
କୋହିମା, ୨୧ ଜୁଲାଇ (ହି.ସ.) ନାଗାଲ୍ୟାଣ୍ଡରେ ଲଗାତାର ହେଉଥିବା ମୂଷଳଧାରା ବର୍ଷା ଯୋଗୁଁ ହଠାତ୍ ବନ୍ୟା ଓ ଭୂସ୍ଖଳନ ବ୍ୟାପକ ଧ୍ୱଂସଲୀଳା ସୃଷ୍ଟି କରିଛି। ରାଜ୍ୟରେ ଏହି ବିପର୍ଯ୍ୟୟରେ ମୃତକଙ୍କ ସଂଖ୍ୟା ବଢ଼ି ୯ରେ ପହଂଚିଛି। ମୋନ ଜିଲ୍ଲାରେ ମଙ୍ଗଳବାର ଆଉ ୫ଟି ମୃତଦେହ ଉଦ୍ଧାର କରାଯାଇଛି, ଯେତେବେଳେ ୪ ଜଣ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ରିଲିଫ୍ ଓ ଉଦ୍ଧାରକାରୀ ଦଳ ଲଗାତାର ଅଭିଯାନ ଚଳାଉଛନ୍ତି। ନାଗାଲ୍ୟାଣ୍ଡ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଏସଡିଏମଏ) ଏହି ସୂଚନା ଦେଇଛି।
ଏନଏସଡିଏମଏର ସୂଚନା ଅନୁସାରେ, ପ୍ରାରମ୍ଭିକ ଆକଳନରେ ସମଗ୍ର ରାଜ୍ୟରେ ୭,୪୬୦ରୁ ଅଧିକ ଲୋକ ବନ୍ୟା ଓ ଭୂସ୍ଖଳନରେ ପ୍ରଭାବିତ ହୋଇଛନ୍ତି। ତେବେ, ବିସ୍ତୃତ ସର୍ବେକ୍ଷଣ ପରେ ପ୍ରଭାବିତ ଲୋକଙ୍କ ସଂଖ୍ୟା ଏବଂ ସମ୍ପତି କ୍ଷୟକ୍ଷତିର ଆକଳନ ଆହୁରି ବଢ଼ିବାର ସମ୍ଭାବନା ରହିଛି।
ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମୋନ ଜିଲ୍ଲା, ଯେଉଁଠାରେ ଏପର୍ଯ୍ୟନ୍ତ ସମସ୍ତ ୯ଟି ମୃତ୍ୟୁ ରେକର୍ଡ କରାଯାଇଛି। ସେଥିରୁ ୫ ଜଣଙ୍କ ମୃତ୍ୟୁ ମୋନ ସହରର ଶାନ୍ତମ ୱାର୍ଡରେ ଘଟିଥିବା ଭୂସ୍ଖଳନରେ ହୋଇଛି। ପ୍ରଶାସନର ସୂଚନା ଅନୁସାରେ, ରିଲିଫ୍ ଓ ଉଦ୍ଧାରକାରୀ ଦଳ ଲଗାତାର ଭସାଣି ହଟାଇବା ଏବଂ ନିଖୋଜ ଲୋକଙ୍କୁ ଖୋଜିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି।
ଏହି ମଧ୍ୟରେ, ନାଗିନିମୋରା ଅଂଚଳରେ ହଠାତ୍ ଆସିଥିବା ବନ୍ୟାରେ ଭାସିଯାଇଥିବା ୪ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଭାବେ ଆହତ ହୋଇଥିବାବେଳେ, ଅନ୍ୟ ୩ ଜଣ ସାମାନ୍ୟ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତି କରାଯାଇଛି।
ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ରାଜ୍ୟର ୧୦ଟି ଜିଲ୍ଲାର ୯୩ଟି ଗାଁ ଏହି ବିପର୍ଯ୍ୟୟରେ ପ୍ରଭାବିତ ହୋଇଛି। ଏପର୍ଯ୍ୟନ୍ତ ୬୪ଟି ଘର କ୍ଷତିଗ୍ରସ୍ତ ହୋଇଥିବାର ପୁଷ୍ଟି କରାଯାଇଛି। ଅଧିକାରୀମାନଙ୍କ କହିବା ଅନୁସାରେ, ଅନେକ ଦୂରଦୁରାନ୍ତ ଅଂଚଳରୁ ଏପର୍ଯ୍ୟନ୍ତ କ୍ଷୟକ୍ଷତିର ସୂଚନା ସଂଗ୍ରହ କରାଯାଉଛି, ତେଣୁ ପ୍ରକୃତ କ୍ଷତିର ପରିମାଣ ଆହୁରି ଅଧିକ ହୋଇପାରେ।
-------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ