରେ ପୁରୀ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଉଛି। ଗତ ୪ ଦିନ ଧରି ଚାଲିଥିବା ଏହି ସ୍ୱତନ୍ତ୍ର ଅଭିଯାନରେ ପୁରୀ ପୋଲିସ ବିଭିନ୍ନ ଥାନା ଓ ଆଣ୍ଟି-ସ୍ନାଚିଂ ଟିମ୍ ର ମିଳିତ ଉଦ୍ୟମରେ ମୋଟ ୧୪୩ ଜଣ ସ୍ନାଚରଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨୫୦ରୁ ଅଧିକ ଚୋରି ମୋବାଇଲ ଫୋନ୍ ଜବତ କରାଯାଇଛି। ଆଇନଗତ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ଉଦ୍ଧାର ହୋଇଥିବା ମୋବାଇଲ ଫୋନଗୁଡ଼ିକୁ ସେମାନଙ୍କର ପ୍ରକୃତ ମାଲିକଙ୍କୁ ଫେରସ୍ତ କରାଯାଉଛି । ଏହି ଅଭିଯାନରେ ଟାଉନ ଥାନା ୪୭ ଜଣ ଅଭିଯୁକ୍ତ ଗିରଫ, ସିଂହଦ୍ୱାର ଥାନା ୩୫ ଜଣ ଅଭିଯୁକ୍ତ ଗିରଫ, କୁମ୍ଭାରପଡ଼ା ଥାନା ୩୧ ଜଣ ଅଭିଯୁକ୍ତ ଗିରଫ, ସି ବିଚ୍ ଥାନା ୧୫ ଜଣ ଅଭିଯୁକ୍ତ ଗିରଫ, ବାଲିଆପଣ୍ଡା ଥାନା ୧୩ ଜଣ ଅଭିଯୁକ୍ତ ଗିରଫ, ତାଳବଣିଆ ଥାନା ୨ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ପୁରୀ ସହରର ବଡ଼ଦାଣ୍ଡ, ଶ୍ରୀଜଗନ୍ନାଥ ମନ୍ଦିର ପରିସର, ଗୁଣ୍ଡିଚା ମନ୍ଦିର, ସମୁଦ୍ରକୂଳ, ବସଷ୍ଟାଣ୍ଡ, ରେଳ ଷ୍ଟେସନ, ପାର୍କିଂ ସ୍ଥଳୀ ଏବଂ ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ସ୍ୱତନ୍ତ୍ର ନଜରଦାରୀ ବ୍ୟବସ୍ଥା କରାଯାଇଛି। ସାଦା ପୋଷାକଧାରୀ ପୋଲିସ କର୍ମଚାରୀ, ଆଣ୍ଟି-ସ୍ନାଚିଂ ଟିମ୍, ସିସିଟିଭି ନିରୀକ୍ଷଣ ଓ ସୂଚନାକୁ ଆଧାର କରି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ତୁରନ୍ତ ଗିରଫ କରାଯାଉଛି।

ପୁରୀ ଏସପି ପ୍ରତୀକ ସିଂ କହିଛନ୍ତି ଯେ, ରଥଯାତ୍ରା ସମୟରେ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପୁରୀ ପୋଲିସର ସର୍ବୋଚ୍ଚ ପ୍ରାଥମିକତା। ଚୋରି, ସ୍ନାଚିଂ ଓ ଅନ୍ୟାନ୍ୟ ସମ୍ପତ୍ତି ସମ୍ବନ୍ଧୀୟ ଅପରାଧକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ଆଣ୍ଟି-ସ୍ନାଚିଂ ଅଭିଯାନକୁ ଆହୁରି ଜୋରଦାର କରାଯାଇଛି ଏବଂ ଏହି ଅଭିଯାନ ଆଗାମୀ ଦିନରେ ମଧ୍ୟ ନିରନ୍ତର ଜାରି ରହିବ। ଏପରି ଅପରାଧରେ ସମ୍ପୃକ୍ତ କୌଣସି ବ୍ୟକ୍ତିଙ୍କୁ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନରୁ ରକ୍ଷା ମିଳିବ ନାହିଁ । ପୁରୀ ପୋଲିସ ସମସ୍ତ ଶ୍ରଦ୍ଧାଳୁ ଓ ସାଧାରଣ ଜନତାଙ୍କୁ ଅନୁରୋଧ କରୁଛି ଯେ, ଜନଗହଳିପୂର୍ଣ୍ଣ ସ୍ଥାନରେ ନିଜର ମୋବାଇଲ ଫୋନ୍, ପର୍ସ, ସୁନା ଅଳଙ୍କାର ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ପ୍ରତି ସତର୍କ ରୁହନ୍ତୁ। କୌଣସି ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ସ୍ନାଚିଂ ସମ୍ପର୍କିତ ଘଟଣା ଦେଖିଲେ ତୁରନ୍ତ ନିକଟସ୍ଥ ପୋଲିସ କର୍ମଚାରୀ କିମ୍ବା ପୋଲିସ କଣ୍ଟ୍ରୋଲ ରୁମ ୧୧୨କୁ ସୂଚନା ଦିଅନ୍ତୁ। ପୁରୀ ପୋଲିସ ଶ୍ରୀକ୍ଷେତ୍ରକୁ ଆସୁଥିବା ପ୍ରତ୍ୟେକ ଭକ୍ତ, ପର୍ଯ୍ୟଟକ ଓ ସାଧାରଣ ନାଗରିକଙ୍କୁ ଏକ ସୁରକ୍ଷିତ, ନିରାପଦ ଓ ନିର୍ବିଘ୍ନ ପରିବେଶ ପ୍ରଦାନ କରିବା ପାଇଁ ସଦା ସର୍ବଦା ପ୍ରତିବଦ୍ଧ। ରଥଯାତ୍ରା ସମୟରେ ଏହି ସ୍ୱତନ୍ତ୍ର ଆଣ୍ଟି-ସ୍ନାଚିଂ ଅଭିଯାନ ନିରନ୍ତର ଜାରି ରହିବ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande